କୋଦଳା (Susanta Kumar Pattnayak) : ଗଂଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏବେ ହଟସ୍ପଟ ଜୋନ୍ ରେ ପରିଗଣିତ ହୋଇ ସାରିଛି। ତେବେ ଦିନକୁ ଦିନ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଅବଧି ବୃଦ୍ଧି କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ସତ କିନ୍ତୁ ଗରିବ, ଖଟିଖିଆ, ଦିନ ମଜୁରିଆ ଏପରିକି ମଧ୍ଯବିତ୍ତ ଶ୍ରେଣୀ ଲୋକଙ୍କର ଏବେ ଏସବୁ ଭିତରେ ଅବସ୍ଥା ଦିନକୁ ଦିନ ସାଂଘାତିକ ହେଉଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳା ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଦୈନିକ ଏଠାରେ ଶହ ଶହ ସଂଖ୍ଯାରେ ଦୋକାନ ଗୁଡିକ ବନ୍ଦ ରହୁଥିବାରୁ ବ୍ଯବସାୟ କାରବାର ଠପ୍ ହୋଇଯାଇଛି ।
ଅଧିକାଂଶ ଦୋକାନୀ ଅତ୍ଯନ୍ତ ଗରିବ ଶ୍ରେଣୀର ଏବଂ ଦୋକାନ ବନ୍ଦ ରହିବା ଯୋଗୁଁ ଘର ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡୁଛି। ସେପଟେ ବଜାର ଉପରେ ଘରଭଡ଼ା ନେଇ ଦୋକାନ କରିଥିବା ଦୋକାନୀ ମାନେ ଭଡା ଦେବା ଅତି କଷ୍ଟକର ହେଉଛି ବୋଲି ବେଗୁନିଆପଡ଼ା ମୁଖ୍ୟ ବଜାରର ଦୋକାନୀ ମାନେ କହିଛନ୍ତି। କରୋନା କଟକଣା ଯୋଗୁଁ ଶ୍ରମଜୀବୀ, କ୍ଷୁଦ୍ର ବ୍ୟବସାୟୀ, ଉଠା ଦୋକାନୀ, ଘରେ କାମ କରୁଥିବା ମହିଳା ଶ୍ରମିକ, ବସ୍ତି ବାସିନ୍ଦା କିପରି ଜୀବିକା ନିର୍ବାହ କରିବେ ସେ ନେଇ ଚିନ୍ତାରେ ଅଛନ୍ତି। ଦୋକାନ ଖୋଲିବ ନାହିଁ, ଯାତାୟତ ବନ୍ଦ ଫଳରେ ଏମାନେ କିପରି ଜୀବିକା ନିର୍ବାହ କରିବେ ସେ ନେଇ ଏବେ ଭାଳେଣି ପଡି ଯାଇଛି।
ବିଭିନ୍ନ ଯାନ ବାହାନ ଡ୍ରାଇଭର, ଦରଜୀ, ଗ୍ଯାରେଜ୍ ମେକାନିକ୍, ସେଲୁନ୍, ଚାହା ଦୋକାନୀ ଓ ଅଣ ସଂଗଠିତ ଶ୍ରମିକ ଏବେ ଚିନ୍ତାରେ ଘାରି ହେଉଛନ୍ତି। ବିକାଶ ମୂଳକ ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟ ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଥିଲେ ହେଁ, ଯାତାୟତ ବାଧାପ୍ରାପ୍ତ ଯୋଗୁଁ ଏସବୁ କାର୍ଯ୍ୟରେ ବାଧା ଉପୁଜୁଛି ।ବର୍ଷା ରୁତୁ ଆସିଯାଇଛି।
ଚାଷ କାର୍ଯ୍ୟ ଜୋରଦାର ଚାଲିବା କଥା କିନ୍ତୁ କୃଷି ଶ୍ରମିକ ଯଥେଷ୍ଟ ମାତ୍ରାରେ ଆସୁ ନାହାନ୍ତି। ଏଣୁ ଅଣସଙ୍ଗଠିତ ଶ୍ରମିକ ମାନଙ୍କୁ ଖାଦ୍ୟ ଓ ରୋଜଗାର ପନ୍ଥା ଦେବାକୁ ଦାବି ହୋଇଛି ।ଏହାଛଡା ଛୋଟ ଛୋଟ ଦୋକାନୀ, ଗରିବ, ଖଟିଖିଆ ମାନଙ୍କ କଥା ସରକାର ବିଚାର କରି ପଦକ୍ଷେପ ନେବାକୁ ମଧ୍ଯ ଦାବି ହୋଇଛି। ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମଧ୍ୟ ଏବେ ରୋଜଗାର ହରାଇ ବସିଛନ୍ତି। ଯାହାକୁ ନେଇ ସବୁଠି ଏବେ ପେଟ ପାଟଣା ଚିନ୍ତା ଏବେ ପ୍ରମୁଖ ସମସ୍ୟା ପାଲଟିଛି।
ବେଗୁନିଆପଡ଼ା ପୋଲିସ ପକ୍ଷରୁ କରୋନା ସଚେତନତା ।
କୋଦଳା
କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ କରୋନା ଯୋଦ୍ଧା ଭାବେ ପୋଲିସ ପ୍ରଶାସନ ମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହୁଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଶୁକ୍ରବାର ଜିଲ୍ଲାର ବେଗୁନିଆପଡ଼ା ପୋଲିସ ଫାଣ୍ଡି ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଇଥିଲା
କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଯୋଗଦେଇଥିବା ବେଳେ ଏଥିରେ ଫାଣ୍ଡିର ସମସ୍ତ ପୋଲିସ୍ ଯୋଗ ଦେଇ ବେଗୁନିଆପଡ଼ା ପରିକ୍ରମା କରି ଫ୍ଲା କାର୍ଡ ମାଧ୍ଯମରେ ସଚେତନତା କରିଥିଲେ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାକ୍ସ ପିନ୍ଧନ୍ତୁ, ସାମାଜିିକ ଦୂରତା ରକ୍ଷା କରନ୍ତୁ ଆଦି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପୋଲିସ ପକ୍ଷରୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଛି। ଜୁନ୍ ଓ ଜୁଲାଇ ମାସରେ ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କୁ ସଚେତନ ରହିବା ସହ ପ୍ରଶାସନର କଟକଣାକୁ ମାନିବାକୁ ଅପିଲ୍ କରିଛି ବେଗୁନିଆପଡ଼ା ଫାଣ୍ଡି ପୋଲିସ।