Odisha news

ମା’ ଚୁପ ଚାପ ଆସିଲେ ଓ ଗଲେ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଅନ୍ୟାୟ ଅତ୍ୟାଚାରକୁ ନାଶ କରିବାକୁ ଧରାବତରଣ କରିଥିଲେ ଜଗଜ୍ଜନନୀ ମା’ଦୁର୍ଗା । ତେବେ ପୂର୍ବ ବର୍ଷ ଗୁଡିକରେ ମା’ଙ୍କ ପୂଜା ଧୁମଧାମରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଏହାକୁ ଫିକା କରିଦେଇଥିଲା । ବିନା ବାଜା, ବାଣ ଓ ନାଚ ଗୀତରେ ମା’ଙ୍କ ଭସାଣି ଯାତ୍ରା ହୋଇଥିଲା । ଭଷାଣି ଜାତ୍ରା ବେଳେ ସାମଜିକ ଦୂରତା ରଖିବାରେ ପ୍ରାଧାନ୍ୟ ଦିଆଯାଇଥିଲା । କେବଳ କମିଟିର ସୀମିତ ସଂଖ୍ୟକ ସଦସ୍ୟ ଓ ପୁଜାରୀଙ୍କୁ ନେଇ ବିଧି ପୂର୍ବକ ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ମା’ଙ୍କ ଭସାଣି ଯାତ୍ରା ମଧ୍ୟ ଖାଁ ଖାଁ ରହିଥିଲା । ସାଧାସିଧା ଭାବେ ପୂଜାର୍ଚ୍ଚନା ପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା କଟକଣା ପର୍ବପର୍ବାଣିର ରାଜ୍ୟ ଓଡିଶା ।

ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ତନ୍ମଧ୍ୟରୁ ଦଶହରା ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଦଶହରା ଆଣେ ପାର୍ବଣର ପରିବେଶ । ସାରା ରାଜ୍ୟରେ ଗାଁଠାରୁ ସହର ସବୁଠି ଦେଖିବାକୁ ମିଳେ କୋଳାହଳ । ଚଳିତ ବର୍ଷ ପରିସ୍ଥିତି କିନ୍ତୁ ଥିଲା ଭିନ୍ନ । ମା’ଙ୍କ ପୂଜା ପାଇଁ ସବୁଆଡେ ଉସôବ ପାଳିତ ହୋଇଯାଇଥିଲେ ମଧ୍ୟ କରୋନା ପାଇଁ କାହା ମନରେ ସରସତା ନାହିଁ ।ଏହି ମହାମାରୀ ସମସ୍ତଙ୍କ ମୁହଁରୁ ଛଡାଇନେଲା ଦୁର୍ଗାପୂଜା ମଜା ।

ଇତିମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି । ମା’ ଚୁପ୍ଚାପ୍ ଆସିଲେ ଓ ଗଲେ । ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ତୋରଣ କି ଆଲୋକ ସଜ୍ଜା ନାହିଁ । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଇଥିଲା ତାହା ପୁଣି କରୋନା କଟକଣା ଭିତରେ । ପାଞ୍ଚଜଣରୁ ଅଧିକ କର୍ମ କର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରିକରାଯାଇଥିଲା । କଟକ ସହରରେ ଦଶହରା ଆୟୋଜନ ପାଇଁ ସବୁ ପୂଜା ମଣ୍ଡପ ବଜେଟକୁ ମିଶାଇଲେ ଖର୍ଚ୍ଚ ହୁଏ ୨୦କୋଟିରୁ ଅଧିକ ଟଙ୍କା । କିନ୍ତୁ ଚଳିତ ବର୍ଷ ସବୁ ପୂଜା ମଣ୍ଡପ ଖର୍ଚ୍ଚ ମିଶାଇଲେ ମୋଟ ଖର୍ଚ୍ଚ ଏକ କୋଟି ଟଙ୍କା ଟପିବା ବି ମୁସକିଲ୍ ।

ଏହି ଖର୍ଚ୍ଚରୁ ଯେଉଁମାନେ ଉପକୃତ ହୋଇଥାନ୍ତେ ଅଥବା ଏହି କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରିଥାନ୍ତେ ସେମାନଙ୍କ ପାଇଁ ବର୍ଷକର ରୋଜଗାର ଏକପ୍ରକାର ବନ୍ଦ ହୋଇଗଲା । ସେମାନଙ୍କ ମୁଣ୍ଡରେ କରୋନା ଚଡକ ପକାଇଛି । କଟକ ମହାନଗର ଶାନ୍ତି କମିଟି ତାଲିକା ଅନୁଯାୟୀ ଚଳିତ ବର୍ଷ ମୋଟ ମେଢ ସଂଖ୍ୟା ଥିଲା ୧୭୦ । ତନ୍ମଧ୍ୟରୁ ୨୭ଟି ମଣ୍ଡପରେ ଚାନ୍ଦି ମେଢ ହୋଇଥିଲା । ଏହି ବଡ ମଣ୍ଡପରେ ପୂର୍ବ ବର୍ଷ ମାନଙ୍କରେ ଆଠ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଚଳିତ ବର୍ଷର ହାରାହାରି ବଜେଟ ହେଉଛି ମାତ୍ର ୨୦ ରୁ ୩୦ ଲକ୍ଷ ଟଙ୍କା । ମଧ୍ୟମ ଧରଣର ମଣ୍ଡପ ୫ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ପାଖାପାଖି ୮୦ଥିଲା । ଅନ୍ୟ ମେଢ ହାରାହାରି ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଅଧିକାଂଶ ମଣ୍ଡପ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଏଥର ଚାନ୍ଦା ଉପରେ ଜୋର ଦିଆଯାଇନଥିଲା । ଯିଏ ଯାହା ଶ୍ରଦ୍ଧାରେ ଦେଉଥିଲେ । ଖର୍ଚ୍ଚ ବି ସେହି ଅନୁସାରେ ସୀମିତ ରହିଥିଲା । କିନ୍ତୁ ପୂଜା ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଏବର୍ଷ ଅଧିକ କ୍ଷତିଗ୍ରସ୍ତ ହେଲେ । ଏହା ଦ୍ୱାରା ଅନେକ ଲୋକଙ୍କ ଆୟ ପ୍ରଭାବିତ ହେବା ସହ ପରୋକ୍ଷରେ ବଜାର କିଣାବିକା ବି ପ୍ରଭାବିତ ହୋଇଛି । କିଛିକର୍ମକର୍ତ୍ତା ତାଙ୍କ ପ୍ରତିକ୍ରିୟାରେ କହିଥିଲେ- ଯଦିଓ ଏଥରର ଦଶହରା ଆୟୋଜନ ନିରାଶ କରିଛି ତଥାପି କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ମାଙ୍କ ପୂଜା ବିଧି ସଂପନ୍ନ କରିବାକୁ ଉଦ୍ୟମ କରାଯାଇଥିଲା ।

ପ୍ରତି ବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱର ସହରରେ ଏଥର ଦଶହରାରେ ଥିଲା ଅସମ୍ଭବ ନିରବତା । ରାସ୍ତା ଘାଟ ଜନଶୂନ୍ୟ, ପୁଜାମଣ୍ଡପ ଖାଁ ଖାଁ ଲାଗୁଥିଲା । ବାଜା କି ମାଇକି ବାଜୁନଥିଲା ବା ଉଜ୍ଜଳ ଆଲୋକ ମାଳାରେ ତୋରଣ ଝଲସୁନଥିଲା । ଶିକ୍ଷା ଚଲାଇଛନ୍ତିି ଏପରିକି ଯେଉଁଠି ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଳାହଳ ହେବା କଥା, ସେଠି ସନ୍ଧ୍ୟା ୭ଟା ପରେ ଏବର୍ଷ ରାସ୍ତା ଘାଟରେ କାଁଭାଁ ଗାଡିମୋଟର ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଛନ୍ତି ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡିଛି । ଏଠାରେ ସୂଚନାଘୋଗ୍ୟ ଯେ, ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍, ରଜପର୍ବ, ଗୁରୁଦିବସ, ଓ ଗଣେଶ ପୂଜା ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା ।

ଏପରିକି ସାର୍ବଜନୀନ ଦୁର୍ଗା ପୂଜାକୁ ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଲା । କଟକ, ବ୍ରହ୍ମପୁର ସମେତ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା , ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଦୁର୍ଗା ପୂଜା ଧୁମ୍ ଧାମରେ ପାଳନ କରାଯାଇଥାଏ । ଗତ ବର୍ଷ ଏହି ଦଶହରାରେ ସୁନା ଚାନ୍ଦିରେ ଝଟକୁଥିଲେ ମା’ ଦୁର୍ଗତିନାଶିନୀ । ରାଣୀହାଟ , ଚୈାଧୁରୀ ବଜାର,ଶେଖ୍ ବଜାର, ଚାନ୍ଦିନ ଚୈାକ୍, ମଙ୍ଗଳାବାଗ ଓ ଖାନ୍ ନଗର ସବୁଠି ମାଙ୍କ ବେଶକୁ ଦର୍ଶନ ଲାଗି ରହୁଥିଲା ଭିଡ । ହେଲେ ଏବର୍ଷ କିନ୍ତୁ ମାଙ୍କୁ ସେ ବେଶରେ ଦର୍ଶନ ମିଳିଲା ନାହିଁ । କାରଣ ବାଧକ ସାଜିଲା ମହାମାରୀ କରୋନା । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଥର ପୂଜା ହୋଇଥିଲେ ମଧ୍ୟ ହେଲେ ଭକ୍ତ ସିଧା ସଳଖ ଦର୍ଶନ କରିପାରିନଥିଲେ । ତା ସାଙ୍ଗକୁ ମୂର୍ତ୍ତିର ଉଚ୍ଚତା ମଧ୍ୟ କମ୍ ରହିଥିଲା ।ଏଥର ମାଙ୍କୁ ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସୁନା ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଙ୍ଗୀନ ଜରି ମେଢରେ କାମ ଚଳାଇଥିଲୋ । ହାଇକୋର୍ଟଙ୍କ ନିଦେ୍ଦର୍ଶ ମୁତାବକ ଏଥର ଦୁର୍ଗାଙ୍କ ମୂର୍ତ୍ତି ଆକାର ଓ ଉଚ୍ଚତା ଛୋଟ କରାଯାଇଥିଲା ।
ସାଧାରଣତଃ ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଶୀତଦିନେ କରୋନା ବ୍ୟାପିବା ଆଶଙ୍କା ଅଧିକ ଥିବାରୁ ଅନ୍ତତଃ ପକ୍ଷେ ମାଘ ମାସ ଶେଷ ପର୍ଯ୍ୟନ୍ତ ପର୍ବପର୍ବାଣି ଫିକା ରହିବ ।

କଟକଣା ମଧ୍ୟରେ ବିନା ଭକ୍ତରେ ଦୁର୍ଗାପୂଜା ଉସôବ ପାଳନ କରିଯିବା ଭଳି ଅନ୍ୟାନ୍ୟ ଉସôବ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବାର ସମ୍ଭାବନା ରହିଛି । ଏଥର ଲକ୍ଷ୍ମୀପୂଜା ଓ କୁମାର ଉସôବ ଉପରେ କରୋନା ମାଡ ପଡିବାକୁ ଯାଉଛି । କେନ୍ଦ୍ରାପଡା ଓ ଢେଙ୍କାନାଳରେ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଓ କୁମାର ଉସôବ ବର୍ଷ ବର୍ଷ ଧରି ଧୂମଧାମରେ ପାଳିତ ହୋଇଆସୁଥିଲା । କିନ୍ତୁ ଏବର୍ଷ ତାହା ହୋଇପାରିବ ନାହିଁ । ସେହିପରି କାଳୀପୂଜା, କାର୍ତ୍ତିକେଶ୍ୱର ପୂଜା ମଧ୍ୟ ବିଧିରକ୍ଷାପାଇଁ ପାଳନ କରାଯାଇପାରେ ।

କାର୍ତ୍ତିକପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉକôଳୀୟ ନୈାବାଣିଜ୍ୟ ସ୍ମୃତି ଉଦ୍ଜିବୀତ କରିବା ପାଇଁ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଟିତ ହୋଇଆସୁଥିବା ବାଲିଯାତ୍ରା ମହୋସôବ ଏବର୍ଷ ଅନୁଷ୍ଠିତ ହେବା ସମ୍ଭାବନ କ୍ଷୀଣ । ଏହାଛଡା ପାରାଦ୍ୱୀପ ଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଉଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଏବର୍ଷ ଫିକା ପଡିବାକୁ ଯାଉଛି । କେବଳ ସେତିକି ନୁହେଁ , କରୋନା ମାଡରେ ଆଗାମୀ ବଡଦିନ ଓ ନୂଆବର୍ଷ ପାଳନ ମଧ୍ୟ ଫିକା ପଡିବା ଏକ ପ୍ରକାର ନିଶ୍ଚିତ । ମୋଟା ମୋଟି ଭାବେ କାର୍ତ୍ତିକ , ମାର୍ଗଶୀର, ପୈାଷ ଓ ମାଘ ମାସରେ ଓଡିଶାରେ ଯେତେ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ ସେଗୁଡିକ କୋଭିଡ କଟକଣା ଦୃଷ୍ଟିରୁ ଧୂମଧାମରେ ପାଳିତ ହୋଇନପାରେ ।

ଏବର୍ଷ କରୋନା ପାଇଁ ସବୁ ବର୍ଗର ଲୋକ ଯନ୍ତ୍ରଣା ପାଇ ଛଟପଟ ହେଉଛନ୍ତି । ଏଇଠି ମନେପଡୁଛି ୧୦୦ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ୍ ଫ୍ଲୁ’ର କଥା । ସେହି ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା । ଚଳିତ ବର୍ଷ ସେହି ଇତିହାସର ପୂନରାବୃତ୍ତି ଘଟିଛି । ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ମଉଜ ମଜଲିସ ନୁହେଁ । ଏକଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ ।

Leave A Reply