Odisha news

ଭଞ୍ଜନଗର : ପ୍ରଶାସନର ହସ୍ତକ୍ଷେପ ପରେ ନୂଆଁପଡାକୁ ଗଲେ ୧୫ ଇଟା ଶ୍ରମିକ, ୧୮ ଶ୍ରମିକ ଯିବେ ଛତିଶଗଡ

0

ଭଞ୍ଜନଗର : ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଦୂରଦୂରାନ୍ତରୁ ଆସି ଲକ ଡାଉନ୍ରେ ଫଶିଥିବା ବହୁ ଇଟା ଶ୍ରମିକ ଏବେ ନିଜ ନିଜ ଅଞ୍ଚଳକୁ ଫେରିପାରିଛନ୍ତି । ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଭୁକ୍ତାଭୂମି ଗ୍ରାମରୁ ଭଞ୍ଜନଗର ଚାଲି ଚାଲି ଆସିଥିବା ନୂଆଁପଡା ଜିଲ୍ଲାର ୪ଟି ଇଟା ଶ୍ରମିକ ପରିବାରର ୧୫ଜଣ ସଦସ୍ୟଙ୍କୁ ବୁଧବାର ରାତିରେ ଏଠାରୁ ୨ଟି ବୋଲେରୋ ଯୋଗେ ନିଜ ଗ୍ରାମକୁ ପଠାଇ ଦିଆଯାଇଛି ।

ସେହିପରି ୧୦ ଦିନ ତଳେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଇଟାଶ୍ରମିକଭାବେ କାର୍ଯ୍ୟରତ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ୭୦ରୁ ଉର୍ଦ୍ଧ ଇଟାଶ୍ରମିକ ଚାଲିଚାଲି ଭଞ୍ଜନଗର ଯାଏଁ ଆସିବାପରେ ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ ସେମାନଙ୍କୁ ସୋରାଦେବୀ ମନ୍ଦିର ନିକଟରୁ ଉଦ୍ଧାରକରି ପ୍ରଥମେ ମୁଜାଗଡ ଓ ପରେ ବେଡିଗୋବା ସଂଗରୋଧ କେନ୍ଦ୍ରରେ ରଖିବାପରେ ନିକଟରେ ସେମାନଙ୍କୁ ସ୍ୱତନ୍ତ୍ର ବସଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବେଲଗୁଣ୍ଠା ବ୍ଲକର ପାଇଲିପଡା ସଂଗରୋଧ କେନ୍ଦ୍ରକୁ ବୁଲିବାକୁ ଯାଇଥିବାବେଳେ ସେଠାରେ ଛତିଶଗଡ ରାଜ୍ୟର ୧୮ ଇଟା ଶ୍ରମିକ ନିଜର ଅସହାୟତା ପ୍ରକାଶକରି ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।

ଆଉ ଉପଜିଲ୍ଲାପାଳ ମିଞ୍ଜ ଏହି ଇଟାଶ୍ରମିକମାନଙ୍କ ଦୁଃଖ ଶୁଣିବାପରେ ଶୁକ୍ରବାର ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ଏମାନଙ୍କୁ ନିଜ ରାଜ୍ୟକୁ ଫେରିବାପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି । ମିିଳିଥିବା ସୂଚନାପ୍ରକାରେ ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଭୁକ୍ତାଭୂମି ଗ୍ରାମରେ ଇଟା ଶ୍ରମିକଭାବେ ନୂଆଁପଡା ଜିଲ୍ଲାର ବନ୍ଧପଡା ଗ୍ରାମର ୪ଟି ପରିବାର ଇଟାଶ୍ରମିକଭାବେ ଗତ ୪ମାସ ହେଲା କାର୍ଯ୍ୟ କରି ଆସୁଥିଲେ । ତେବେ ଲକ୍ ଡାଉନ୍ ପରେ କାମ ବନ୍ଦ ଯୋଗୁଁ ଏମାନେ ସେଠାରେ ଫସି ରହିଥିଲେ ।

ଧୀରେଧୀରେ ସେମାନଙ୍କ ଚଳିବା କଷ୍ଟକର ହେବାରୁ ଏହି ୪ଟି ପରିବାର ଇଟାଭାଟି ମାଲିକଙ୍କ ସହ ଆଲୋଚନା କରି ନିଜ ନିଜ ଘରକୁ ଫେରିବାକୁ ମନସ୍ଥ କରିଥିଲେ । ତେବେ ଗାଡି ନଥିବା କାରଣରୁ ଏହି ଶ୍ରମିକମାନେ ଜଗନ୍ନାଥପ୍ରସାଦରୁ ଚାଲି ଚାଲି ବୁଧବାର ସକାଳୁ ଭଞ୍ଜନଗରରେ ପହଞ୍ଚିଥିଲେ । ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖି କିଛି ବଦାନ୍ୟବ୍ୟକ୍ତି ସେମାନଙ୍କୁ ଭଞ୍ଜନଗର ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ରହିବା ବ୍ୟବସ୍ଥା କରି ତହସିଲଦାରଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ ।

ପରେ ଏହି ଶ୍ରମିକ ପରିବାରମାନେ ତହସିଲଦାର ଆଲୋକ ପ୍ରଧାନଙ୍କୁ ଭେଟିବାପରେ ସେ ଏମାନଙ୍କ ଘର ବାହୁଡା ପାଇଁ ବ୍ୟବସ୍ଥା କରିଥିଲେ । ବୁଧବାର ରାତିରେ ୨ଟି ବୋଲେରୋରେ ଏହି ଶ୍ରମିକମାନେ ନିଜ ଅଞ୍ଚଳକୁ ଫେରିଥିବା ତହସିଲଦାର ସୂଚନା ଦେଇଛନ୍ତି । ଅପରପକ୍ଷରେ ଶୁକ୍ରବାର ଛତିଶଗଡର ୧୮ ଶ୍ରମିକ ନିଜ ନିଜ ଅଞ୍ଚଳକୁ ଫେରିବେବୋଲି ଉପଜିଲ୍ଲାପାଳ ମିଞ୍ଜ ସୂଚନା ଦେଇଛନ୍ତି ।

Leave A Reply