ମାଲକାନଗିରି ପୋଲିସ କ୍ୟାଂଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମାଲକାନଗିରିରୁ ସରଜମିନ ତଦନ୍ତ କରି ଫେରିଲା ବିଜେପି ପ୍ରତିନିଧୀ ଦଳ , ରିପୋର୍ଟ ବଦାଳାଇବା ପାଇଁ ଡାକ୍ତରଙ୍କ ଉପରେ ଚାପ ପକାଉଛି ପୋଲିସ : ବିଜେପି
ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ
ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଆଁଙ୍କ ମୃତୁ୍ୟ ପାଇଁ ପୋଲିସ ହିଁ ଦାୟୀ
ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି ଫୁଟେଜ , ଡାକ୍ତରୀ ରିପୋର୍ଟ, ବେଡ ହେଡ ଟିକେଟ ସବୁ ରଖି ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି
ଅପରାଧୀଙ୍କୁ କ୍ଲିନ ଚିଟ ଦେବା ପାଇଁ ପୋଲିସ ଅଂଟା ଭିଡିଛି
ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ନୁହେଁ ବରଂ ଏସପିଙ୍କ ନିଦେ୍ର୍ଦଶରେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରଣ କାରଯାଇଥିଲା
ଭୁବନେଶ୍ୱର,ତା.୧୦/୦୭: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ବିଶେଷ କରି ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଁଆ ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରିଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି , ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ସାମିଲ ଥିଲେ । ସରଜମିନ ତଦନ୍ତରୁ ପୋଲିସ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ସ୍ପଷ୍ଟ ଜଣାପଡିଛି ବୋଲି ପ୍ରତିନିଧୀ ଦଳ ଜାଣିବାକୁ ପାଇଛି । ଡାକ୍ତରୀ ରିପୋର୍ଟ ବଦଳାଇବା ଏବଂ ଘଟଣାକୁ ଚପେଇ ଦେବା ପାଇଁ ମୃତା ମହିଳାଙ୍କୁ ଟିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପୋଲିସ ଚାପ ପକାଉଛି ବୋଲି ବିଜେପି ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଆଁଙ୍କ ମୃତୁ୍ୟ ପାଇଁ ପୋଲିସ ହିଁ ଦାୟୀ । ମୃତା ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ ମାଲକାନଗିରି ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଛି । ମାଲକାନଗିରି ହସ୍ପିଟାଲରେ ମୃତା ମହିଳାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଅଣାଯାଇଥିଲା । ବେଡ ହେଡ ଟିକେଟରୁ ଜଣାପଡିଛି କି, ମହିଳା ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଛି । ସେହି ଟିକେଟକୁ ବି ପୋଲିସ ସିଜ୍ କରିଛି । କୋରାପୁଟ ଡାକ୍ତରଙ୍କ କହିବାନୁଯାୟୀ ମହିଳାଙ୍କ ବେକରେ ସନେ୍ଦହଜନକ ଚିହ୍ନ ଥିଲା । ପୋଲିସ କ୍ୟାଂଟିନ ପଖରୁ ମହିଳାଙ୍କ ଘର ମାତ୍ର ୫ ମିନିଟ ଦୂରରେ ରହିଛି । ସେଠାରେ ଥିବା ଜଣେ ଚାଟାର୍ଡ ଆକାଉଂଟଙ୍କ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ସେହି ଭିଡିଓକୁ ମଧ୍ୟ ପୋଲିସ ସିଜ୍ କରିଛି । ସେହିପରି ମହିଳାଙ୍କ ପାଖ ପଡିଶା ଲୋକମାନେ ପୋଲିସ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ସେମାନଙ୍କ କହିବାନୁଯାୟୀ ସ୍ୱାମୀ ପରିତ୍ୟକ୍ତା ଅବହେଳିତ ମହିଳା ମାନଙ୍କ ସହ ପାଶବିକ ଆକ୍ରମଣ ହେଉଥିଲେ ମଧ୍ୟ ପୋଲିସ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛି । ପୋଲିସ ପାଖରେ ସମସ୍ତ ତଥ୍ୟ ପ୍ରମାଣ ରହିଛି । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି ଫୁଟେଜ , ଡାକ୍ତରୀ ରିପୋର୍ଟ, ବେଡ ହେଡ ଟିକେଟ ସବୁ ରଖି ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି ।
ପୋଲିସ ଦିବାଦୀୟ କୁନ୍ଦୁଲି ଭଳି ଡାକ୍ତରଙ୍କ ରିପୋର୍ଟକୁ ବଦଳାଇବାକୁ ଚେଷ୍ଟା କରୁଛି । ଅପରାଧୀଙ୍କୁ କ୍ଲିନ ଚିଟ ଦେବା ପାଇଁ ପୋଲିସ ଅଂଟା ଭିଡିଛି । ଖାକିରେ ଦାଗ ଲାଗିବା ଭୟରେ ପୋଲିସ ନିଜେ ନିଜକୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି । ମାନକାନଗିରି ଏସପି ଠୁ ଆରମ୍ଭ କରି ଥାନା ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏ ଘଟଣାର ପ୍ରଚ୍ଛଦ ପଟରେ ସାମିଲ ଅଛନ୍ତି । ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ନୁହେଁ ବରଂ ଏସପିଙ୍କ ନିଦେ୍ର୍ଦଶରେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରଣ କାରଯାଇଥିଲା । ରାଜ୍ୟସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବାବେଳେ ଭଂଜନଗର, ବୀରମିତ୍ରପୁର ଏବଂ ମାଲକାନଗିରି ଘଟଣା ଗୃହ ବିଭାଗର ପୋଲିସ ଅଧିକାରୀମାନଙ୍କର କଳା କାରନାମାନକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି ।
ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା । ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି । ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି । ଆଗାମୀ ଦିନରେ ଏ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।