Odisha news

ଓଡିଶାକୁ ଆଗକୁ ନେବାରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ : ସମୀର ମହାନ୍ତି

0

 ପଂଚମ ‘ଅଟଳ ସମ୍ମାନ-୨୦୨୦’ ରେ ସମ୍ମାନୀତ ହେଲେ ବରିଷ୍ଠ ସମାଜସେବୀ ଡ. ନବକିଶୋର ରାଉତ
 ବିଶିଷ୍ଟ ରାଷ୍ଟ୍ରବାଦୀ କବି କ୍ଷୀରୋଦ ପତିଙ୍କୁ “ଅଟଳ କବିତା ସମ୍ମାନ-୨୦୨୦”
 ସମାଜସେବୀ ସୁଶାନ୍ତ କୁମାର ସାହୁଙ୍କୁ “ଅଟଳ ସମାଜସେବୀ ସମ୍ମାନ-୨୦୨୦”
ଭୁବନେଶ୍ୱର ତା ୨୫/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୨୦’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କୋଭିଡ ନିୟମକୁ ପାଳନ କରି ଚଳିତ ବର୍ଷ ଅଟଳ ସମ୍ମାନ ନିରାଡମ୍ବର ଭାବେ ପାଳନ କରାଯାଇଛି ।

ଚଳିତ ବର୍ଷ ବରିଷ୍ଠ ସମାଜସେବୀ ଡ. ନବକିଶୋର ରାଉତଙ୍କୁ ପଂଚମ “ଅଟଳ ସମ୍ମାନ -୨୦୨୦” ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ରାଉତ ଜଣେ ସୁନାମଧନ୍ୟ ଡାକ୍ତର ଭାବେ ପୁରୀ ଜିଲ୍ଲାରେ ଜଣାଶୁଣା । ଯୁବାବସ୍ଥାରୁ ସେ ସ୍ୱୟଂସେବକ ଭାବେ କାର୍ଯ୍ୟ କରିଆସିଛନ୍ତି । ବିଶିଷ୍ଟ ରାଷ୍ଟ୍ରବାଦି କବି ଶ୍ରୀ କ୍ଷୀରୋଦ ପତିଙ୍କୁ “ଅଟଳ କବିତା ସମ୍ମାନ -୨୦୨୦” ରେ ସମ୍ମାନୀତ କରାଯାଇଛି । ଶ୍ରୀ ପତି ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାହୁଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୦” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ସାହୁ ସାମାଜସେବାରେ ନିଜକୁ ଉତ୍ସର୍ଗ କରି ନିଃସହାୟ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଅନେକ ସେବାର ଉଦାହରଣ ଦେଇଛନ୍ତି ।

ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ସହ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ଓଡିଶାର ମହାବାତ୍ୟା ପରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳୱ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶାକୁ ଆଗକୁ ନେବାରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ ।

କାର୍ଯ୍ୟକ୍ରମ ସଂଦ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରକାଶ ସୋରେନ, ରାଜ୍ୟ ମୁଖପାତ୍ର ଠାକୁର ରଣଜତ୍ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନାନନ୍ଦ ତ୍ରିପାଠୀ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଅନୁ ଚୈାଧୁରୀ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟକ, ସଂଗୀତକାର ମନ୍ମଥ ମିଶ୍ରଙ୍କ ସମେତ ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଦ୍ଧ୍ୟାରେ ଅତିଥୀମାନେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।

ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚୀ ନାରାୟଣ ତ୍ରିପାଠୀ ଓ ଠାକୁର ରଂଜିତ ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଅଟଳଜୀଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply