ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବା ସହିତ ମୟୁରଭଞ୍ଜ ଜିଲା ଉଦଳା ବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛନ୍ତି ଲୁଟେରାମାନେ । କେତେବେଳେ ରାସ୍ତାରେ ଛୀନତାଇ ତୋ ଆଉ କେତେବେଳେ ଏଟିଏମ ଲୁଟ ଭଳି ଘଟଣା ସାମ୍ନାକୁ ଆସୁଛି। ତେବେ ଗତକାଲି ରାତିରେ ଲୁଟ୍ କରିବାକୁ ଆସିଥିବା ବେଳେ ବିଫଳ ହୋଇ ଏଟିଏମ ପୋଡି ଦେଲେ ଦୁର୍ବୃତ୍ତ ।
ଏଭଳି ଏକ ଘଟଣା ସାନ୍ନାକୁ ଆସିବା ପରେ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଲେଜ ରୋଡରେ ଥିବା ଏସବିଆଇ ଏଟିଏମକୁ ଟାର୍ଗେଟ କରି ଲୁଟ୍ ପାଇଁ ଆସିଥିଲେ ବୋଲି ଅନୁମାନ କରାଯାଉଛି। ତେବେ ପୋଲିସ ପେଟ୍ରୋଲିଂ ଗାଡି ଉକ୍ତ ରାସ୍ତାରେ ଯିବାର ଦେଖି ଦୁବୃର୍ତମାନେ ଏଟିଏମରେ ନିଆଁ ଲଗାଇ ସେଠାରୁ ଖସି ଯାଇଥିବା ସନ୍ଦେହ କରାଯାଉଛି ।
ଯାହାଫଳରେ ଏଟିଏମଟି ପ୍ରାୟତଃ ସମ୍ପୂର୍ଣ୍ଣ ପୋଡି ଯାଇଛି । ଏହା ସହିତ ଏଟିଏମରେ ନିଆଁ ଲାଗିଥିବା ଦେଖି ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏଟିଏମ ଭାଙ୍ଗିବା ପାଇଁ ଦୁର୍ବୃତ୍ତମାନେ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଘଟଣାସ୍ଥଳରେ ଛାଡି ତରବରରେ ଚାଲିଯାଇଥିବା ବେଳେ ପୋଲିସ୍ ସେ ଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁବୃର୍ତମାନେ ଏଟିଏମକୁ ଭାଙ୍ଗିଥିବା ବେଳେ ଟଙ୍କା ବାକ୍ସରୁ କେତେ ଟଙ୍କା ଲୁଟିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଖବର ଜଣାପଡିବା ପରେ ଏଟିଏମ ରେ ଆଜି ସକାଳ ସମୟରୁ ଲୋକଙ୍କ ଭିଡ ସେଠାରେ ଲାଗି ରହିଛି ।
