ନୟାଗଡ଼ ଫାଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ : ବଳାକ୍ରାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଆର୍ଥିକ ଜରୀମାନା ଅଦେଶ
ନୟାଗଡ଼ : ବୁଧବାର ନୟାଗଡ଼ ଫାଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଏକ ସଂମ୍ବେଦନଶୀଳ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବିଚାରପତି ବିରଂଚି କୁମାର ରଥ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ମାମଲାର ରାୟ ପ୍ରକାଶ ଦିନ କୋର୍ଟରେ ହାଜର ଥିବା ଜିଲ୍ଲାର ଫତେଗଡ଼ ଥାନା ଗୋହିରିଆପଡ଼ା ଗାଁର ଆସାମୀ ଜିତେନ୍ଦ୍ର ମହାରଣାକୁ ନୟାଗଡ଼ ଉପ-କାରାଗାର ହାଜତକୁ ପଠାଇ ଦିଆଯାଇଛି । ପୀଡ଼ିତାକୁ ୧୫୦,୦୦୦ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ ପାଇଁ ରାୟରେ ଉଲ୍ଲେଖ ରହିଛି ।
ଜଣେ ୧୦ ବର୍ଷର ନାବାଳିକାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରା ଯାଇଥିବା ନେଇ ୨୦୧୯ ମସିହା ଏପ୍ରିଲ ମାସ ୧୮ ତାରିଖରେ ଫତେଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଖଣ୍ଡପଡ଼ା ଥାନା ଅଞ୍ଚଳର ଅଭିଯୋଗକାରୀ ପୀଡ଼ିତାର ପିତା ତା’ଙ୍କ ନାବାଳିକା କନ୍ୟାକୁ ଏକ ଲୁନା ମୋପେଟ୍ ରେ ବସାଇ କୌଣସି କାର୍ଯ୍ୟରେ ଫତେଗଡ଼ ଥାନା ଅଞ୍ଚଳର ବନମାଳିପୁର ରୁ ବାହାଡ଼ା ଛକ ରାସ୍ତାରେ ଯାଉଥିଲେ । ମଝି ରାସ୍ତାରେ ଲୁନା ପମ୍ପ୍ଚର ହୋଇ ଯିବାରୁ ବାପ ଝିଅ ଦୁହେଁ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଚାଲି ଚାଲି ଯାଉଥିଲେ । ବନମାଳିପୁର ପଟୁ ବାହାଡ଼ା ଯାଉଥିବା ଏକ ବାଇକ୍ ଚାଳକ ଯୁବକ ଗୋହିରିଆପଡ଼ା ଗାଁର ଜିତେନ୍ଦ୍ର ମହାରଣା ନାବାଳିକାକୁ ବାହାଡ଼ା ଛକରେ ଛାଡ଼ିଦେବା କହି ବାଇକ୍ ରେ ବସାଇ ନେଇ ଯାଇଥିଲା । ବାହାଡ଼ା ଛକରେ ନାବାଳିକାକୁ ନଛାଡ଼ି ଜିତେନ୍ଦ୍ର ନିକଟସ୍ଥ ଏକ ଶାଳ ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ କରି ପଳାଇ ଯାଇଥିଲା ।
ପୀଡ଼ିତା କାନ୍ଦି କାନ୍ଦି ବାହାଡ଼ା ଛକରେ ପହଞ୍ଚି ଘଟଣା ସଂପର୍କରେ ବାପା ଓ ଉପସ୍ଥିତ ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଷ୍କର୍ମକାରୀ ଯୁବକ ଜିତେନ୍ଦ୍ର ମହାରଣାକୁ ଲୋକେ ନିକଟସ୍ଥ ଏକ ଠାକୁରାଣୀ ମନ୍ଦିରରୁ ଧରି ପୋଲିସ୍କୁ ହସସ୍ତାନ୍ତର କରିଥିଲେ । ଏନେଇ ପୀଡ଼ିତା ବାପାଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ଥାନାରେ ୬୬/୧୯ରେ ମୋକଦ୍ଦମା ଋଜୁ କରି ଅଭିଯୁକ୍ତ ଜିତେନ୍ଦ୍ର ମହାରଣା (୩୫)କୁ ପୋଲିସ୍ କୋର୍ଟ ଚାଲାଣ କରିଥିଲା । ଖଣ୍ଡପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ମାମଲାର ବିଚାର ଚାଲିଥିଲା । ଏପରି ଏକ ସଂବେଦନଶୀଳ ମାମଲାର ତ୍ୱରିତ ବିଚାର ପାଇଁ ବିଗତ ୫ମାସ ହେବ ନୟାଗଡ଼ ଫାଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । କଥିତ ଅଦାଲତରେ ମାମଲାର ବିଚାର ଚାଲିଥିବା ବେଳେ ୧୪ ଜଣ ସାକ୍ଷି, ଡାକ୍ତରୀ ମାଇନା ରିପୋର୍ଟ, ପୋଲିସ୍ ତଦନ୍ତ ଫର୍ଦ୍ଦ, ପକ୍ଷ ଓ ପ୍ରତିପକ୍ଷ ଓକିଲଙ୍କ ତର୍କ ସର୍ବୋପରି ଆଇନ୍ ଆଧାରରେ ଅଭିଯୁକ୍ତ ଜିତେନ୍ଦ୍ର ମହାରଣାକୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଏଭଳି ଜଘନ୍ୟ ଅପରାଧ ଆଚରଣ ପାଇଁ ଦୁଷ୍କର୍ମ ଆସାମୀ ଜିତେନ୍ଦ୍ର ମହାରଣାକୁ ନୟାଗଡ଼ ଫାଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟ ବିଚାରପତି ବିରଂଚି କୁମାର ରଥ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ସହିତ ୨୦,୦୦୦ ଟଙ୍କାର ଜମିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡ଼ିତାକୁ ୧୫୦,୦୦୦ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ କରିବା ପାଇଁ ମଧ୍ୟ ବିଚାରପତି ଶ୍ରୀଯୁକ୍ତ ରଥ ତା’ଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅତିରିକ୍ତ ପବ୍ଲିକ୍ ପ୍ରସିକୁ୍ୟଟର ଓକିଲ ଅମିୟ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ । ରାୟ ପ୍ରକାଶ ପାଇବା ପରେ ଆସାମୀ ନୟାଗଡ଼ ଉପ-କାରାଗାରରେ ବନ୍ଦି ହୋଇଛି । ସେପଟେ ପୀଡ଼ିତା ପରିବାର ନ୍ୟାୟିକ ବ୍ୟବସ୍ଥା ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି ।
