Odisha news

ମହଙ୍ଗା ମାଡ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଦୀର୍ଘ ଦିନର କଠୋର ଲକଡାଉନ ଏବଂ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଜନଜୀବନ-ଜୀବନଜୀବିକା ବିପର୍ଯ୍ୟାସ୍ତ ହୋଇଥିବା ବେଳେ ଏବେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଅାଁ ଦରବୃଦ୍ଧି ‘ବେଡି ଉପରେ କୋରଡା ମାଡ’ ସଦୃଶ ହୋଇଛି ବୋଲି କହିଲେ ଭୁଲ ହେବନାହିଁ । କହିବା ବାହୁଲ୍ୟ ଯେ, ଗରିବ, ଅସହାୟର ଭାତ କଂସାର ଚୀର ସାଥି ଭାବେ ପରିଚିତ ଆଳୁ -ପିଆଜର ମୂଲ୍ୟବୃଦ୍ଧି ପେଟ ଉପରେ ସିଧା ନାତ ଦେଇଛି । ଗରିବର ଖାଦ୍ୟରୁ ପିଆଜ ଏବେ ଏକ ପ୍ରକାର ଉଭାନ ହୋଇଯାଇଛି । ସାଧାରଣତଃ ପିଆଜ କାଟିଲେ ଆଖିରୁ ଲୁହ ଝରେ ଏବେ କିନ୍ତୁ ପିଆଜ କିଣିଲେ ଆଖିରୁ ଲୁହ ଝରୁଛି । ଗତ ତିନି ସପ୍ତାହ ମଧ୍ୟରେ ପିଆଜର ଦର ମାତ୍ର ୨୦ ଟଙ୍କାରୁ ୮୦ ଟଙ୍କାରେ ପହଁଚିଛି । ଆଗକୁ ଆହୁରି ବଢିବାର ଆଶକାଙ୍କୁ ମଧ୍ୟ ଏଡାଇ ଦେଇ ହେଉ ନାହିଁ । କେବଳ ଆଳୁ -ପିଆଜ ବଢିବାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେଉନାହିଁ । କେବଳ ଆଳୁ-ପିଆଜ ନୁହେଁ, ତେଲ, ଡାଲି, ଅଟା, ଚାଉଳ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଢିଛି ।

ଜଣାଯାଇଛି ଯେ, ଆଳୁ ଦର କିଛି ସପ୍ତାହ ଧରି ୩୫ ଟଙ୍କାରେ ସ୍ଥିର ରହିଥିବା ବେଳେ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ ମାତ୍ର ସପ୍ତାହକ ମଧ୍ୟରେ ୧୦ରୁ ୩୫ ଟଙ୍କା ବୃଦ୍ଧି ପାଇଛି । ତେଲ, ଡାଲି, ଅଟାର ମୂଲ୍ୟ ମାସକରେ ୧୦ଟଙ୍କା ବଢିଥିବା ବେଳେ ଖାଇବା ତେଲ ମୂଲ୍ୟ ୧୦୦ ଟଙ୍କା ୧୩୫ ଟଙ୍କା ପର୍ଯ୍ୟନ୍ତ ବଢିଛି । ଅନ୍ୟପକ୍ଷରେ ପନିପରିବା ଦର ମଧ୍ୟ ଆକାଶଛୁଅାଁ । କୌଣସି ସବୁଦିନିଆ ପରିବାର କେଜି ପ୍ରତି ମୂଲ୍ୟ ୫୦ ଟଙ୍କାରୁ କମ୍ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ କରୋନା ମାଡକୁ ଏବେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଙ୍ଗା ମାଡ ବଳିଯାଇଛି । ଯାହାକି ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମୂଲ୍ୟ ବୃଦ୍ଧି ଘଟିଚାଲିଥିବାରୁ ଖାଉଟିଙ୍କ ଚାହିଦା ହ୍ରାସ ପାଇବା ସହ କ୍ରୟ ଶକ୍ତି ମଧ୍ୟ କମିଯାଇଛି । ଗୋଟିଏ ପଟେ ଖାଉଟିଙ୍କ ଚାହିଦା ହ୍ରାସ ପାଇଥିବାରୁ ବ୍ୟବସାୟୀ ହାତ ବାନ୍ଧି ବସିଥିବା ବେଳେ ଅନ୍ୟ ପଟେ ଜନସାଧାରଣଙ୍କ ଖର୍ଚ୍ଚ କରିବା ଶକ୍ତି ହ୍ରାସ ପାଇଥିବାରୁ ଦେଶର ଅର୍ଥନୀତି ପାଇଁ ଆହୁରି ଉଦବେଗର କାରଣ ହୋଇଛି ।

ସ୍ମରଣ ଯୋଗ୍ୟ ଯେ, ଲକଡାଉନ ପୂର୍ବରୁ ଦେଶରେ ଜନସାଧାରଣଙ୍କ ଖର୍ଚ୍ଚ କରିବାର ଶକ୍ତି ହ୍ରାସ ପାଇଥିବାରୁ ବ୍ୟାଙ୍କ ଋଣଦାନ ପ୍ରକ୍ରୀୟାକୁ ସରକାର କୋହଳ କରିଥିବା ବେଳେ ଏବେ ଗୋଟିକ ପରେ ଗୋଟିଏ ତିନୋଟି ସ୍ୱତନ୍ତ୍ର ଆର୍ଥୀକ ପ୍ୟାକେଜ ଘୋଷଣା କରିଛନ୍ତି । ମାତ୍ର ସେଥିରୁ କୌଣସି ସୁଫଳ ବର୍ତମାନ ସୁଦ୍ଧା ମିଳିପାରିନାହିଁ । ଆଗକୁ ଆହୁରି କ୍ରୟ କରିବାର ସାମର୍ଥ୍ୟ ହ୍ରାସ ପାଇବାରେ । କେନ୍ଦ୍ର ସରକାର ପୁଣି ଆଉ ଏକ ପ୍ୟାକେଜ ଘୋଷଣା କରିବା ନେଇ ଚର୍ଚ୍ଚା ଯୋର ଧରିଲାଣି । ତେବେ ସରକାର ଚତୁର୍ଥ ପ୍ୟାକେଜ କେବଳ ଗରିବ, ଅସହାୟ, ଭିନ୍ନକ୍ଷମମାନଙ୍କ ପାଇଁ ହୋଇପାରେ । ଅନ୍ୟପକ୍ଷରେ ଦେଶରେ ପେଟ୍ରୋଲ ଡିଜେଲର ମୂଲ୍ୟ ମଧ୍ୟ ଉପର ମୁହାଁ ।

ପ୍ରତିଦିନ ତୈଳ ଦଳ ବଢିଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଉପରେ ଟିକସ ବଢାଇଚାଲିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଏବେ ଦରଦାମ ବୃଦ୍ଧି ଓ ଖାଉଟିଙ୍କ ଉପରେ ପଡିଛି । ଗୋଟିଏ ପଟେ ପରିବହନ ଜନିତ ବ୍ୟୟ ବଢିଚାଲିଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀ ଉପରେ ପଡ଼ିଛି । କୁହାଯାଏ ଯେ, ପେଟ୍ରୋଲ, ଡିଜେଲର ମୂଲ୍ୟ ଯଦି ଟଙ୍କାଟିଏ ବଢେ, ତେବେ ବିଭିନ୍ନ ସାମଗ୍ରୀର ମୂଲ୍ୟ ୨୫ ପଇସା ସଙ୍ଗେ ସଙ୍ଗେ ବଢିଯାଏ ।

ଉଲ୍ଳେଖଯେଗା୍ୟ ଯେ, ଦେଶରେ ଏକକ କର ବ୍ୟବସ୍ଥା ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହେବା ପରେ ଆଶା କରାଯାଉଥିଲା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ କମିବ । କିନ୍ତୁ ଫଳ ହୋଇଛି ଓଲଟା । ଜିଏସଟି ଲାଗୁ ପରେ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଢିଚାଲିଛି । ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀକୁ ଜିଏସଟି ମୁକ୍ତ କରାଯିବା ସତ୍ୱେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢିଚାଲିଛି । ଦେଶରେ ଏବେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଲାଗି ରହିଥିବାରୁ ବେରୋଜଗାରୀ ସଂଖ୍ୟା ବଢିଚାଲିଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଅାଁ ନେଇ ଖାଉଟି ଚିନ୍ତିତ । କରୋନା ମାଡକୁ ମହଙ୍ଗା ମାଡ ଏବେ ବଳିଯାଇଛି ବୋଲି କୁହାଯାଇପାରିବ । ସରକାର, ପ୍ରଶାସନ ସତର୍କ ନହେଲେ ପରିସ୍ଥିତି ଅଣାୟତ ହୋଇଯିବ ।

Leave A Reply