ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନର ମତ ଦାନ ଶେଷ ହୋଇଛି । ନୟାଗଡ଼ ପୌର ପରିଷଦ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନର ମତଦାନ ଅନୁଷ୍ଠିତ ହୋଇଛି । ଖଣ୍ଡପଡ଼ା ଏନ୍ ଏ ସି ରେ ମତଦାନ ବେଳେ ମାରପିଟି ଘଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ବ୍ୟାହତ ହୋଇଛି । ଖଣ୍ଡପଡ଼ାର ଏକ ବୁଥ୍ରେ ମତଦାନ ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବିପକ୍ଷ ଗୋଷ୍ଠୀର କିଛି ଆହତ ହୋଇଥିବା ଖବର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟି ନୟାଗଡ଼ ଜିଲ୍ଲାରେ ଗୁରୁବାର ପୌର ନିର୍ବାନର ମତଦାନ ଶେଷ ହୋଇଛି । ନୟାଗଡ଼ ପୌରାଞ୍ଚଳରେ ୧୬ଟି ୱାର୍ଡ ପାଇଁ ୨୫ଟି ବୁଥରେ ମତ ଦାନ ହୋଇଥିଲା । ଏଠାରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ବେଳେ ଦଶପଲ୍ଲା ଓ ରଣପୁର ଏନ୍ ଏ ସି ନିର୍ବାଚନରେ କେତେକ ସ୍ଥାନରେ ଉତ୍ତେଜନାକୁ ଛାଡ଼ି ଦେଲେ ମୋଟାମୋଟି ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି । ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମତଦାନ ଚାଲିଥିବା ସମୟରେ ମହିଳା ମହାବିଦ୍ୟାଳୟ ବୁଥ୍ରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟି ହୋଇ ଥାନାରେ ମାମଲା ଋଜୁ ହୋଇଛି ।
ପୋଲିସ୍ ଉପସ୍ଥିତିରେ ଭୋଟ ବୁଥ୍ ପାଖରେ ସ୍ଥାନୀୟ ଅଞ୍ଚଳର ଜଣେ ନେତୃସ୍ଥାୟୀୟ ବ୍ୟକ୍ତିଙ୍କୁ ବିପକ୍ଷ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପୋଲିସ୍ ଓ ପ୍ରଶାସନ ପ୍ରସ୍ତୁତ ରହିଥିବା କୁହାଯାଉ ଥିବାବେଳେ ଖଣ୍ଡପଡ଼ାରେ ଦେଖାଯାଇଥିବା ଅଶାନ୍ତ ପରିସ୍ଥିିତି ସାମଗ୍ରୀକ ଜିଲ୍ଲାରେ ଶାନ୍ତିପୂଣ୍ଣ ମତଦାନକୁ ବ୍ୟାହତ କରିଛି । ତେବେ ଜିଲ୍ଲାରେ ଅନୁଷ୍ଠିତ ପୌର ନିର୍ବାଚନରେ ମୋଟ ୫୩ ହଜାର ୭ଶହା ୭୭ ଭୋଟଙ୍କ ମଧ୍ୟରୁ ୭୦.୩୯ ପ୍ରତିଶତ ମତ ଦାନ ହୋଇଛି । ଭୋଟରଙ୍କ ମତ ଇଭିଏମ୍ ରେ ସିଲ୍ ହୋଇ ଥିବାବେଳେ ୨୬ ତାରିଖ ଭୋଟ ଗଣତି ରେ କାହା ସପକ୍ଷରେ ବହୁମତ ରହିଛି ତାହା ଜଣାପଡ଼ିବ ।