ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି କରାଯାଇଛି । ଏଥିରେ ୬୯ଟି ଗ୍ରାମ ପଞ୍ଚାୟତ, ୧୦୨୫ ୱାର୍ଡ ସହିତ ୮ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ ଗଣତି କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ହୋଇଛି । ଉକ୍ତ ରିପୋର୍ଟ ଲେଖାହେବା ମଧ୍ୟରେ ଭୋଟ ଗଣିତି ଜାରି ରହିଥିବାରୁ ବିଜୟୀ ପ୍ରାର୍ଥୀଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।
ନୟାଗଡ଼ ଜିଲ୍ଲାରେ ଶନିବାର ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ହୋଇଛି । ଏଥିରେ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୮ଟି ଜୋନ୍, ୬୯ ଗ୍ରାମ ପଞ୍ଚାୟତ ଏବଂ ୧୦୨୫ ୱାର୍ଡ ରେ ଭୋଟ ଗଣତି ହୋଇଛି । ଏଥିରେ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ୧ନମ୍ବର ଜୋନ୍, ଖଣ୍ଡପଡ଼ା-୫, ଗଣିଆଁ-୮, ଦଶପଲ୍ଲା-୯, ନୟାଗଡ଼-୧୨, ନୂଆଗାଁ-୧୬, ଭାପୁର-୧୮ ଏବଂ ରଣପୁର ବ୍ଲକର ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଭୋଟ ଗଣତି ହୋଇଛି ।
ଭୋଟ ଗଣିତି ସମୟରେ ପର୍ଯ୍ୟାୟକ୍ରମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ହୋଇଥିବା ଭୋଟ ଗ୍ରହଣ ସଂଖ୍ୟା ଗଣତି ହୋଇଛି । ଏଥିଲାଗି ଜିଲ୍ଲାର ସମସ୍ତ ୮ଟି ବ୍ଳକ ଅଞ୍ଚଳରେ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ହୋଇଛି । ରିପୋର୍ଟ ଲେଖାହେବା ମଧ୍ୟରେ ଭୋଟ ଗଣିତି ଶେଷ ହୋଇ ନଥିବାରୁ ବିଜେତାଙ୍କ ସଂପର୍କରେ ସରକାରୀ ତଥ୍ୟ ମିଳି ପାରି ନାହିଁ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭୋଟ ଗଣିତି ଚାଲିବା ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସୂଚନାରୁ ଜଣାଯାଇଛି । ଫଳରେ ବିଜୟୀ ପ୍ରାର୍ଥୀଙ୍କ ସୂଚନା ରବିବାର ସ୍ପଷ୍ଟ ହୋଇଯିବା ଉପ-ଜିଲ୍ଲାପାଳ ରାଉତ ପ୍ରକାଶ କରିଛନ୍ତି ।