ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଟକର୍ଲା ଗ୍ରାମପଞ୍ଚାୟତର କୁନ୍ଦେଇଝରଣ ପ୍ରାଥମିକ ବିଦ୍ୟାଳୟ ୨ବର୍ଷ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ଅଭାବ ଦର୍ଶାଇ ଶିକ୍ଷା ବିଭାଗ ବନ୍ଦ କରି ଦେଇଥିଲା।ଏବେ ଗାଁ ଠାରୁ ଦୂରରେ ରହୁଥିବା ବିଦ୍ୟାଳୟରେ କୁନ୍ଦେଇଝରଣ ଗାଁ ପିଲା ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଠ ପଢ଼ାରେ ଅନେକ ଶିଶୁ ବିଦ୍ୟାଳୟ ତ୍ୟାଗ କରୁଥିବାରୁ ଫଳରେ ଗାଁରେ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଆସିଛି। ଗାଁର ଛନ୍ଦା ଚରଣ ଭୋଇ,କେଶବ ଧରୁଆ,ହେମଦେଇ ପାତ୍ର ସହ ଅନେକ ଅଭିଭାବକଙ୍କ ଅଭିଯୋଗ ହେଉଛି ଗାଁ ସ୍କୁଲରେ ପୂର୍ବରୁ ୨୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ଶିକ୍ଷା ବିଭାଗ କିନ୍ତୁ ଶିକ୍ଷକଙ୍କ ସ୍ଵାର୍ଥ ସାଧନ ପାଇଁ ସ୍କୁଲ ବନ୍ଦ କରିଦେଇଛନ୍ତି। ଏହା ଯୋଗୁଁ ନଦୀ, ଜଙ୍ଗଲ ଘେରରେ ରହିଥିବା କୁନ୍ଦେଇଝରଣ ଗାଁ ଶିଶୁ ୩ କିଲୋମିଟର ଦୂର ଅଇଁଲାପାଲି ଓ ୨ କିଲୋମିଟର ଦୂର ଟାପରାଙ୍ଗ ସ୍କୁଲକୁ ଯିବା ପାଇଁ ଅମଙ୍ଗ ହେଉଛନ୍ତି। ଛୋଟ ଛୋଟ ଶିଶୁମାନଙ୍କୁ ଅଭିଭାବକ ମାନେ ବିଦ୍ୟାଳୟକୁ ନେବା ଆଣିବାରେ ସମୟ ବ୍ୟୟ କରୁଥିବାରୁ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଜୁଳି ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ କିନ୍ତୁ ସ୍କୁଲ ନାହଁ। ନଦୀ ,ନାଳ ଓ ଜଙ୍ଗଲ ଘେରରେ ଥିବା ଗ୍ରାମର ବିଦ୍ୟାଳୟ ପୁଣି ଖୋଲାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଯାହା ଫଳରେ କୁନ୍ଦେଇଝରଣ ପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।
Comments are closed.