Odisha news

ମୌସମୀ ଧୋକ୍କାରେ ଚାଷୀ ଅସହାୟ! ମହାମାରୀ ପ୍ରଭାବିତ ଓଡିଶାରେ ମରୁଡିର ପଦଧ୍ବନି!

ପ୍ରଦୋଷ କୁମାର ଦାସ, ସଂପାଦକ:- ” ପରିପ୍ରକାଶ” : ବର୍ଷା ଅଭାବରୁ ସାରା ରାଜ୍ୟରେ ଏବେ ମରୁଡି ଭଳି ପରିସ୍ଥିତି। ରାଜ୍ୟରେ ଚଳିତ ବର୍ଷ ୩୫ ଲକ୍ଷ ହେକ୍ଟର ରୁ ଉର୍ଦ୍ଧ୍ବ ଜମିରେ ଖରିଫ ଧାନ ଫସଲ ଚାଷ କରାଯାଇଛି। ବର୍ଷା ଅଭାବରୁ ବର୍ତ୍ତମାନ ସୁଦ୍ଧା ଏଥିରୁ ସିଧା ସଳଖ ୧୧ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଗୁରୁତର ପ୍ରଭାବିତ ହୋଇଥିବା ରିପୋର୍ଟ କହୁଛି। ଏସବୁ ଜମିରେ ଧାନ ଗଛ ମରି ନଥିଲେ ମଧ୍ୟ ଜଳାଭାବରୁ ଗଛ ସବୁ ବୁଢା ହୋଇ କ୍ଷେତରେ ଘାସ ଓ ବାଳୁଂଗା ଚରିଯାଇଥିବା ଜଣାଯାଇଛି। ଜଳାଭାବରୁ ଜମିର ବଛାବଛି କାର୍ଯ୍ୟ ସପନ ସମାନ ଲାଗୁଛି।
ଅସହାୟ ଚାଷୀ ଏବେ ବର୍ଷାକୁ ଚାତକ ଭଳି ଅନାଇ ରହିଛି।

ଆଷାଢ ଗଲା। ଶ୍ରାବଣ ବି ଗଲା। ଭାଦ୍ରବ ଚାଲିଲା। ମୌସମୀ କୁଆଡେ ଗଲା? ଆଷାଢ ପଶନ୍ତେ ଓଡିଶା ଆକାଶରେ ମୁହଁ ଦେଖାଇ କୁଆଡେ ହଜିଗଲା ଏଇ ମୌସମୀ?!
ସାମାନ୍ୟ ବିଳମ୍ବ ହେଲେବି ଠିକଣା ସମୟରେ ମୌସମୀ ଆସିଥିବାରୁ ଅନୁମାନ କରାଯାଉଥିଲା, ଚଳିତ ବର୍ଷ ବୋଧେ ବର୍ଷା ସ୍ବଭାବିକ ହେବ ଓ

ପୂର୍ବବର୍ଷ ଠାରୁ ଏସନ ଅଧିକ ଅମଳ ମଧ୍ୟ ହେବ। ହେଲେ ନିଅଣ୍ଟିଆ ବର୍ଷା ଚାଷୀ ଭାଇର ଆଖିରେ ଲୁହର ବର୍ଷା କେବଳ ଆଣିଛି।
ଏମିତିରେ ବି ଅକ୍ଷୟ ତୃତୀୟାରେ ଚାଷୀ ବିଲରେ ଅକ୍ଷିମୁଠି ଅନୁକୂଳ କରି ବିଲରେ ଧାନ ବୁଣିବା କଥା। ହେଲେ ମୌସମୀ ବର୍ଷା ସାମାନ୍ୟ ବିଳମ୍ବିତ ହେବାରୁ ଓଡିଶାର ପ୍ରାୟ ଅନେକ ସ୍ଥାନରେ ଚାଷୀମାନେ ବିଲରେ ଧାନ ବୁଣିବାକାର୍ଯ୍ୟ ପ୍ରାୟ ୨୦ ଦିନ ପଛେଇ ଯାଇଥିଲେ। ଆବଶ୍ୟକ ବର୍ଷା ଅଭାବରୁ ଶୁଖିଲା କ୍ଷେତରେ ରୁଆ ବେଉଷଣ କାମ ପୁଣି ପଛେଇଗଲା। ରାଜ୍ୟରେ କୃଷି ବିଭାଗ ଓ ପାଣିପାଗ ବିଭାଗର ପାଣିପାଗ ପୂର୍ବାନୁମାନ ଏବେ ଫସର ଫାଟିଯାଇଛି। ବର୍ଷା ଅଭାବରୁ ଅନେକ କ୍ଷେତର ରୁଆ ତଳି ଶୁଖି ଉଜୁଡିଗଲାଣି। ଅନେକ କ୍ଷେତରେ ବଛା ଖେଳା, ବେଉଷଣ ବାଧାପ୍ରାପ୍ତ ହୋଇଛି। ବର୍ଷା ଅଭାବ ଓ ଜଳସେଚନ ଅଭାବରୁ କ୍ଷେତରେ ଚାଷୀ ଲଗାଇଥିବା ତଳି ହଳଦିଆ ପଡିବାକୁ ବସିଲାଣି। ଜଳ ସେଚନ ନଥିବା ଓ ଢିପ ଜମି କଥା ନକହିଲେ ଭଲ। ସେଠାରେ ଥିବା ବହୁ ଜମିରେ ଗାଈଗୋରୁଙ୍କୁ ଏବେ ଉଦା ଛାଡିଦିଆଯାଇଛି।

ସେହି ଉଜୁଡା କ୍ଷେତରେ ଗାଈଗୋରୁ ଚରୁଥିବା ଦେଖିଲେ ହୃଦୟ ଫାଟିଯିବା ଭଳି ଲାଗୁଛି।! ଚାଷୀ ଭାଇ ମୌସମୀ ବିହୁନେ ଏବେ ଉଜୁଡା କ୍ଷେତକୁ ଅନାଇ ଲୁହ ନିଗାଡୁଛି। ମହାମାରୀ ଅବସରରେ ଗତ ଜୁନ ଓ ଜୁଲାଇ ମାସ ହୋଇ ଲଗାତର ୨ ମାସ ଯାଇ ଏବେ ଅଗଷ୍ଟ ମାସ ମଧ୍ୟ ସରିବାକୁ ବସିଲାଣି,ମୌସମୀ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଏବେ ଫେଲ ମାରିଛି। ସାରା ରାଜ୍ୟର ଚାଷୀକୂଳ ଏବେ ନିଅଣ୍ଟିଆ ବୃଷ୍ଟିପାତର ସମସ୍ୟାରେ ଯୁଝିଚାଲିଛି। ପାଣିପାଗ ବିଭାଗ ତଥ୍ୟ ମୁତାବକ, ଗତ ଜୁନ ମାସରେ ସାରା ରାଜ୍ୟରେ ସ୍ବଭାବିକ ବର୍ଷା ଠାରୁ ୩% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗତ ଜୁଲାଇ ମାସରେ ୧୯% ନିଅଣ୍ଟିଆ ବର୍ଷା ହୋଇଥିବା ପ୍ରକାଶ। ଆଶା ଥିଲା ଅଗଷ୍ଟ ପ୍ରାରମ୍ଭରୁ ମୌସମୀ ସକ୍ରିୟ ହୋଇ ଆବଶ୍ୟକ ପରିମାଣରେ ବର୍ଷା ହୋଇଗଲେ ଗତ ୨ ମାସର ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ।ହେଲେ ଚଳିତ ଅଗଷ୍ଟ ଶେଷ ହେବାକୁ ବସିଲା, ଓଡିଶାର କିଛି ଅଂଚଳରେ କାଁ ଭାଁ ବର୍ଷା ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କେଉଁଠି ମଧ୍ୟ ଚାଷ ଉପଯୋଗୀ ବର୍ଷା ହୋଇପାରିନାହିଁ। ରେକର୍ଡ ମୁତାବକ ଗତ ଅଗଷ୍ଟ ମାସ ୧ରୁ ୨୦ ତାରିଖ ମଧ୍ୟରେ ସାରା ଓଡିଶାରେ ହୋଇଥିବା ଶତକଡା ୫୦ ଭାଗରୁ ଅଧିକ ନିଅଣ୍ଟିଆ ବର୍ଷା ଚଳିତ ଖରିଫ ଧାନ ଫସଲର ସୁରକ୍ଷା ଓ ଅମଳ ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି। ଓଡିଶାରେ ଏସନ ଚାଷୀ ଓ ଚାଷକୁ ନେଇ ଉଭୟ କୃଷି ବିଭାଗ ଓ ପାଣି ପାଗ ବିଭାଗ ମଧ୍ୟ ଉଦବେଗ ପ୍ରକାଶ କରୁଥିବା ପ୍ରକାଶ।

ରାଜ୍ୟର ମୋଟ ୩୧୪ ବ୍ଲକ ମଧ୍ୟରୁ ୨୨୦ ବ୍ଲକରେ ସର୍ବନିମ୍ନ ଆବଶ୍ୟକ ୧୩୫ ମିମିରୁ କମ୍ ବୃଷ୍ଟିପାତ ହୋଇଥିବାରୁ ବିଲରେ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ୭୩ରୁ ଅଧିକ ଅନେକ ବ୍ଲକ ଅଧିନ ବିଲମାନଙ୍କରେ ସର୍ବନିମ୍ନ ଧାନଗଛ ବଞ୍ଚିରହିବା ପାଇଁ ଆବଶ୍ୟକ ୬୦ ମିମି ବର୍ଷା ମଧ୍ୟ ହୋଇପାରିନାହିଁ। ରାଜ୍ୟର ୩୦ ଜିଲା ମଧ୍ୟରୁ ୨ଟି ଜିଲା କୋରାପୁଟ ଓ ମାଲକାନଗିରି କୁ ଛାଡିଦେଲେ ବାକି ୨୮ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି। ଅନୁଗୁଳ, ବରଗଡ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର,ମୟୁରଭଂଜ, ପୁରୀ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଆଦି ମୈଟ ୧୪ ଟି ଜିଲ୍ଲାରେ ୫୯% ରୁ ଅଧିକ ନିଅଣ୍ଟିଆ ବର୍ଷା ରହିଥିବା ବେଳ ବୌଦ୍ଧ ଜିଲ୍ଲାରେ ୬୮.୮ %, ଅନୁଗୁଳ ଜିଲ୍ଲାରେ ୬୮.୭% ତଥା ସର୍ବାଧିକ କନ୍ଧମାଳରେ ୭୧% ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କହୁଛି। ଏପରି ପରିସ୍ଥିତି ହୁଏତ କରାଳ ମରୁଡି ପରିସ୍ଥିତି ଡାକି ଆଣିପାରେ ବୋଲି ରାଜ୍ୟବାସୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଲାଣି।

ଏଭଳି ଆଶଙ୍କିତ ପ୍ରାକ୍ ମରୁଡି ପରିସ୍ଥିତିକୁ ଯତପରୋନାସ୍ତି ମୁକାବିଲା କରିବାର ଅବକାଶ ଆସିଛି। ରାଜ୍ୟର ସମସ୍ତ ୩୦ ଜିଲ୍ଲା ଅଧିନ ମୋଟ ୩୧୪ ବ୍ଲକରେ ରହିଥିବା ଉଠା ଜଳସେଚନ ପଏଣ୍ଟ , ଜଳ ଛାୟା, ଝର ପୁଷ୍କରିଣୀ, ଗଭୀର କୂପ, କେନାଲ, ବନ୍ଧ ସମେତ ଝରଣା, ନଦନଦୀ ଜଳ ଉତ୍ସର ଆବଶ୍ୟକ ତ୍ବରିତ ବିନିଯୋଗ ନିମନ୍ତେ ସରକାର ବିଭାଗୀୟ ସ୍ତରରେ ପଦକ୍ଷେପ ନେବା ବିଧେୟ। ପ୍ରତି ବ୍ଲକ ସ୍ତରରେ କୃଷି ବିଭାଗ ଓ ଜଳସେଚନ ବିଭାଗ ସ୍ଥାନୀୟ ଜନସାଧାରଣ, ଚାଷୀଙ୍କ ସହ ଗୋଷ୍ଠୀଗତ ପାରସ୍ପରିକ ସମନ୍ବୟ ରକ୍ଷା କରି କିପରି ଉଜୁଡିଯାଉଥିବା ଚାଷ ଜମିକୁ ଜଳ ଯୋଗାଣ ହୋଇ ପାରିବ ବିଚାର କରିବା ବିଧେୟ। ସରକାରୀ ସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଷର ସୁରକ୍ଷା ପାଇଁ କ୍ଷେତକୁ ଜଳଯୋଗାଣ ନିମନ୍ତେ ବିଭାଗୀୟ ଅଧିକାରୀ ଓ କୃଷି ବୈଷୟିକ ବିଭାଗ କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ସରଜମିନ ତଦନ୍ତ ଓ ଅନୁସନ୍ଧାନ କରି ତ୍ବରିତ ପଦକ୍ଷେପ ନେବା ଜରୁରୀ। ଚାଷୀଟି ହାତଉଧାର, ବ୍ୟାଙ୍କ ଋଣ,ମୂଲମଜୁରୀ ଖଟାଇ କରିଥିବା ଫସଲ ଯଦି ଉଜୁଡିଯାଏ, ତେବେ ଆଗାମୀ ଦିନରେ ସେ ଅଭାବଅନଟନରେ ପଡିବ ହିଁ ପଡିବ। ଏଣୁ କୃଷି ବିଭାଗ ଫାଇଲ ଚାଷରେ ମନ ନଦେଇ କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇ କୃଷି ଓ ଚାଷୀର ଉନ୍ନତିରେ ସରକାରଙ୍କ ପ୍ରଣୀତ ବିଭିନ୍ନ ଚାଷ ଓ ଚାଷୀ କଲ୍ୟାଣକାରୀ ଯୋଜନାର ସଫଳ ରୁପାୟନ କରିବା ନିହାତି ଜରୁରୀ।

ଏଦିଗରେ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ, ରାଜନୀତିଜ୍ଞ ବ୍ୟକ୍ତିଗତ ସ୍ବାର୍ଥ ଓ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଚାଷୀ ଓ ଚାଷର ସୁରକ୍ଷା ପାଇଁ ସସରକାର ଓ ବିଭାଗୀୟ ସ୍ତରରେ ଯୋଜନାବଦ୍ଧ ସମନ୍ବୟ ରକ୍ଷା କରିବା ଜରୁରୀ। ରାଜ୍ୟରେ କେତେ ଚାଷୀ ଫସଲ ବୀମାରେ ଅନ୍ତର୍ଭୂକ୍ତ ଓ ଚାଷକାର୍ଯ୍ୟରେ ବୈଷୟିକ ଦୃଷ୍ଟିରୁ ଅଭିଜ୍ଞ ବୋଲି କୃଷି ବିଭାଗ ଏବେ ଠାରୁ ତଥ୍ୟାନୁସଂଧାନ କରିବା ଜରୁରୀ। ଚାଷର ଉନ୍ନତିରେ ସକଳ ଜୀବନ ସୁରକ୍ଷା ରହିଛି ବୋଲି କେହି ଭୂଲିଯିବା ଉଚିତ୍ ନୁହେଁ। ମହାମାରୀ ସମୟରେ ଜୀବନ ଜୀବିକା ବିପନ୍ନ ଥିବାବେଳେ ମୌସମୀ ଧୋକାରେ ଏସନ ଚାଷ ଯଦି ଉଜୁଡିଯାଏ, ତେବେ ଏହାର ପ୍ରଭାବରେ ଚାଷୀ ସହ ଆମେ ସଭିଏଁ ମଧ୍ୟ ଖାଦ୍ୟ ସଂକଟର ସମ୍ମୁଖୀନ ହେବା ନିଶ୍ଚୟ। ସରକାର ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ। ନଚେତ୍ ହୁଏତ ଆଗାମୀ ଦିନରେ ଏହି ଅନୀୟମିତ ମୌସମୀ ମରୁଡିକୁ ଡାକି ଆଣି ଫସଲ ନଷ୍ଟର କାରଣ ହୋଇ ଜୀବନ ନାଶକ ଯେ ନ ପାଲଟିବ ବୋଲି କହି ହେବ ନାହିଁ।

Comments are closed.