Odisha news

ନେତାଜୀ ଓ କଟକ

0

ସୌରଚନ୍ଦ୍ର ମହାପାତ୍ର: ନେତାଜୀଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ମରଣୀୟ ସମୟ ଓଡ଼ିଆବଜାର ସ୍ଥିତ ଜାନକୀନାଥ ଭବନରେ ଅତିବାହିତ ହୋଇଛି । ଯେଉଁଠି ରହିଛି ତାଙ୍କ ଅନ୍ତୁଡିଶାଳ । କେବଳ ସେତିକି ନୁହେଁ ଏ ଘରେ ତାଙ୍କର ଭାଇ-ଭଉଣୀମାନେ ମଣିଷ ହୋଇଥିଲେ । ନେତାଜୀଙ୍କ ଜନ୍ମ ୧୮୯୭ ଜାନୁଆରୀ ୨୩ରୁ ପିତା ଜାନକୀ ନାଥ ବୋଷଙ୍କ ପରଲୋକ ୧୯୩୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୭ ବର୍ଷ ଧରି ଜାନକୀନାଥ ଭବନ ସହିତ ତାଙ୍କର ଅତୁଟ ଭାବାବେଗ ସମ୍ପର୍କ ରହିଥିଲା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିଦେଶରେ ରହି ସେ ପ୍ରେରଣା ଦେଇଥିଲେ । ଓଡ଼ିଶାର ସ୍ୱାଧୀନତା ଆନେ୍ଦାଳନର ରୂପରେଖକୁ ଦୂରରେ ରହି ନିରୀକ୍ଷଣ କରୁଥିଲେ । କହିବାକୁଗଲେ ହଜାର ବର୍ଷର ସହର କଟକର ପରିଚୟ ନେତାଜୀଙ୍କ ବିନା ସମ୍ପୂର୍ଣ୍ଣ ରୂପେ ଅସମ୍ପୂର୍ଣ୍ଣ । ରେଭେନ୍ସା କଲିଜିଏଟରେ ନେତାଜୀ ସୁଭାଷଙ୍କ ମୂଳଦୁଆ ପଡ଼ିଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ବେଣୀମାଧବ ଦାଶ ନେତାଜୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ।

ବେଣୀମାଧବ ସାର୍ଙ୍କୁ ନେତାଜୀ ନିଜ ଜୀବନର ପଥପ୍ରଦର୍ଶକ ଭାବେ ବାଛି ନେଇଥିଲେ । କଟକରେ ରହିବା ବେଳେ ଯେବେ ବି ତାଙ୍କ ମନରେ କିଛି ଅବସାଦ ବା ସନେ୍ଦହ ଆସେ, ସେ ସଙ୍ଗେ ସଙ୍ଗେ ସାର୍ଙ୍କ ପାଖକୁ ଆସୁଥିଲେ । ବେଣୀସାରଙ୍କୁ ସେ ଭଗବାନ ଭଳି ମାନୁଥିଲେ ବୋଲି ନିଜ ଜୀବନୀରେ ନେତାଜୀ ଲେଖିଛନ୍ତି । କଲିଜିଏଟ ସ୍କୁଲର ଆଉ ଜଣେ ପ୍ରଧାନ ଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତି ମଧ୍ୟ ତାଙ୍କୁ ବିଶେଷ ପ୍ରଭାବିତ କରିଥିଲେ । ନାରାୟଣ ସାର ନେତାଜୀଙ୍କ ଠାରେ ଜାତୀୟତାବାଦ ଓ ବିପ୍ଳବୀ ହେବାର ମନ୍ତ୍ର ଫୁଙ୍କିଥିଲେ । ବିଦ୍ୟାଳୟ ଛାଡ଼ିବା ପରେ ମଧ୍ୟ ଅନେକ ଥର ସେ ସ୍କୁଲକୁ ଆସିଛନ୍ତି । ୧୯୩୯ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆମନ୍ତ୍ରଣ କ୍ରମେ ସେ ରେଭେନ୍ସା କଲିଜିଏଟ ସ୍କୁଲ ଆସିଥିଲେ ଓ ସାଙ୍ଗ ମାନଙ୍କ ସହ ଫଟୋ ଉଠାଇଥିଲେ ।

ଓଡ଼ିଆ ବଜାରରେ ନେତାଜୀଙ୍କ ଘର । ବାପା ଜାନକୀନାଥ ବୋଷ ଓ ମା ପ୍ରଭାବତୀ ଦେବୀଙ୍କ ସମେତ ଭାଇଭଉଣୀଙ୍କ ସହ ନେତାଜୀ ରହୁଥିଲେ । ପ୍ରତିଦିନ ସ୍କୁଲ ଯିବା ଆସିବାରେ କିଛି ସମସ୍ୟା ନଥିଲା । ତଥାପି ସେ ସ୍କୁଲ ହଷ୍ଟେଲରେ ରହୁଥିଲେ । ବିଦ୍ୟାଳୟରେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ରେଭେନ୍ସା କଲିଜିଏଟ ସ୍କୁଲ ହଷ୍ଟେଲର ସେହି ୧୧ ନମ୍ବର କୋଠରୀଟି ନେତାଜୀ ପ୍ରକୋଷ୍ଠ ନାମରେ ଏବେ ବି ରହିଛି । ସ୍କୁଲ କର୍ତ୍ତୃପକ୍ଷ ସେହି ପ୍ରକୋଷ୍ଠରେ ନେତାଜୀ ସୁଭାଷଙ୍କ ଫଟୋଚିତ୍ର ରଖିବା ସହିତ ହଷ୍ଟେଲର ଶ୍ରେଷ୍ଠ ଚାରି ଜଣ ଛାତ୍ରଙ୍କୁ ସେଠାରେ ରହିବାର ସୁଯୋଗ ଦିଅନ୍ତି ।

ଖାଲି ସେତିକି ନୁହେଁ, ନେଜାତୀଙ୍କ ନାମରେ ବିଦ୍ୟାଳୟ ପରିସରରେ ନେତାଜୀ ଅଡିଟୋରିୟମ୍ ନାମରେ ଏକ ବିଶାଳ ପ୍ରେକ୍ଷାଳୟ ରହିଛି । ହଷ୍ଟେଲରେ ତାଙ୍କ ନାମରେ ଏକ ସଭାଗୃହ ମଧ୍ୟ ରହିଛି । ବିଦ୍ୟାଳୟ ସମ୍ମୁଖରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ନେତାଜୀଙ୍କ ଜୟନ୍ତୀ ସମେତ ବିଦ୍ୟାଳୟର ସମସ୍ତ ଉତ୍ସବରେ ନେତାଜୀଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ମାନିତ କରାଯାଏ । ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ବାର୍ଷିକ ଉତ୍ସବରେ ନେତାଜୀଙ୍କ ନାମରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି । ରେଭେନ୍ସା କଲିଜିଏଟ ସ୍କୁଲ ନେତାଜୀଙ୍କୁ ଗଢ଼ିଛି ଓ ନେତାଜୀଙ୍କ ପାଇଁ ରେଭେନ୍ସା କଲିଜିଏଟ ସ୍କୁଲ ଏବେ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ।

ନେତାଜୀଙ୍କର କଟକ ସହିତ ସମ୍ପର୍କ କେତେ ନିବିଡ଼ ଥିଲା ତାହାର ପ୍ରମାଣ ପ୍ରତିବର୍ଷ ତାଙ୍କ ଜୟନ୍ତୀ ଉତ୍ସବରେ ଦେଖିବାକୁ ମିଳେ । ପଶ୍ଚିମବଙ୍ଗରୁ ବହୁ ନେତାଜୀ ପ୍ରେମୀ ପାଞ୍ଚଶହ କିଲୋମିଟର ଦୂର ଅତିକ୍ରମ କରି କଟକକୁ ଆସନ୍ତି ଓଡ଼ିଆ ବଜାରଠାରେ ନେତାଜୀ ଜୟନ୍ତୀ ପାଳନ କରିବାକୁ । ହେଲେ ଓଡ଼ିଶାରୁ କେହି କେବେ ନେତାଜୀ ଜୟନ୍ତୀ ପାଳନ କରିବାକୁ କଲିକତା ଯିବାର କୌଣସି ପ୍ରମାଣ ନାହିଁ । ପଶ୍ଚିମବଙ୍ଗରୁ ଲୋକେ ଏଠାକୁ ଆସିବା ପ୍ରମାଣିତ କରୁଛି, ନେତାଜୀ କଟକ ଓ ଓଡ଼ିଶାର ବୋଲି ।

କେବଳ କଟକରେ ନୁହେଁ, ପୁରୀରେ ବି ରହିଛି ନେତାଜୀଙ୍କ ପୈତୃକ ଘର । ନେତାଜୀଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକମାନେ ଏହାକୁ ମଧ୍ୟ ଏକ ସଂଗ୍ରହାଳୟ କରିବାକୁ ଦାବି କରିଥିଲେ । ହାଇକୋର୍ଟଙ୍କ ରାୟ ପରେ ୨୦୧୩ ମସିହାରେ ପୁରୀ ଜିଲ୍ଲା ପ୍ରଶାସନ ଉକ୍ତ ଘରକୁ ଦଖଲକୁ ନେବା ସହ ପ୍ରତ୍ନତତ୍ତ୍ୱ ବିଭାଗ ସାହାଯ୍ୟରେ ଏହାର ପୁନରୁଦ୍ଧାର କରିଛି । ଏହାକୁ ଏକ ସଂଗ୍ରହାଳୟର ରୂପ ବି ଦିଆଯାଇଛି । ନେତାଜୀଙ୍କ ଜୀବନର ପ୍ରଥମ ୧୬ ବର୍ଷ ଗୁରୁତ୍ୱପୂର୍ଣ୍ଣ କଟକରେ କଟିଥିଲା ।

ପଶ୍ଚିମବଙ୍ଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ପୈତୃକ ଘର, ଜନ୍ମ, ଶୈଶବ ଓ କିଶୋରାବସ୍ଥା କଟକରେ କଟାଇଥିଲେ । ତା ଛଡ଼ା ନିଜ ଜୀବନର ବହୁ ସମୟ ସେ ବିଦେଶରେ କଟାଇଥିବାରୁ କଲିକତାରେ ବି ଅଧିକ ସମୟ ରହି ନଥିଲେ । କଲିକତା ଠାରୁ କଟକ ସହ ଢ଼େର ଅଧିକ ସମ୍ପର୍କ ତଥା ସମୟ କଟାଇଥିଲେ ବି କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଢ଼ା ଯାଉଛି ୮୫ଜଣିଆ କମିଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କର ଜାତୀୟ ସଂଗ୍ରାମ ପ୍ରତି ଅବଦାନକୁ ଭୁଲିନାହାଁନ୍ତି । ଏହାକୁ ସ୍ମରଣୀୟ କରି ଏକ ବିଶାଳ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଆୟୋଜନ ମଧ୍ୟ ସେ କରିଛନ୍ତି । ଜଣେ କଟକିଆ ହିସାବରେ ନେତାଜୀଙ୍କୁ ନେଇ ଯେଉଁ ସହର ପରିଚିତ ଏହି ଲେଖକ ନିଜକୁ ଗର୍ବିତ ଅନୁଭବ କରୁଛି ।

Leave A Reply