ପାରାଦୀପରେ ଏକ ଘରୋଇ କମ୍ପାନିର କାର୍ଯ୍ୟରତ ୨୧ ଜଣ ଶ୍ରମିକ ଆଜି ପାରାଦୀପରୁ ପାଦରେ ଚାଲି ଚାଲି ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ସଂକ୍ରାନ୍ତରେ ଖବର ପାଇ ତୁରନ୍ତ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଳୀପ ମହାନ୍ତି ଗାଡ଼ି କରି ଅଧାରାସ୍ତାରୁ ସେମାନଙ୍କୁ ଫେରାଇ ଆଣି ପୁଣି ଥରେ ସଙ୍ଗରୋଧ ଗୃହରେ ରଖିଛନ୍ତି । ଏହି ଶ୍ରମିକମାନେ ପାରାଦୀପରେ ଥିବା ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ । ସେମାନେ ସମସ୍ତେ ରଙ୍ଗିଆଗଡ଼ରେ ରହୁଥିବା ବେଳେ ପ୍ରଥମରୁ ହିଁ ସେମାନଙ୍କୁ ପ୍ରଶାସନ ଆଣି ବିଜୁ ସଦନ ସଙ୍ଗରୋଧ ଗୃହରେ ରଖିଥିଲେ ।