ଦାଦାବଟି ପାଇଁ ଘରେ ପଶି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ; ମାମଲା କରି ହାତବାନ୍ଧି ବସିଛି ପୁଲିସ, ଖୋଲାରେ ବୁଲୁଛି ଅପରାଧି
ଖୋର୍ଦ୍ଧା : ଖୋର୍ଦ୍ଧାଥାନା ଅନ୍ତର୍ଗତ ବାଟମଙ୍ଗଳା ହାଉସିଂବୋର୍ଡଠାରେ ରହୁଥିବା ସମ୍ବିତ କୁମାର ଖୁଁଟିଆଙ୍କ ଘରେ ପଶି ଦାଦାବଟି ପାଇଁ ବ୍ରହ୍ମପୁରର କୁଖ୍ୟାତ ଅପରାଧିୀ ମଙ୍ଗୁଳି ଓ ତାର ସହଯୋଗୀ ଆକ୍ରମଣ କରିଥିଲେ । ଏନେଇ ସମ୍ବିତ ଗତ ୨୪ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି । ଅନୁରୂପଭାବେ ଦାଦାବଟି ଆଦାୟ କରିବା ଅଭିଯୋଗରେ ଖଣ୍ଡଗିରି ଓ ଏୟରପୋର୍ଟ ଥାନାରେ ବି ମଙ୍ଗୁଳି ନାଁରେ ଅଭିଯୋଗ ହୋଇଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଗତ ୨୩ତାରିଖ ଦିନ ସମ୍ବିତଙ୍କ ବାଟମଙ୍ଗଳା ହାଉସିଂବୋର୍ଡସ୍ଥିତ ଘରେ ରାତି ପ୍ରାୟ ୧୦ଟା ସମୟରେ ଦୁଇଟି ଚାରିଚକିଆ ଗାଡିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବିଜେପି ନଗର ର ମଙ୍ଗୁଳି ପାତ୍ର(୪୪) ସାଙ୍ଗରେ ୧୫ଜଣ ସହଯୋଗୀଙ୍କୁ ଧରି ସମ୍ବିତ ଘରେ ପହଁଚିଥିଲା । ସେମାନେ ହାତରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ଘରେ ଭଙ୍ଗାରୁଜା କରିଥିଲେ । ଏନେଇ ସମ୍ବିତ ଥାନାରେ ଏକ ଲିଖିତ ଅଭିଯୋଗ କରିବାରେ ପୁଲିସ ୨୯୨/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।
ସେହିପରି ଉକ୍ତଦିନ ମଙ୍ଗୁଳି ଖଣ୍ଡଗିରି ପେଟ୍ରୋଲପମ୍ପ ମାଲିକଙ୍କ ଅଫିସରେ ମଧ୍ୟ ବନ୍ଧୁକ ଦେଖାଇ ହଙ୍ଗାମା କରିଥିଲା । ଏହାପରେ ପୋଖରୀପୁଟରେ ରହୁଥିବା ଚାଟାର୍ଡ ଆକାଉଁଟାଂଟ ମନୋଜ ପାତ୍ରଙ୍କ ଘରେ ମଙ୍ଗୁଳି ଓ ତାର ୧୦ରୁ ଉଦ୍ଧ୍ୱର୍ ସହଯୋଗୀ ପଶି ଦାଦାବଟି ମାଗିଥିଲେ । ଏପରିକି ସେଠାରେ ମଧ୍ୟ ସେ ଏବଂ ତାର ସହଯୋଗୀମାନେ ଆତଙ୍କରାଜ କରିଥିବାବେଳେ ଏନେଇ ମଧ୍ୟ ସେ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି ।