Odisha news

ମାସକରେ ୫୦ରୁ ଅଧିକ ବୈଠକରେ ଯୋଗ ଦେଲେ ମୋଦି

0

ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବଜନିତ ସଙ୍କଟର ନିରାକରଣ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଗତ ପ୍ରାୟ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ରୁ ଅଧିକ ଉପସ୍ଥାପନ ଓ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ନିୟମିତ ପ୍ରତ୍ୟକ୍ଷ ସମ୍ପୃକ୍ତି ଭଳି କାର୍ଯ୍ୟ ଏବଂ ସର୍ବାଧାରଣ କାର୍ଯ୍ୟକ୍ରମ ନ ଥିବାରୁ ଗୋଟିଏ ଦିନରେ ଏକାଧିକ ଭର୍ଚ୍ୟୁଆଲ ଆଲୋଚନାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଥେଷ୍ଟ ସମୟ ଥିଲା । ପ୍ରାୟ ୧୦ଜଣ ବ୍ୟକ୍ତି ଯୋଗ ଦେଉଥିବା ଏହି ସମୀକ୍ଷା ବୈଠକ ସବୁ ହାରାହାରି ଦୁଇ ଘଂଟା ଧରି ଚାଲୁଥିଲା । ଏମିତି ହିସାବ କଲେ ପ୍ରଧାନମନ୍ତ୍ରୀ ଏଥିପାଇଁ ସମୁଦାୟ ୧୦୦୦ ଘଂଟା ସମୟ ବ୍ୟୟ କରିଛନ୍ତି ବୋଲି ଶୀର୍ଷସ୍ତରୀୟ ଅଧିକାରୀମାନେ କହିଛନ୍ତି । ଅଭିବୃଦ୍ଧି ବଢ଼ାଇବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଏହି ସବୁ ବୈଠକ ଅନୁଷ୍ଠିତ ହୋଇଛି । ଭିତିଭୂମି ପରିଚାଳନା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଜନସାଧାରଣଙ୍କ ଜୀବନଯାତ୍ରା ସହଜ କରିବାକୁ ଗରିବ ଏବଂ ମଧ୍ୟବିତ ଶ୍ରେଣୀକୁ ସୁହାଇବା ଭଳି ଜନମଙ୍ଗଳ ଜଯୋଜନା କରିବା ଆଦି ସଂକ୍ରାନ୍ତରେ ଏକାଧିକ ବୈଠକ ଆୟୋଜିତ ହୋଇଚି । ବନ୍ଦରମାନଙ୍କ ଆଖପାଖରେ ଥିବା ଜମି ବ୍ୟବହାର, ସ୍ୱଚ୍ଛତା ଉନ୍ନତ କରିବାକୁ ଫେସ୍‌ଲେସ୍ ଟ୍ୟାକ୍ସ ଆସେସମେଂଟ, ସ୍ଥାନୀୟ ସରକାରୀସ୍ତରରେ ରାଜ୍ୟର ସାମର୍ଥ୍ୟ ବଢ଼ାଇବାକୁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ମଫସଲ ଅଂଚଳରେ ଅନଲାଇନ ଶିକ୍ଷା ପ୍ରସାର ଲାଗି ଯୋଜନା ଏବଂ ‘ଡିବିଟି’ ଯୋଜନାରେ ଅଧିକ ‘ୟୁପିଆଇ’ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମହାମାରୀକୁ ଚାହିଁ ଅଧିକ ସଂସ୍କାର ବ୍ୟବସ୍ଥା କରିବାକୁ ଏହି ବୈଠକରେ ନୀତି ଆୟୋଗ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା ପରିଷଦ୍ ଏବଂ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ପ୍ରସ୍ତାବନା ଉପସ୍ଥାପନ କରିଥିଲେ ।

Leave A Reply