କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବେଗୁନିଆପଡ଼ା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ ଏବଂ ୨୨ ହଜାର ଭୋଟ ମଧ୍ୟ ପାଇଥିଲେ। ତେବେ ବର୍ତମାନ ସେ କଂଗ୍ରେସ ଛାଡିଛନ୍ତି। ନିଜର ବ୍ୟକ୍ତିଗତ କାରଣ ପାଇଁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଶ୍ରୀ ବେହେରା।୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଜଡିତ ରହି ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଦଳରେ ଆଉ ରହିବାକୁ ଚାଁହୁନଥିବା ନେଇ ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଶ୍ରୀ ବେହେରା । ଏଥିସହ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଚିଠି ଦ୍ବାରା ପିସିସି ସଭାପତିଙ୍କୁ ଜଣାଇଛନ୍ତି। ଶ୍ରୀ କାଶୀନାଥ ବେହେରା ଆଗକୁ ଅନ୍ୟ କେଉଁ ଦଳକୁ ଯିବେ ନା ରାଜନୀତିରୁ ସନ୍ନ୍ୟାସ ନେବେ ତାହା ସ୍ପଷ୍ଟ କରି ନାହାଁନ୍ତି।
