ନାଉଗାଁ : ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ଦେବୀନଦୀରେ ବନ୍ୟାଜଳ ନାଉଗାଁ ବ୍ଲକର ଚାଷୀମାନଙ୍କ ନିଦ ହଜାଇ ଦେଇଛି । ଏହି ବ୍ଲକରେ ପ୍ରଭାହିତ ଗୋବରୀ ନଦୀ ଗାରୋଇ ନିକଟରେ ଦେବୀନଦୀରେ ସଂଯୋଗ ହୋଇଛି । ଏହି ଅଞ୍ଚଳର ଚାଷୀମାନଙ୍କ ଚାଷକାର୍ଯ୍ୟ ପାଇଁ ମରୁଡି ସମୟରେ ବର୍ଷାଜଳକୁ ସଂରକ୍ଷଣକରି ରଖିବା ଓ ମାତ୍ରାଧିକ ବର୍ଷା ଜଳକୁ ନିସ୍କାସନ କରିବା ପାଇଁ ଗୋବରୀ ଓ ଦେବୀର ଏହି ସଂଯୋଗ ସ୍ଥାନରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଏକ ସ୍ଲୁଇସଗେଟ୍ ନିର୍ମାଣ କରାଯାଇଛି ।
ଜାହା ଗୋବରୀ ନଦୀ ମାଧ୍ୟମରେ ଏହି ଅଞ୍ଚଳର ମାତ୍ରାଧିକ ଜଳ ଦେବୀନଦୀକୁ ନିସ୍କାସନ ହୋଇଥାଏ । ଦେବୀନଦୀରେ ବନ୍ୟାଜଳ ପ୍ରଭାହିତ ହେଉଥିବା କାରଣରୁ ଡ୍ରେନେଜ୍ ବିଭାଗ ପକ୍ଷରୁ ଏହି ସ୍ଲୁଇସଗେଟ୍କୁ ବନ୍ଦ ରଖାଯାଇଥିଲା । ଜାହାଫଳରେ ଲଘୁଚାପ ଜନିତ ବର୍ଷାରେ ଏହି ଅଞ୍ଚଳର ଏକର ଏକର ଚାଷ ଜମି ପଣିରେ ବୁଡି ରହିଥିଲା । ମାତ୍ର ବର୍ତ୍ତମାନ ଦେବୀନଦୀରୁ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଉକ୍ତ ସ୍ଲୁଇସଗେଟ୍କୁ ମାଛ ମାଫିଆମାନେ ଜବରଦଖଲରେ ରଖିଥିବା ଅଭିଯୋଗ ହେଉଛି ।
ଏହି ପ୍ରକଳ୍ପରେ ଜଳ ନିସ୍କାସନ ପାଇଁ ମୋଟ ୫ଟି ଫାଟକ ନିର୍ମାଣ କରାଯାଇଥିବା ସ୍ଥଳେ ବର୍ତ୍ତମାନ ଏହି ପ୍ରକଳ୍ପରେ ମାଛ ମାଫିଆମାନେ ମାତ୍ର ୨ଟି ଫାଟକ ଖୋଲି ସେଥିରେ ଜାଲବାନ୍ଧି ମାଛ ମାରୁଛନ୍ତି । ଅନ୍ୟ ୩ଟି ଫାଟକ ବନ୍ଦ ରହିଥିବା କାରଣରୁ ଅଞ୍ଚଳରୁ ବର୍ଷାଜଳ ନିସ୍କାସନ ହେବାକୁ ବିଳମ୍ବ ହେଉଛି । ଯାହାଫଳରେ ଏବେବି ଏହି ଅଞ୍ଚଳର ଏକର ଏକର ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ଯାହାଦ୍ୱାରା ଧାନଗଛ ଗୁଡିକ ସଢିବା ଆରମ୍ଭ ହେଲାଣି ।
ଉକ୍ତ ପ୍ରକଳ୍ପର ସମସ୍ତ ଫାଟକ ଗୁଡିକୁ ତୁରନ୍ତ ଖୋଲାନଗଲେ ହଜାର ହଜାର ଏକର ଧାନଚାଷ ନଷ୍ଟ ହୋଇଯିବାର ଆସଙ୍କା ରହିଥିବା ଏହି ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉକ୍ତ ସ୍ଲୁଇସଗେଟ୍ ଦାଇତ୍ୱରେ ଥିବା ବାଲିକୁଦା ଡ୍ରେନେଜ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଅନିଲକୁମାର ରାଉତଙ୍କୁ ପଚାରିବାରୁ ସେହି ପ୍ରକଳ୍ପରେ ଦୁଇଟି ଫାଟକ କାମ କରୁଥିବା ବେଳେ ଅନ୍ୟ ତିନିଟି ଫାଟକ କାମ କରୁନାହିଁ ଯାହାକୁ କାର୍ଯ୍ୟକ୍ଷମ କରାଇବାକୁ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି । ତେଣୁ ବିଭାଗିୟ ଉଚ୍ଚକତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି