Odisha news

ପର୍ଯ୍ୟଟନସ୍ଥଳୀ କୋଣାର୍କର ବିକାଶ ପାଇଁ ସାମୂହିକ ସହଯୋଗ ଅପରିହାର୍ଯ୍ୟ

0
କୋଣାର୍କ ହେଉଛି ଏକ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଐତିହ୍ୟ, ସ୍ଥାପତ୍ୟ, କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ମିଳନର କେନ୍ଦ୍ର ସ୍ଥଳୀ। କୋଣାର୍କ ବିଶ୍ବ ଦରବାରରେ ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ପ୍ରତୀକ ସୂର୍ଯ୍ୟ ମନ୍ଦିର ପାଇଁ ବିଶ୍ବର କୋଣାନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କୋଣାର୍କର ସୂର୍ଯ୍ୟ ମନ୍ଦିର ନିଜର ପ୍ରାଚୀନ କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ଭାରତ ବର୍ଷକୁ ବିଶ୍ବବାସୀଙ୍କ ମଧ୍ୟରେ ଏକ ହୃଦୟ ସ୍ପର୍ଶୀ ଭାବନା ଜାଗ୍ରତ କରିବା ସହ ସମଗ୍ର ଦେଶକୁ ଗୌରବାନ୍ବିତ କରିପାରିଛି। ଯାହା ଦେଶର ସ୍ବାଭିମାନର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ। ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ, କଳା ଓ ସଂସ୍କୃତିର ଗୌରବମୟ ଇତିହାସକୁ ଦେଖିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କ  ଆଗମନରେ କୋଣାର୍କ ଉତ୍ସବ ମୁଖର ହୋଇ ପଡିଛି। କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରିଗର ଓ କଳା ନୈପୁଣ୍ୟ ବିଶ୍ବ ସମୁଦାୟ କୁ ମନ୍ତ୍ର ମୁଗ୍ଧ କରିବା ସହ ଏକ ସାଂସ୍କୃତିକ ଭାବାବେଗର ଅଲିଭା ଛାପ ସୃଷ୍ଟି କରି ପାରିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଦାୟିତ୍ବରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଚେଷ୍ଟା ଅବ୍ୟାହତ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ ୧୯୦୩ ମସିହାରେ ଏସିଟିକ ସୋସାଇଟି ପକ୍ଷରୁ ଯେଉଁ ବାଲି ମନ୍ଦିରର ସୁରକ୍ଷା ଓ ଲୁଣା ପବନ ଦାଉରୁ ରକ୍ଷା କରିବା ପାଇଁ ଭର୍ତ୍ତି କରାଯାଇଥିଲା। ସେହି ବାଲିକୁ କାଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ଦ୍ବାରା ପରିଚାଳିତ ଏଏସଆଇ କର୍ତୃପକ୍ଷଙ୍କ ଦ୍ବାରା ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପ୍ରକିୟାରେ ସୂର୍ଯ୍ୟ ମନ୍ଦିର ପାଦଦେଶରେ ପ୍ଲାଟଫର୍ମ ନିର୍ମାଣ କରାଯିବା ସହ କ୍ରେନ ସାହାର୍ଯ୍ୟରେ ଏହି ପ୍ରକିୟା ଆରମ୍ଭ ହୋଇଛି। ଆନ୍ତର୍ଜାତୀୟ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଭବିଷ୍ୟତ ପଢି ମାନଙ୍କ ପାଇଁ ସାଇତି ରଖିବାକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଦେଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ଚନ୍ଦ୍ରଭାଗା ଠାରୁ ଲାବଣ୍ୟଲଜଛକ ପର୍ଯ୍ୟନ୍ତ ୬ଲେନ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ସାମୁହିକ ସହଯୋଗ ଅଭାବରୁ ଠପ ହୋଇଯାଇଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ବିସ୍ଥାପିତ ମାନଙ୍କୁ ଗୃହ ଉଛେଦ ବାବଦରେ  କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ଗୃହ ଅବସ୍ଥିତ ଜାଗାକୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ସଠିକ ଭାବେ ଅଧିଗ୍ରହଣ କରା ନ ଯିବା ଯୋଗୁଁ ୬ଲେନ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏଠାରେ ପ୍ରଶ୍ନ ଉଠେ ଯେ ଏହି ରାସ୍ତା ନିର୍ମାଣ କାର୍ଯ୍ଯ ପାଇଁ ପୂର୍ବରୁ କାର୍ଯ୍ୟ ଦାୟିତ୍ଵରେ ଥିବା ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସହାୟତାରେ କଣ ପାଇଁ ଜମି ଅଧିଗ୍ରହଣ କରାଗଲା ନାହିଁ। ଏହି ପ୍ରକିୟାରେ ସଠିକ ଜମି ଅଧିଗ୍ରହଣ ନ ହେବା ପଛରେ ଦାୟୀ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ରହିଛି ନା ସାମୁହିକ ସହଯୋଗ ଅଭାବରୁ ଏଭଳି ସ୍ଥିତି ଉପୁଜିଛି ତାହାକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି। ଏହି ନିର୍ମାଣ କାର୍ଯ୍ୟ ଯେଉଁ ଯେଉଁ ଜାଗା ଦେଇ ଯାଉଥିଲା ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ରାସ୍ତା ନିର୍ମାଣ ମୁତାବକ ଜାଗା ସଠିକ ଭାବେ ଅଧିଗ୍ରହଣ କରି ପାରିଥିଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନ ଥାନ୍ତା ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି। ଏହି ନିର୍ମାଣ କାର୍ଯ୍ୟ ପାଇଁ କୋଣାର୍କ ଅଞ୍ଚଳର ବିସ୍ଥାପିତ ଜମି ମାଲିକ କୋଣାର୍କ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଯଦି ରାସ୍ତା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଠାରୁ ନିଜର ବିସ୍ଥାପିତ ପ୍ଯାକେଜ ସରକାରୀ ନିୟମ ଅନୁଯାୟୀ ନେଇ ଜାଗା ଛାଡି ଥାନ୍ତେ ତେବେ ଏହି ବିକାଶ ଆଗକୁ ବଢି ପାରିଥାଆନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାର୍ଶ୍ବିକ ବିକାଶ ଘଟିଲେ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ନିର୍ଭରଶୀଳ ଶତାଧିକ ଫଟୋ ଗ୍ରାଫର, ଗାଇଡ, ଫଟୋ ମାଳୀ ବ୍ଯବସାୟୀ ସମେତ ହସ୍ତଶିଳ୍ପ ବ୍ଯବସାୟୀ ମାନଙ୍କ ରୋଜଗାର ବୃଦ୍ଧି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇପାରନ୍ତା। ରାଜ୍ୟ ସରକାରଙ୍କ ପକ୍ଷରୁ କୋଣାର୍କ ମନ୍ଦିର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଘୋଷଣା କରାଯାଇଥିବା ବେଳେ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। କୋଣାର୍କର ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ବିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ପାରିଲେ ଏଠାକୁ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଘଟିବ ଏଥିରେ ଦ୍ୱିମତ ନାହିଁ। ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଚାଲିଥିବା ଅଥବା ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ପାଇଁ ସାମୁହିକ ସହଯୋଗ ରହିଲେ ଏହା ସମ୍ଭବପର ହୋଇ ପାରିବ ବୋଲି ଆଶା କରାଯାଉଛି।
Leave A Reply