ନୟାଗଡ଼: ନୟାଗଡ଼ ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ସତର୍କତା ରହିଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି । ରାଜ୍ୟର ଅନ୍ୟ କେତେକ ଜିଲ୍ଲା ସହିତ ନୟାଗଡ଼ ଜିଲ୍ଲା ରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିବା ନେଇ ପୂର୍ବନୁମାନ କରାଯାଉଛି । ଏପରି ସ୍ଥିତିରେ ଜିଲ୍ଲାବାସୀଙ୍କ ପାଇଁ ସତର୍କ ସୂଚନା ହେଉ କିମ୍ବା ପ୍ରଶାସନିକ ପ୍ରସ୍ତୁତି କ୍ଷେତ୍ରରେ ଗ୍ରହଣ ପଦକ୍ଷେପ ସଂପର୍କରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନାହିଁ ।
ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂ ଧାରଣ କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ସହିତ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବହିବାର ଭାରତୀୟ ପାଣିପାଗ କେନ୍ଦ୍ର ଘୋଷଣା କରିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ଧାରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଗୋପାଳପୁରରୁ ବିଶାଖପାଟ୍ଟଣାର ମଝି ସ୍ଥାନ କଳିଙ୍ଗପାଟ୍ଟନମ ଠାରେ ଲ୍ୟାଣ୍ଡଫଲ କରିବାର ମଧ୍ୟ ପରିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ରାଜ୍ୟର ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନାଗିରି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲା ରେ ପ୍ରବଳ ବର୍ଷା ସହ ଘଣ୍ଟାକୁ ୮୦ ରୁ ୯୦ କି. ମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିଲାଗି ସଂପୃକ୍ତ ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ସରକାର ସୂଚାଇଛନ୍ତି । ହେଲେ ଜିଲ୍ଲାବାସୀଙ୍କ ସୂଚନା ଓ ସଚେତନତା ଦୃଷ୍ଟିରୁ ସମ୍ଭାବ୍ୟ ବାତ୍ୟା ସତର୍କତା ପଦକ୍ଷେପ ସଂପର୍କରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ । ଏନେଇ ପ୍ରଶାସନିକସ୍ତରରେ କି ପ୍ରକାର ପ୍ରସ୍ତୁତି ଗ୍ରହଣ ହୋଇଛି ତାହା ଜାଣିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଯୋଗାଯୋଗ ରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା । ଫଳରେ ନୟାଗଡ଼ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ସ୍ଥିତି ଓ ପ୍ରଶାସନିକ ସତର୍କତା ପଦକ୍ଷେପ ସଂପର୍କରେ ଜିଲ୍ଲାବାସୀଙ୍କୁ ନିର୍ଦ୍ଧିଷ୍ଠ ସୂଚନା ଦିଆଯାଇ ପାରୁନାହିଁ ।
Comments are closed.