କୋଣାର୍କ,ସବ୍ୟୁ,କରୋନା ପାଇଁ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ନୀତି ନିୟମକୁ ବେଖାତିର କରି କରୋନା ମୁକାବିଲା ପ୍ରସ୍ତୁତିରେ ଏକାଧିକ ଅନିୟମିତତାକୁ ନେଇ ଚର୍ଚ୍ଚାରେ ଥିବା କୋଣାର୍କ ଥାନା ଅଧିନ ଅବଦାନ ପଂଚାୟତ ପୁଣିଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ।କରୋନା ପାଇଁ ଶ୍ରମିକ ମାନେ ହାତବାନ୍ଧି ବସିଥିବା ସମୟରେ ମନେରଗା ଯୋଜନା ରେ ଶ୍ରମିକ ମାନେ ଯେଉଁ କାର୍ଯ୍ୟ କରୀବା କଥା ସେହି କାର୍ଯ୍ୟକୁ ଅବଦାନ ପଂଚାୟତରେ ମେସିନ ଦ୍ବାରା କରାଯାଇ ପୋଖରୀ ଖୋଳାଯାଉଥିବା ଅଭିଯୋଗ ପଦାକୁ ଆସିଛି ।
ମିଳିଥିବା ସୂଚନା ମୁତାବକ କୋଣାର୍କ ଥାନା ଅଧିନ ଅବଦାନ ପଂଚାୟତର ଓସଳଙ୍ଗ ଗ୍ରାମରେ ଏବେ ମନେରଗା ଯୋଜନାରେ ପୋଖରୀ ଖୋଳା ହେଉଥିବାର ଅଭିଯୋଗ ଜୋର ଧରିବାରେ ଲାଗିଛି ।ମନେରଗା ଯୋଜନାରେ ରାଜ୍ୟର ବିଭିନ୍ନ ଗାଁ କୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ କର୍ମନିଯୁକ୍ତି ଯୋଗାଇଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସମୟରେ ଅବଦାନ ପଂଚାୟତରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଏକାଧିକ ଅନିୟମିତତା ର ନାୟକ ସାଜି ପଂଚାୟତରେ ନାକବୁଡ଼ା ଦୁର୍ନିତିରେ ସାମିଲଥିବା ଏହି ପଂଚାୟତର ଜନୈକ ପଂଚାୟତ ଲୋକ ପ୍ରତିନିଧି ପ୍ରତ୍ୟେକ୍ଷ ଇଙ୍ଗିତରେ ମେସିନ ସାହାଯ୍ୟରେ ଏହି କାର୍ଯ୍ୟ କରାଯାଉଥିବାର ଜଣାପଡ଼ିଛି ।
ମନେରଗା ଯୋଜନାରେ କାର୍ଯ୍ୟ କରି ଏହି ପଂଚାୟତର ଶ୍ରମିକ ପାଇବାକୁ ଥିବା ଅର୍ଥକୁ ବାଟମାରଣ କରିବା ଲାଗି ଯୋଜନାବଦ୍ଧ ଭାବେ ଏହି କାର୍ଯ୍ୟ କରାଯାଉଥିବାର ଅଭିଯୋଗ ହେଉଛି।। ପଂଚାୟତର ସଂପୃକ୍ତ ଠିକାଦାରୀ କରୁଥିବା ତଥାକଥ୍ଇତ ନେତା ଓ ସରକାରୀ ଅଧିକାରୀ ମାନେ ସଲାସୁତ୍ରରେ ଏହି ବେଆଇନ କାର୍ଯ୍ୟ କରାଯାଉଥିବାର ଅଭିଯୋଗ ଜୋର ଧରିଛି ।ବେଆଇନ ଭାବେ ଚାଲିଥିବା ଏହି କାର୍ଯ୍ୟ ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତୁପକ୍ଷଙ୍କ ଅବଗତ କରାଯିବା ସତ୍ତ୍ବେ ମଧ୍ୟ ଅଧିକାରୀ ମାନେ ଏଦିଗରେ କୌଣସି ପଦକ୍ଷେପ ନେଉନଥିବାର ଜଣାପଡ଼ିଛି ।ଏଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହେଉଛି।