Odisha news

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ: ୪ଗିରଫ

0

ଚଣ୍ଡିଖୋଲ -ପାନ ମସଲାର ବ୍ୟାପକ ଚାହିଦା ଥିବା ବେଳେ ଏହାର ସୁଯୋଗ ନେଇ କେତେକ ଖଳ ପ୍ରକୃତିର ଲୋକ ନକଲି ମସଲା ତିଆରି କରି ମଣିଷର ଜୀବନ ସହ ଖେଳ ଖେଳିବା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କମାଉଛନ୍ତି । ଗତ କିଛି ବର୍ଷ ଏହି ବ୍ୟବସାୟ ଛତିଆ ଠାରେ ବନ୍ଦ ରହିଥିବା ବେଳେ ପୁନର୍ବାର ନକଲି ଜର୍ଦ୍ଦା ବେପାର ଆରମ୍ଭ ହୋଇଯାଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ବିଦ୍ୟାଧର ପୁର ଗ୍ରାମରେ ସୋମବାର ଭୋର ସମୟରେ ପୋଲିସ ଚଢାଉ କରି ଏକ ବେଆଇନ ନକଲି ଜର୍ଦ୍ଦା କାରଖାନା ଠାବ କରିବା ସହ ଏଥିରେ ବ୍ୟବହୃତ ବିପୁଳ ପରିମାଣର ଜର୍ଦ୍ଦା ଓ ମସଲା ଜବତ କରିଛି । ଏହି କାରବାର କରୁଥିବା ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ସୋମବାର ଭୋର ୫ଟା ରେ ଡି.ଏସ.ପି ଚିନ୍ମୟ ନାୟକ ଓ ଡିଏସପି ଦୀପକ ଗୋଛାୟତଙ୍କ ନେତୃତ୍ୱରେ ଏକ ପ୍ଳାଟୁନ ପୋଲିସ ଫୋର୍ସ ହଠାତ ବିଦ୍ୟାଧର ପୁର ଗ୍ରାମରେ ଚଢାଉ କରିଥିଲେ । ଚଢାଉ ସମୟରେ ୩ବସ୍ତା ନକଲି ଜର୍ଦ୍ଦା ଉଦ୍ଧାର କରିବା ସହ ଏହାକୁ ପ୍ୟାକିଙ୍ଗ କରିବା ପାଇଁ ରହିଥିବା ବିପୁଳ ଡବା ଗୁଡ଼ିକୁ ଉଦ୍ଧାର କରିଥିଲେ । ଏଥି ସହିତ ଜର୍ଦ୍ଦା ତିଆରି ପାଇଁ ବ୍ୟବହୃତ କେମିକାଲ୍ସ ଓ ପାଉଡର ଗୁଣ୍ଡ ଗୁଡ଼ିକୁ ପୋଲିସ ଜବତ କରିଥିଲା । ଗୋପାଳ ଜର୍ଦ୍ଦା୬୦ ଓ ଡିଲକ୍ସ ଜର୍ଦ୍ଦାକୁ ନକଲ କରି ଏମାନେ ବିକ୍ରି କରୁଥିଲେ । ଏହା ସହିତ ଗୋପାଳ ୬୦ ଜରି ପ୍ୟାକିଙ୍ଗ ପତା ଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ଏହି ଜର୍ଦ୍ଦା ତିଆରି କରୁଥିବା ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ହେବାକୁ ଥିବା କିରାସିନ ଓ ରଙ୍ଗ ଗୁଡ଼ିକ ମଧ୍ୟ ଜବତ କରାଯାଇଥିଲା । ଗୋଟିଏ ଡବା ପ୍ୟାକିଂ ମେସିନ୍ ଓ ପଲିଥିନ ପ୍ୟାକିଂ ମେସିନ୍ କୁ ମଧ୍ୟ ପୋଲିସ ଜବତ କରିଛି । ଏହାକୁ ପ୍ରସ୍ତୁତ କରିବାକୁ ରହିଥିବା ପଲିଥିନ ଅଖା ସହ କାଗଜ ପେଟି ଗୁଡ଼ିକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା ନକଲି ଜର୍ଦ୍ଦାର ମୁଲ୍ୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେବ ବୋଲି ଗୋପାଳ କମ୍ପାନୀର ଜି.ଏମ କୈଳାସ ଚନ୍ଦ୍ର ଚୌହାନ ପ୍ରକାଶ କରିଥିବା ବେଳେ ପୋଲିସ ଏହା ୨ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ସୂଚନା ଦେଇଛି । ଏହି ଅଭିଯୋଗ ରେ ବିଦ୍ୟାଧରପୁର ଗ୍ରାମର ଚନ୍ଦନ ନାଥ (୨୫),ତପନ ବେହେରା (୩୦),ବୁଲୁ ପାଲ (୪୫) ଓ ନାରାୟଣ ନାଥ (୪୮)ଙ୍କୁ ପୋଲିସ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ ନାରାୟଣ ଓ ଚନ୍ଦନ ବାପ ପୁଅ ଅଟନ୍ତି । ଚଢାଉ ସମୟରେ ଗୋପାଳ ଜର୍ଦ୍ଦା କମ୍ପାନୀର ଜେନେରାଲ ମ୍ୟାନେଜର ଙ୍କ ସହ ଶିବଦାତା କମ୍ପାନୀର ସାରଭିଲେନ୍ସ ସୁପରଭାଇଜର ରାଜୀବ ଝା ରହିଥିଲେ । ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପ୍ରକାଶ ଥାଉକି ଛତିଆ ଅଞ୍ଚଳରେ ନକଲି ଜର୍ଦ୍ଦା ଓ ପାନମସଲା ବ୍ୟାପକ ଭାବେ ତିଆରି ହେଉଥିବା ନେଇ ଗରମାଧ୍ୟମରେ ଖବର ପ୍ରକାଶ ପାଇବା ସହ ପୂର୍ବରୁ ଦୁଇଥର ବ୍ୟାପକ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ୨୦୦୭ ମସିହାରେ ଥରେ ଜବତ ହୋଇଥିବା ବେଳେ ପୁନର୍ବାର ୨୦୧୭ ମସିହାରେ ଏଠାରୁ ନକଲି ଜର୍ଦ୍ଦା ଜବତ ହୋଇଥିଲା । ବୁଧବାର ଏହି ଚଢାଉ ସମୟରେ ଏହି କାରବାରରେ ସଂପୃକ୍ତ କେତେକେ ବ୍ୟକ୍ତି ଖସି ଯାଇଥିବା ଜାଣିବାକୁ ମିଳିଛି । ଏପରିକି ଏହାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବ୍ୟକ୍ତି ପୋଲିସ ହାତରୁ ଚକମା ଦେଇ ଖସି ଯାଇଥିବା ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି ।

Leave A Reply