କୋଣାର୍କ – ପୁରାଣ ପ୍ରସିଦ୍ଧ ମାଘ ସପ୍ତମୀ ବୁଡପାଇଁ ଜାନୁୟାରୀ ୩୧ ରେ ଷଷ୍ଠୀ ଓ ଫେବୃୟାରୀ ୧ରେ ଅନୁଷ୍ଠିତ ହେବ ମାଘମେଳା । ଏଥି ନିମନ୍ତେ ସୋମବାର ଅପରାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଜିଉମାନଙ୍କ ନୀତି ନିର୍ଦ୍ଧାରଣ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଘମେଳା ନୀତି ସମ୍ପାଦନ କମିଟିର ସ୍ଥାୟୀ ଅଧ୍ୟକ୍ଷ ପୁରୀ ଉପଜିଲ୍ଳାପାଳ ଭବତାରଣ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ନିମାପଡ଼ା ଏସଡିପିଓ ପ୍ରଦିପ କୁମାର ଦଳାଇ, କୋଣାର୍କ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ ଓ ବିଡିଓ ଦିପ୍ତୀରାଣୀ ଦାଶ, କାକଟପୁର ତହସିଲଦାର ରୋଜିନା ଦାସ ଓ ବିଡିଓ ସୁଧିର ନାୟକ, ନିମାପଡା, ଅସ୍ତରଙ୍ଗ ତହସିଲଦାର ଓ ବିଡିଓ, ତି୍ରବେଣୀଶ୍ୱର ସେବାୟତ କମିଟି ମୁଖ୍ୟ, କାର୍ତ୍ତିକଚନ୍ଦ୍ର ପାଢୀ, ଐଶାଣେଶ୍ୱର ସେବାୟତ କମିଟି ମୁଖ୍ୟ ରବୀନ୍ଦ୍ରନାଥ ପଣ୍ଡା, ଦକ୍ଷିଣେଶ୍ୱର ସେବାୟତ କମିଟି ମୁଖ୍ୟ ଡମ୍ବରୁଧର ପଣ୍ଡାଙ୍କ ସମେତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଖଡିତ୍ନ ପଞ୍ଜିକାରେ ପ୍ରଦତ ଅମୃତ ବେଳା ଅନୁଯାୟୀ ଠାକୁରମାନଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ର ଓ ତୀର୍ଥସ୍ନାନ ନିମନ୍ତେ ନୀତି ନିର୍ଘଣ୍ଟ କରାଯାଇଛି । ନିଷ୍ପତି ଅନୁଯାୟୀ ଜାନୁୟାରୀ ୩୧ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ ରୁ ୧୦ଟା ୩୦ ମଧ୍ୟରେ ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତି୍ରବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଐଶାଣେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବ ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବେ । ଏହା ପରେ ଶୋଭାଯାତ୍ରାରେ ବାହାରି ରାତି ୧୧ଟା ୩୦ ସୁଦ୍ଧା ତିନିଠାକୁର କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖସ୍ଥ ମଣ୍ଡପରେ ପହଂଚିବା ପରେ ମିଳିତ ଭାବେ ପୂଜାର୍ଚ୍ଚନା କରାଯିବ । ରାତି ୧ଟା ସୁଦ୍ଧା ଏନଏସି କାର୍ଯ୍ୟାଳୟ ପରିସରରୁ ଶ୍ରୀଜୀଉମାନେ ମିଳିତ ଶୋଭାଯାତ୍ରାରେ ବାହାରି କୋଣାର୍କ ଆର.ଆଇ ଅଫିସ ଓ ପୁର୍ତ ବିଭାଗ ଡାକବଙ୍ଗଳାଠାରେ ଭୋଗ ଖାଇବା ପରେ ରାତି ୨ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଂଚିବେ । ଏଠାରେ ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉମାନଙ୍କର ପୂଜାହୋମ କର୍ମ ସମ୍ପାଦନ କରିବା ପରେ ମାଘ ଶ୍ୁକ୍ଳ ସପ୍ତମୀ(୧ତାରିଖ) ରାତି ୧ଟା ୧୭ରୁ ପ୍ରତୁ୍ୟଷ ୩ଟା ୫୦ ମଧ୍ୟରେ ଶ୍ରୀଜୀଉମାନଙ୍କୁ ପବିତ୍ର ତୀର୍ଥ ଜଳରେ ସ୍ନାନ କରିବାର ମାହେନ୍ଦ୍ର ବେଳା ରହିଛି । ୩ଟା ୪୫ରେ ତି୍ରଦେବଙ୍କ ମିଳିତଭାବେ ସ୍ନାନ ପରେ ପରେ ପ୍ରତୁ୍ୟଷ ୪ଟାରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ସ୍ନାନ କରିବାର ସୁଯୋଗ ପାଇବେ । ତିନିଠାକୁରଙ୍କ ନୀତିକାନ୍ତିକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଗୋପ, ନିମାପଡା, କାକଟପୁର, ଅସ୍ତରଙ୍ଗର ତହସିଲଦାର, ବିଡିଓ, କୋଣାର୍କ ଥାନାଧିକାରୀ, କୁରୁଜଙ୍ଗ ସରପଂଚ ନିଗମାନନ୍ଦ ପରିଡା ଓ ପୂର୍ବତନ ସରପଂଚ ଶରତ ମାହାରୀଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଛି । କିନ୍ତୁ ଏହି ନିତୀ ନିର୍ଧାରଣ ବୈଠକରେ ସ୍ଥାନୀୟ ଏନ.ଏ.ସି ନିର୍ବାହୀ ଅଧିକାରୀ ସମସ୍ତ ଗଣ ମାଧ୍ୟମ ପ୍ରତିନିଧୀଙ୍କୁ ଅବଗତ କରିନଥିବାରୁ ଗଣମାଧ୍ୟମ ପ୍ରତିନିଧୀ ମାନେ ବୈଠକରେ ଉଦ୍ୱେଗ ପ୍ରକାଶ କରିଥିଲେ ଏବଂ ତାହାଛଡା ମାଘମେଳା ସହ ଜଡିତଥିବା ସମସ୍ତ ବିଭାଗ ଯଥା ଡ୍ରେନେଜ୍ , ବିଦ୍ୟୁତ୍ , ମେଡିକାଲ , ଫାୟାର ଭଳି ଜରୁରୀ କାଳିନ ବିଭାଗର ଅଧିକାୀ ମାନେ ଉପସ୍ଥିତ ନଥିବାରୁ ବୈଠକରେ ଏହିସବୁ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇପାରିନଥିଲା ଯାହା ଜିଲ୍ଲା ପ୍ରଶାସନରର ପୁରୀ ଜିଲ୍ଲାର ଦ୍ୱିତୀୟ ସର୍ବବୃହତ ମାଘମେଳା ପ୍ରତି କେତେ ଗୁରୁତ୍ୱ ତାହା ବୈଠକରୁ ସ୍ପଷ୍ଟ ଜଣାପଡୁଥିଲା । ନାମକୁ ମାତ୍ର ପ୍ରଶାସନର କିଛି ହାତଗଣତି କର୍ମଚାରୀ ମାନଙ୍କୁନେଇ ଏହି ନିତୀନିର୍ଧାରଣ ବୈଠକ ଅନୁଷ୍ଟିତ ହୋଇଥିଲା।