କୋଣାର୍କ : ପବିତ୍ର ବଡ଼ଦିନ ଅବସରରେ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଉତ୍ସବ ମୁଖର ହୋଇପଡିଥିବା ଦେଖିବାକୁ ମିଳିଛି। କୋଭିଡ କଟକଣାକୁ ବେଖାତିର କରି ପର୍ଯ୍ୟଟକ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି ଓ ରାମଚଣ୍ଡି ପିକିନିକ ସ୍ଥଳରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ସମାଗମ ଦେଖିବାକୁ ମିଳିଥିଲା। କରୋନା ମହାମାରୀ ଜନିତ ଦୀର୍ଘ ମାସ କଟକଣା ଯୋଗୁଁ ଲୋକମାନେ ଘରେ ବନ୍ଦୀ ଭାବେ ଥିଲେ।
ରାଜ୍ୟ ସରକାରଙ୍କ କୋଭିଡ କଟକଣା କୋହଳ ଓ ପର୍ଯ୍ୟଟନ ଋତୁର ମଜା ନେବାକୁ ବ୍ୟାକୁଳ ଥିବା ପର୍ଯ୍ୟଟକ ଏବେ ଓଡିଶା ପର୍ଯ୍ୟଟନର ଭୂସ୍ବର୍ଗ କୋଣାର୍କକୁ ଉପଭୋଗ କରିବାକୁ ଧାଇଁଛନ୍ତି। ବିଶେଷକରି ପବିତ୍ର ବଡ଼ଦିନ ଦିନ ଛୁଟି ଅବସରରେ କୋଣାର୍କ ଓ ଆଖପାଖ ପର୍ଯ୍ୟଟନ ସ୍ଥଳୀ ଚନ୍ଦ୍ରଭାଗା ବେଳାଭୂମି, ଭଗବତୀ ପୀଠ , ରାମଚଣ୍ଡି ପୀଠ ସହ କୋଣାର୍କ ଇକୋ ରିଟ୍ରିଟ ଉତ୍ସବରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ନାଁ ଥିଲା ସାମାଜିକ ଦୂରତା ନା ଥିଲା ମାସ୍କ ପରିଧାନ। ସମସ୍ତେ ନିଜେ ନିଜକୁ ଭୁଲିଯାଇ ବହୁ ଦିନ ପରେ ସୁନ୍ଦର ସମୟକୁ ଉପଭୋଗ କରୁଥିଲେ। ଏଠି ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିଲା। କାରଣ ହଜାର ହଜାର ଲୋକଙ୍କ ଉପରେ ନଜର ଦେବା କାଠିକର ପାଠ ହୋଇ ପଡ଼ିଥିଲା। କୋଣାର୍କରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ପ୍ରତିଯୋଗିତା ଲାଗି ପଡିଥିଲା ।
ବଦଦିନରେ ଭାରତୀୟ ଆର୍ମି ର ଭାଇସି ଲେଫ୍ଟନାଣ୍ଟ ଜେନେରାଲ ସତୀନ୍ଦ୍ର ସୈନି ଓ ସସ୍ତ୍ରୀକ ସହ ସୁର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ପର୍ଯ୍ୟଟକ ମାନଙ୍କର ଭିଡ ଦିନ ତମାମ ଲାଗିଥିଲା । ଏଥି ସହ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିର ମଜା ନେଇ ପର୍ଯ୍ୟଟକ ଗହଳି କରିବା ସହ ଗାଧୋଇବା ବେଳେ ମଧ୍ୟ କଟକଣାକୁ ବେଖାତିର କରିଥିଲେ। ସେହିପରି ଓଡ଼ିଶାର ଅନ୍ୟତମ ପ୍ରମୁଖ ପିକିନିକ ସ୍ଥଳୀ ରାମଚଣ୍ଡିରେ ଭୋଜି ଭାତର ଆସର ଜମି ଥିବା ସହ ମଦ ଓ ମାଂସରେ ମସଗୁଲ ପର୍ଯ୍ୟଟକ ନାଚ ଗୀତ କରି ମଜା ନେଉଥିବା ଦେଖିବାକୁ ମିଳିଥିଲା।
କରୋନା କଟକଣା ଚୁଲିରେ ଥିଲା। ନା ଥିଲା କଟକଣା ନା ଥିଲା ସଚେତନା। ଏହି ଭଳି ଭାବେ ବଡ଼ଦିନ ପାଳନ କରି ପର୍ଯ୍ୟଟକ ମାନେ ମସଗୁଲ ଥିଲେ। କରୋନାର ଦ୍ୱିତୀୟ ଲହରୀ ଏମାନଙ୍କୁ କାଳ ହେବ କି ନହେବ ଆଗାମୀ ଦିନ ହିଁ କହିବ। ଏନେଇ ରାଜ୍ୟ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ କରିଛନ୍ତି।