Odisha news

ଆରପାରିରେ ନଟବର ମଲ୍ଲିକ : ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ନଟବର ମଲ୍ଲିକଙ୍କ ସ୍ମୃତିରେ…

0

ହିମାଂଶୁ ଶେଖର ଆଚାର୍ଯ୍ୟ : ମଣିଷ ଜୀବନ ବର୍ଷ ମାସ ଦିନରେ ସୀମିତ ନୁହେଁ । ସୁକର୍ମ ଓ ସୁଗୁଣ ହିଁ ତାକୁ କାଳଜୟୀ କରିଥାଏ । ଏମିତି ଜଣେ ମଣିଷ ଥିଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ପରାୟଣ ବ୍ୟକ୍ତି ନଟବର ମଲ୍ଲିକ । ଅକ୍ଟୋବର ୧୫ ତାରିଖରେ ୯୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତୁ୍ୟ ଖବର ପାଇ କରୋନା କଟକଣା ସତ୍ତ୍ୱେ ସଁଅରା, ମୂଳିସିଂ, କନକପୁର ଆଦି ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟାରେ ଲୋକ ଧାଇଁ ଯାଇଥିଲେ ତାଙ୍କ ବାସ ଭବନକୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା – ‘ନଟ ବାବୁ ଚାଲିଗଲେ’ । ମଣିଷ ଜୀବନରେ ଏହାଠାରୁ ବଳି ବଡକଥା ଆଉ କଣ ଥାଇପାରେ? ଜନ୍ମ ହୋଇଛେ ଯେତେବେଳେ ସମସ୍ତେ ତ ମରିବା । କିନ୍ତୁ ନଟ ବାବୁଙ୍କ ପରି ଜଣେ ସରଳ, ନିରାଡମ୍ବର, ନିରହଙ୍କାରୀ ଓ ସୁଖ ଦୁଃଖର ମଣିଷ ହିଁ ଅନେକ ଦିନ ପର୍ଯ୍ୟନ୍ତ ଅପାଶୋରା ହୋଇ ରହିବେ । ତାଙ୍କ ମୃତୁ୍ୟରେ ଶୋକ ପ୍ରକାଶ କରି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ- ‘ତିର୍ତ୍ତୋଲ ମାଟି ଆଜି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ବସିଲା’ ।

ନଟବର ମଲ୍ଲିକଙ୍କ ଜନ୍ମ ୧୯୩୧ ମସିହାରେ । ତାଙ୍କ ପିତାଙ୍କ ନାମ ମିଛୁ ମଲ୍ଲିକ ଓ ମାଆଙ୍କ ନାମ କମଳା । ବାଲ୍ୟ କାଳରୁ ସେ ସ୍ୱାଧୀନଚେତା ଥିଲେ । ତତ୍କାଳୀନ ସମାଜବାଦୀ ନେତା ସ୍ୱର୍ଗତ ନିଶାମଣି ଖୁଣ୍ଟିଆଙ୍କ ପ୍ରତ୍ୟେକ୍ଷ ସମ୍ପର୍କରେ ଆସିବା ପରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା । ତା ପରଠୁ ସେ ବନି ଯାଇଥିଲେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ । ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ସେ ଶପଥ ନେଇଥିଲେ । ଏଦିଗରେ ସ୍ୱର୍ଗତ୍ ନିଶାମଣି ଖୁଣ୍ଟିଆଙ୍କ ପ୍ରେରଣା ତାଙ୍କୁ ଦେଶ ପାଇଁ କାମ କରିବାର ପ୍ରେରଣା ଦେଇଥିଲା । ପ୍ରତ୍ୟେକ ଦିନ ଆଖ ପାଖ ଅଞ୍ଚଳର ସବୁବର୍ଗର ଲୋକ ଭିଡ ଲଗାନ୍ତି ତାଙ୍କ ପାଖରେ ।ତାଙ୍କ ମୁହଁରୁ କିଛି ଶୁଣିବା ପାଇଁ ସମସ୍ତେ ଚାହିଁରହିଥାନ୍ତି । ଆରମ୍ଭ ହୋଇଯାଏ କଥାକୁହା ପାଟିରୁ ଗୋଟିଏ ପରେ ଗୋଟିଏ କଥା । କଥା କଥାକେ କହିପକାନ୍ତି ଏ ଜୀବନ ଅଢେଇ ଦିନିଆ । କିଏ ବା ଜାଣେ ଆଉ କେତେଦିନ ବଞ୍ଚିବା । ଦେଶ ପାଇଁ ବଳିଦାନ ଦେବାର ମଜ୍ଜା ନିଆରା । ତେଣୁ ସ୍ୱାଧୀନତା ଆନେ୍ଦାଳନରେ ଭାଗ ନେବା ପାଇଁ ସେ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ । ସେଥିପାଇଁ ସ୍ୱର୍ଗତ ନିଶାମଣି ଖୁଣ୍ଟିଆଙ୍କ ପ୍ରିୟପାତ୍ର ହୋଇପାରିଥିଲେ ନଟ ବାବୁ ।

ଭାରତର ମୁକ୍ତି ସଂଗ୍ରାମ ଅନେକ ଲୁହ ଓ ଲହୁର କଥା କୁହେ । ଏହି ମୁକ୍ତି ସଂଗ୍ରାମରେ ଅନେକ ସଂଗ୍ରାମୀ ଲାଠିମାଡ ଖାଇଛନ୍ତି, ଜେଲ ଯାଇଛନ୍ତି ଓ ସହିଦ୍ ମଧ୍ୟ ହୋଇଛନ୍ତି । ତାହାକୁ ବର୍ଣ୍ଣନା କରିହେବ ନାହିଁ ସେମାନଙ୍କର ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ । ସେହିପରି ନଟ ବାବୁ ଜଣେ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ହିସାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ସ୍ୱାଧୀନତା ଆନେ୍ଦାଳନର ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଅଗ୍ରଣୀ ଭୂମିକା ଥିଲା । ସ୍ୱଧୀନତା ପୂର୍ବରୁ ଏରସମା ଥାନା ପୋଡି, ସଅଁରା କୋଠିହାଟ ପୋଡି ଘଟଣାରେ ସେ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ଥିଲେ । ଦେଶ ସ୍ୱାଧୀନତା ପାଇଲା ତାଙ୍କ ଖୁସି କହିଲେ ନସରେ ।କିନ୍ତୁ ଫିରିଙ୍ଗ ଶାସକଙ୍କ ଅନ୍ୟୟ ଅତ୍ୟାଚାର କଥା ପଡିଲେ ତାଙ୍କ ଆଖିରୁ ଆପେ ଆପେ ଲୁହ ଆସିଯାଏ । ଏରସମା ଥାନା ପୋଡି ଓ ସଁଅରା କୋଠି ହାଟ ପୋଡି ଫିରିଙ୍ଗ ଶାସନର ପୁଞ୍ଜିଭୁତ ଅସନ୍ତୋଷର ଗୋଟିଏ ଗୋଟିଏ କାରଣ ବୋଲି ସେ କହୁଥିଲେ ।
ଜଣେ ସଚ୍ଚା ରାଜନୈତିକ କର୍ମୀ ଭାବେ ତାଙ୍କର ନିଆରା ପରିଚୟ ଥିଲା ।ତତ୍କାଳୀନ ବିଶିଷ୍ଟ ସମାଜ ବାଦୀ ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ନିଶାମଣି ଖୁଣ୍ଟିଆଙ୍କ ସେ ଦୃଢ ସମର୍ଥକ ଥିଲେ ।

ଦଳିତ , ଅବହେଳିତ ଓ ନଷ୍ପେସିତ ଜନତାର ସେବାରେ ସେ ନିଜକୁ ଉସôର୍ଗ କରୁଥିଲେ । ସେ ବୁଝିଥିଲେ ଏମାନଙ୍କର ଉନ୍ନତି ନହେଲେ ରଜ୍ୟ ବା ଦେଶର ଉନ୍ନତି ହେବ ନାହିଁ । ଏହାହିଁ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ଯାହା ତାଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରତିଫଳିତ ହୋଇଥିଲା । ସରଳ,ନିରାଡମ୍ବର ଜୀବନ ବିତେଇବାରେ ସେ ଅନନ୍ଦ ପାଉଥିଲେ ।

ମାତ୍ର ୧୧ ବର୍ଷ ବୟସରେ ସେ ଘର ଛାଡି ଅହିଂସା ଆନେ୍ଦାଳନରେ ଯୋଗ ଦେଇଥିଲେ । ପ୍ରାୟ ଏକ ଦସନ୍ଧିଧରି ଓଡିଶାର ବିଭିନ୍ନ ଜାଗାରେ ଲୁଚି ଛପି ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ ତାଙ୍କ ଧର୍ମ ପତ୍ନୀ ରତ୍ନମାଳି ଜେମାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୩ ବର୍ଷ ପରେ ନଟ ବାବୁ ଗାଁ କୁ ଫେରିଆସି ସାମାଜିକ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଦେଶ ସ୍ୱାଧୀନତା ପାଇଲା ପରେ ବି ସେ ଚୁପ ହୋଇ ବସି ନଥିଲେ । ସମାଜ ସେବାରେ ସେ ନିଜକୁ ମୃତୁ୍ୟ ପର୍ଯ୍ୟନ୍ତ ସାମିଲ କରି ରଖିଥିଲେ । ଏପରିକି ଅଣବନ୍ଦୀ ସଂଗ୍ରାମୀ ମାନଙ୍କ ପାଇଁ ପେନସନ୍ ଯୋଗାଇବା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ବହୁ ଦିନଧରି ଏ ପ୍ରସଙ୍ଗରେ ଲଢେଇ କରିଥିଲେ । ଏଥିପାଇଁ ସେ ଏ ଅଞ୍ଚଳରେ ବହୁ ଲୋକ ମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

ସ୍ୱାଧୀନତା ଆନେ୍ଦାଳନ ଓ ସମାଜ ସେବା ଭିତରେ ଥାଇ ବି ସେ ନିଜ ପରିବାର ପ୍ରତି ଯତ୍ନଶୀଳ ଥିଲେ । ତାଙ୍କର ତିନି ପୁଆ ଓ ଗୋଟିଏ ଝିଅ ସମସ୍ତେ ଉଚ୍ଚ ଶିକ୍ଷିତ । ସେମାନଙ୍କୁ ସତ୍ ପଥରେ ପରିଚାଳିତ ହେବା ପାଇଁ ସବୁ ବେଳେ ପରାମର୍ଶ ଦେଉଥିଲେ । ସେ ସବୁବେଳେ କହୁଥିଲେ ବଡ ମଣିଷ ହେବା ଭାରି ସହଜ କିନ୍ତୁ ଭଲ ମଣିଷ ହେବା ଭାରି କଷ୍ଟ । ବଡପୁତ୍ର ଦେବେନ୍ଦ୍ର କୁମାର ମଲ୍ଲିକ ଏବେ ରାଜନୀତିରେ । ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓ ପିତାଙ୍କୁ ଅନୁସରଣ କରି ଜନେବାରେ ନିଜକୁ ନିୟୋଜିତ କରିଛନ୍ତି ।

ସେହିପରି ମଧ୍ୟମ ପୁତ୍ର ପ୍ରଶାନ୍ତ କୁମାର ମଲ୍ଲିକ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କୋଚିଙ୍ଗ୍ ସେଣ୍ଟରର ନିଦେ୍ର୍ଦଶକ ଓ କନିଷ୍ଟ ପୁତ୍ର ଜ୍ଞାନରଞ୍ଜନ ମଲ୍ଲିକ ହାଇଦ୍ରାବାଦରେ ଏକ କମ୍ପାନିରେ କାର୍ଯ୍ୟରତ । ବଡବୋହୂ ବିଜୟିନୀ ମଲ୍ଲିକ ବିରିତୋଳ ପଞ୍ଚାୟତର ସମିତି ସଭ୍ୟା । ସତେ ଯେମିତି ଲାଗୁଛି ନଟ ବାବୁ ତାଙ୍କ ପିଲାମାନଙ୍କୁ ଅତ୍ମନିର୍ଭରଶୀଳ କରାଇ ଜଣେ ସଫଳ ପିତା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି ଏବଂ ପିଲାମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ।

ସବୁରି ପ୍ରିୟ ନଟବାବୁ ଆଜି ଚିରନିଦ୍ରାରେ । ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାଇଜକୁ, ଯେଉଁଠାକୁ ଜଣେ ଥରେ ଗଲେ ଆଉ ଫେରିଆସେନା ।ା ହେଲେ ତାଙ୍କ ଅବର୍ତ୍ତମାନର ଦିନ ଯେତେ ଗଡି ଗଡି ଯାଉଛି ତାଙ୍କ ସ୍ମୃତି ସେତେ ବେଶି ମନେ ପଡୁଛି । ସତେ ଯେମିତି ଲାଗୁଛି ନଟ ବାବୁଙ୍କର ମୃତୁ୍ୟ ହୋଇନାହିଁ । ସେ ଆମ ଆଖିରେ ଏକ ଜୀବନ୍ତ ମଣିଷ ଭଳି ବଞ୍ଚିରହିଛନ୍ତି ।

Leave A Reply