ଚଣ୍ଡିଖୋଲ : ବଡ଼ଚଣାରେ ଭୟାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ମଣୀ ଓ ମହାନଦୀ ସିଷ୍ଟମରେ ଆସିଥିବା ଏହି ବନ୍ୟା ବଡ଼ଚଣାର ୨୩ଗୋଟି ପଂଚାୟତକୁ ପ୍ରଭାବିତ କରିଛି । ତେବେ ଏଭଳି ପରିସ୍ଥିତିରେ ଆଜି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ବିଧାୟକ ଶ୍ରୀ ଶତପଥୀ କୁନ୍ଦଳ, ଅଣକା, ବାଲିଚନ୍ଦ୍ରପୁର, ପତରାଜପୁର, ଚାରିନଙ୍ଗଳ, ଗୋପାଳପୁର, ମାଣ୍ଡୁକା ଓ ବାଲିପଡ଼ିଆ ଆଦି ପଂଚାୟତମାନଙ୍କରେ ଉପୁଜିଥିବା ବନ୍ୟା ପରିସ୍ଥିତି ବୁଲି ଦେଖିଥିଲେ ।
ତାଙ୍କ ସହ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ତହସିଲଦାର ବରଣେନ୍ଦୁ ମହାନ୍ତି, ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ନିରଂଜନ ସେନାପତି, ସଂଜୟ ପାତ୍ର, ଅନିରୁଦ୍ଧ ସାମଲଙ୍କ ସମେତ ବିଭିନ୍ନ ବିଭାଗର ବହୁ ଅଧିକାରୀ ବନ୍ୟାଂଚଳ ପରିଦର୍ଶନ କରିଥିଲେ । ଅପରାହ୍ନ ୪ଟାରେ ଚଣ୍ଡିଖୋଲ ଡ଼ାକବଙ୍ଗଳା ଠାରେ ବନ୍ୟା ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ବିଧାୟକ ଶତପଥୀ ଅଧ୍ୟକ୍ଷତା କରି କହିଲେ ଯେ, ଚଳିତ ବର୍ଷର ବନ୍ୟା ବିଗତ ବହୁ ବନ୍ୟା ବିଭିଷିକାକୁ ଟପି ଯାଇଛି । ବଡ଼ଚଣାରେ ୨୩ ଗୋଟି ପଂଚାୟତ ଏହି ବନ୍ୟାରେ ପ୍ରଭାବିତ ହୋଇଥିଲା ବେଳେ ୧୦୧ଟି ଗ୍ରାମ ପ୍ରଭାବିତ ହୋଇଛି ବୋଲି ସେ ସୁଚନା ଦେଇଥିଲେ । ସେହିପରି ଚଳିତ ବନ୍ୟାରେ ଦେଢ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସମୀକ୍ଷା ବୈଠକରେ ଯୋଗଦେଇ ତହସିଲଦାର ଶ୍ରୀ ମହାନ୍ତି ସୁଚନା ଦେଇଥିଲେ ।
ବଡ଼ଚଣା ଅଂଚଳର ୭ହଜାର ୭ଶହ ୮୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ୍ କୁଷି ଅଧିକାରୀ ଲୋକନାଥ ମିଶ୍ର ସୁଚନା ଦେଇଥିଲା ବେଳେ ୩ହଜାର ୩ଶହ ୬୬ ଗାଈଗୋରୁ ଓ ୧୧ହଜାର ୩ଶହ ୩୪ ଛେଳି ମେଣ୍ଡା, କୁକୁଡ଼ା, ବତକ ପ୍ରଭାବିତ ହୋଇଥିବା ନେଇ ବ୍ଲକ୍ ସହକାରୀ ପ୍ରଣୀ ଚିକିତ୍ସାଧିକାରୀ ଡ଼ଃ ସାସ୍ୱତ କୁମାର ରାଉତ ସୁଚନା ଦେଇଥିଲେ । ତେବେ ଚଳିତ ବର୍ଷ ବନ୍ୟାରେ କ୍ଷତିଗ୍ରସ୍ତ ଗାଈଗୋରୁ ପାଇଁ ୨୬୬ମେଟ୍ରିକ ଟନ୍ ଗୋଖାଦ୍ୟ ଏବଂ ବନ୍ୟାରେ ଭାଙ୍ଗିଥିବା କଚା ଘର ପରିବାର ପାଇଁ ଆବଶ୍ୟକ ମୁତାବକ ପଲିଥିନ ଯୋଗାଇ ଦେବା ପାଇଁ ଜିଲା ପ୍ରଶସନକୁ ପ୍ରସ୍ଥାବ ଦିଆଯାଇଥିବା ନେଇ ବି.ଡ଼ି.ଓ ଅଜିତ ନାରାୟଣ ପ୍ରସାଦ ଗିରି ସମୀକ୍ଷା ବୈଠକରେ ସୁଚନା ଦେଇଥିଲେ । ଚଳିତ ବନ୍ୟାରେ ପାଣି ଘେରରେ ଥିବା ବିପନ୍ନ ମାନଙ୍କ ପାଇଁ ସାପ କାମୁଡ଼ା ଭୟ ଥିବାରୁ ବିପୁଳ ପରିମାଣର ସାପ କାମୁଡ଼ା ଇଜେକସନ ମହଜୁଦ ରଖିବା ପାଇଁ ବିଧାୟକ ଶ୍ରୀ ଶତପଥି ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେବା ସହିତ ଏଭଳି ଏକ ଦୁର୍ଦ୍ଦିନ ସମୟରେ ସରକାରଙ୍କ ସମସ୍ତ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହି ବନ୍ୟା ବିପନ୍ନମାନଙ୍କୁ ସହଯୋଗ ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀ ଶତପଥୀ ନିଦେ୍ର୍ଦଶ ଦେଇଥିଲେ