Odisha news

ଗୁରୁପୀଠ ମହିମାଗାଦି ଓ ଶୂନ୍ୟ ଉପାସନା

ଅଲେଖ ଚନ୍ଦ୍ର ସାମଲ, ଓଏଫ୍ଏସ୍ -୧(ଏସ୍ବି) : ତ୍ୟାଗ, ତପସ୍ୟା, ଆତ୍ମଜ୍ଞାନ, ବ୍ରହ୍ମଦୀକ୍ଷା ଓ ବ୍ରହ୍ମଉପାସନାର ଧର୍ମ ମହିମା ଧର୍ମ । ସକଳ ମତବାଦର ସାର ନିର୍ଯାସ ବିଶୁଦ୍ଧ ଅଦ୍ୱୈତ ବ୍ରହ୍ମବାଦରେ ଏହା ପରିପୁଷ୍ଟ ଓ ପରିବର୍ଦ୍ଧିତ । ଏକଦା ପବିତ୍ର ଉକ୍ରଳଭୂମିର ଯୋରନ୍ଦାରେ ଅଙ୍କୁରିତ ହୋଇଥିବା ଏହି ଭୂମାସ୍ପର୍ଶୀ ବିଶାଳ ଧର୍ମବୃକ୍ଷ ସମଗ୍ର ଭାରତବର୍ଷକୁ ଧାର୍ମିକ ଚେତନାରେ ପ୍ଲାବିତ କରୁଛି । ଗୁରୁ ମହିମାସ୍ୱାମୀଙ୍କ ଯୋଗ୍ୟ ଆଜ୍ଞାବାହ ଭାବେ ପ୍ରଥମପନ୍ଥୀ, ଦ୍ୱିତୀୟପନ୍ଥୀ ଓ ବାର୍ତ୍ତମାନିକ ତୃତୀୟପନ୍ଥୀ ବଳକଳଧାରୀ ଅବଧୂତ ସନ୍ୟାସୀ ଧର୍ମପ୍ରଚାର ପ୍ରାରମ୍ଭରୁ ଆଜିସୁଦ୍ଧା ମହିମା ଧର୍ମଧାମର ସୁରକ୍ଷା, ସମୃଦ୍ଧି ଅକ୍ଷୁଣ୍ଣ ରଖି ଆସିଛନ୍ତି । ଗୁରୁସ୍ୱାମୀ ମହିମା ପ୍ରଭୁଙ୍କ ଆଜ୍ଞାରେ କ୍ରମିକ ପରମ୍ପରା ସିଦ୍ଧପନ୍ଥୀ ପୂଜ୍ୟ ବଳ୍କଳଧାରୀ ପର ସନ୍ନ୍ୟାସୀବୃନ୍ଦଙ୍କ ନେତୃତ୍ୱ ଦ୍ୱାରା ହିଁ “ଏକ ପ୍ରଭୁ, ଏକ ଧର୍ମ, ଏକ ଧାମ ଓ ଏକ ସମାଜ – ମହିମାଧର୍ମ ଧାମ ସମାଜ’ ବହୁ ବାଧା ପ୍ରତିବନ୍ଧକ ସତ୍ତ୍ୱେ ସଂପୁଜିତ ଓ ସଂବର୍ଦ୍ଧିତ ହୋଇପାରିଛି । ପ୍ରଭୁଙ୍କ ଆଜ୍ଞା ଏହି ଯେ “ମହିମାଙ୍କ ନାମ ରହିବ ଓ ମହିମାଙ୍କ ଧାମ ରହିବ’ । ଶରୀରରୁ ହାତ ଅଲଗା ହୋଇ ଶରୀର ।

ବଅକ୍ଷରୁ ପତ୍ର ଅଲଗା ହୋଇ ବୃକ୍ଷ କଦାପି ହୋଇପାରିବ ନାହିଁ । ଶରୀର ବା ବୃକ୍ଷରେ ହିଁ ଏମାନଙ୍କର ପରିଚୟ । ତେଣୁ ଏହି ଲକ୍ଷ୍ୟରେ ଧର୍ମସଂଘକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ତ୍ୟାଗମୂର୍ତ୍ତୀ ଅବଧୂତ ବାବାଙ୍କ ନେତୃତ୍ୱରେ କିଛିବର୍ଷ ପୂର୍ବେ ସାପ୍ତାହିକ ଧାର୍ମିକ ଅଧିବେଶନର ଶୁଭାରମ୍ଭ କରାଯାଇଥିଲା । ସେହିଦିନଠାରୁ ଆଜିସୁଦ୍ଧା ଭ୍ରମଣଶୀଳ ଓ ଗାଦି ନୀତିସେବା ନିଯୁକ୍ତ ସାଧୁସନ୍ଥ, ତ୍ୟାଗୀବୈରାଗୀ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରତ୍ୟକ୍ଷ ସମାଗମରେ ମହିମାଗାଦି ସଦରଚୌପାଢ଼ୀ ନିକଟ ସଭାମଣ୍ଡପଠାରେ ପ୍ରତି ବୁଧବାର ଦିନ ଏହା ସଫଳତାର ସହ ଅନୁଷ୍ଠିତ ହୋଇଆସୁଛି ।

ସମସ୍ତ ଶକ୍ତି ଶୂନ୍ୟବ୍ରହ୍ମଙ୍କ ଆଲୋକରେ ଉଦ୍ଭାସିତ । ସେ ମହିମାମୟ ଶକ୍ତି ଆଦି ଅନ୍ତହୀନ । ଶୂନ୍ୟରୁ ସୃଷ୍ଟି ପୁଣି ଶୂନ୍ୟରେ ବିଲୟ । ଶୂନ୍ୟ ହିଁ ପରମବ୍ରହ୍ମ । ଅରୂପା, ଅଜପା ସେ ବିରାଜମାନ ଶୂନ୍ୟ ହୃଦୟରେ, ଶୂନ୍ୟ ମନ୍ଦିରରେ । ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ସେହି ଶୂନ୍ୟ ବ୍ରହ୍ମ ସମସ୍ତଙ୍କୁ ଜାଣନ୍ତି ମାତ୍ର ତାଙ୍କୁ କେହି ଜାଣି ପାରନ୍ତି ନାହିଁ । ସେ ସଭିଙ୍କର ଆଦି ଓ ମହାନ ପୁରୁଷ । ମହିମା ଧର୍ମରେ ଶୂନ୍ୟ ସାଧନା, ଶୂନ୍ୟ ପୁରୁଷଙ୍କର ବର୍ଣ୍ଣନା ରହିଛି । ମାତ୍ର ମହିମା ଧର୍ମ ନାସ୍ତିକବାଦକୁ ଗ୍ରହଣ କରେନାହିଁ ।

ମହିମା ଧର୍ମରେ ଏକମାତ୍ର ଆରାଧ୍ୟ ଦେବତା ଶୂନ୍ୟ ଦେବତା । ଏହି ଧର୍ମର ପ୍ରଚାରକ ସନ୍ଥ ଭୀମଭୋଇଙ୍କ ଭାଷାରେ – “ତେଣୁ ଅନାଦି ଆମ୍ଭ ନାମ, ମୁଁ ଅଟେ ସକାମ ନିଷ୍କାମ ।’ ଭୀମଭୋଇ ପ୍ରଭୁ ମହିମାସ୍ୱାମୀଙ୍କ ଠାରୁ ଉପଦେଶ ଓ କବିତା ଶକ୍ତି ପ୍ରାପ୍ତ ହୋଇ ମହିମାଧର୍ମର ପ୍ରଥମ ଗୃହସ୍ଥ ଭକ୍ତ ହେବାର ଗୌରବ ଅର୍ଜନ କରିଥିଲେ । ଏହି ଧର୍ମ କାହାର ବିରୋଧାଭାସ ନୁହେଁ, ବରଂ ହିନ୍ଦୁଧର୍ମର ବିଶୁଦ୍ଧ ରୂପାନ୍ତର ଓ ବେଦାନ୍ତସିଦ୍ଧ ଧର୍ମ ଅଟେ । ସତ୍ୟ ମହିମା ଧର୍ମ ଗ୍ରନ୍ଥକୋଷ ସମିତି, ମହିମାଗାଦି ଦ୍ୱାରା ବିଭିନ୍ନ ଭାଷାରେ ପ୍ରକାଶିତ ଏହି ଧର୍ମର ପ୍ରାମାଣିକ ଧର୍ମଗ୍ରନ୍ଥଗୁଡ଼ିକ ଯଥା – ସତ୍ୟ ମହିମା ଧର୍ମ ପ୍ରତିପାଦକ, ମହିମା ଧର୍ମ ଇତିହାସ, ମହିମାଗାଦି ମହିମାଧାମ ଇତିହାସ, ସର୍ବବେଦବେଦାନ୍ତ ସାର ତତ୍ତ୍ୱ, ଶିରୋମଣି ସିଦ୍ଧସାଧୁ ଚରିତ୍ରାମୃତ, ଗୃହସ୍ଥ ଶୁଭକର୍ମ ବିଧାନାଦି ଓ ଭୀମଭୋଇ କୃତ ସ୍ମୃତି ଚିନ୍ତାମଣି, ବ୍ରହ୍ମନିରୁପଣ ଗୀତା, ଭଜନ ଚଉତିଶା ପ୍ରଭୃତି ଅନ୍ୟତମ ।

Comments are closed.