କୋଣାର୍କ : ନୂଆ ବର୍ଷ ଅବ୍ୟବହିତ ପୂର୍ବରୁ ନୂଆ ଓ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ଓ ବିକାଶ ସହ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ୩୬୦ ପର୍ଯ୍ୟଟନ ସ୍ଥଳରୁ ୪୬ଟି ପର୍ଯ୍ୟଟନ ସ୍ଥଳୀକୁ ନୂଆ ରୂପ ଦେବା ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ ରାଜ୍ୟର ସ୍ଵର୍ଣ ତ୍ରିଭୁଜ ପର୍ଯ୍ୟଟନ କ୍ଷେତ୍ରରେ ଅବସ୍ଥିତ ତଥା କୋଣାର୍କ ପୁରୀ ବେଳମାର୍ଗରେ ଥିବା ପ୍ରମୁଖ ଦେବୀ ପୀଠ ଓ ବଣଭୋଜି ସ୍ଥଳ ରାମଚଣ୍ଡୀ ପୀଠକୁ ବିକାଶ କରିବା ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ଆରମ୍ଭ ହେଉଛି। ଏହି ପୀଠରେ ମନ୍ଦିର ଓ ଚତୁପାର୍ଶ୍ୱ ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ରାସ୍ତା, ଗାଡି ପାର୍କିଂ, ପାନୀୟ ଜଳ, ଶୌଚାଳୟ, ପୋଷାକ ପରିବର୍ତ୍ତନ କକ୍ଷ, ଆବର୍ଜନା ପରିଚାଳନା ବକ୍ସ, ସପିଂ ସେଣ୍ଟର, ଖାଦ୍ୟ ସାମଗ୍ରୀ, କାଫେଟେରିଆ ଓ ଅଲୋକୀକରଣ ସହିତ ରହଣି ବ୍ୟବସ୍ତା କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି।