ନୀଳଗିିରି-୨୯/୦୯ : ନୀଳଗିରି ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଉପରେ ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ ସମେତ ଔପଦା ବ୍ଲକର ଅଧିକାଂଶ ପଞ୍ଚାୟତ, ବାହାନଗା, ଶେରଗଡ଼, ରେମୁଣା, ପଡ଼ୋଶୀ ମୟୁରଭଞ୍ଜ ଜିଲ୍ଲାର ଅଧିକାଂଶ ଅଞ୍ଚଳର ରୋଗୀମାନେ ଚିକିତ୍ସାପାଇଁ ଆସିଥାନ୍ତି । ଅନେକ ସମୟରେ ଦୁର୍ଘଟଣା ଜନିତ ହେଉ, ପ୍ରସବ ଜନିତ ହେଉ ଅଥବା ପିଲାମାନଙ୍କ ଥାଲାସେମିଆ ରୋଗନିମନ୍ତେ ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଥାଏଥିପାଇଁ ନୀଳଗିରି ଡାକ୍ତରଖାନା ପରିସରରେ ରକ୍ତ ଭଣ୍ଡାର ରହିଛି । ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୀଳଗିରି ଅଞ୍ଚଳର ଅନେକ ସ୍ୱେଚ୍ଛାସେବୀ ସଂଗଠନ, ଗଣ ସଂଗଠନ ସହିତ ସରକାରୀ ସ୍ତରରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଇଥାଏ । ମାତ୍ର ଦୀର୍ଘଦିନ ଧରି ଉକ୍ତ ସଂଗୃହୀତ ରକ୍ତକୁ ନୀଳଗିରି ରକ୍ତଭଣ୍ଡାରକୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିଭଡ଼ା କରିବାକୁ ପଡ଼ୁଥିଲା । ଏନେଇ ବାଲେଶ୍ୱର ରକ୍ତଦାତା ସଂଘ ଓ ବ୍ଲଡବ୍ୟାଙ୍କ ଅଧିକାରୀମାନେ ନୀଳଗିରିକୁ ଏକ ସ୍ୱତନ୍ତ୍ର ରକ୍ତ ପରିବହନ ଗାଡ଼ି ଯୋଗାଇ ଦେବାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅନୁରୋଧ କରିଥିଲେ । ସାଂସଦ ଶ୍ରୀ ଷଡ଼ଙ୍ଗୀ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆସନ୍ତା ମାସରେ ଏହି ରକ୍ତ ସଂଗ୍ରହ ପରିବହନ ଗାଡ଼ି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଲୋକାର୍ପିତ ହେବବୋଲି ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ନୀଳଗିରି ହସ୍ପିଟାଲ ପ୍ରତିନିଧି ମନୋରଂଜନ ବେହେରା ସୂଚନା ଦେଇଛନ୍ତି । ଏବାବଦରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜିନୀ ପ୍ରଧାନ, ଆଇଟିଡିଏ ଅଧିକାରୀ ,ରକ୍ତଦାତା ସଂଘ ସଭାପତି,ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଏବଂ ଡାକ୍ତରଖାନାର ଅନ୍ୟକର୍ମ·ରୀମାନଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ଘଟଣା ନେଇ ଅଞ୍ଚଳବାସୀ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।