ଭୁବନେଶ୍ୱର, ୨୮ ଅକ୍ଟୋବର – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେଇଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୨୦ ମୌସୁମୀଋତୁ ରେ ଓଡ଼ିଶାରେ ୧ଜୁନ ରୁ ୨୮ଅକ୍ଟୋବର ମଧ୍ୟରେ ୧୩୦୨.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭିବକ ବର୍ଷା ୧୨୫୧.୨ ମିମି ଠାରୁ ୪ ପ୍ରତିଶତ ଅଧିକ । ଝାରସୁଗୁଡା, ଦେବଗଡ ଏବଂ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୨୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ବୁଧବାର ଦିନ ଓଡ଼ିଶା ସମେତ ସମଗ୍ର ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତନ ହୋଇଯାଇଛି । ଅନ୍ୟପକ୍ଷରେ ଆଜିଠାରୁ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଜି ରାଜ୍ୟରେ ଉତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ସହ ଏସବୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ କିଛି ଦଶନ୍ଧିରେ ସବୁଠାରୁ ବିଳମ୍ବରେ ପ୍ରତ୍ୟାବର୍ତନ କରିଛି । ୨୦୧୦ରେ ମୌସୁମୀ ଅକ୍ଟୋବର ୨୬ରେ ପ୍ରତ୍ୟାବର୍ତନ କରିଥିବାବେଳେ ୨୦୧୧ରେ ଅକ୍ଟୋବର ୨୪,୨୦୧୩ରେ ଅକ୍ଟୋବର ୧୯ ଓ ୧୯୮୫ରେ ଅକ୍ଟୋବର ୧୭ରେ ପ୍ରତ୍ୟାବର୍ତନ କରିଥିଲା ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା । ସେହିପରି ଜୁନ ୧୧ରେ ଏହା ଓଡ଼ିଶାରେ ପହଂଚିଥିଲା ।