Odisha news

ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ : ମାଆ ପୁଅକୁ ଧାରୁଆ କାତି ରେ ହାଣି ହତ୍ୟା , ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା , ମାଆ କୁ ଗିରଫ

0

ଖଲ୍ଲିକୋଟ : ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡ ରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତି ରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ।ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି ।ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ ର ଗୋପପୁର ଗ୍ରାମରେ ।ଗୋପପୁର ହରିଜନ ସାହିର ଦୁଇତା ନାହାକ(୫୫)ଜଣେ ଶ୍ରମଜୀବୀ ମହିଳା ।ସ୍ୱାମୀ ଇନ୍ଦ୍ର ନାହାକ ୧୦ ବର୍ଷ ତଳେ ପରଲୋକ ଗମନ କରିଛନ୍ତି ।ଦୁଇ ପୁଅ ସୁକୁରିଆ ନାହାକ ଓ ଧନୁ ନାହାକ ।ସାନ ପୁଅ ଧନୁ ସୁରଟ ରେ କାମ କରୁଥିବା ବେଳେ ବଡ଼ ପୁଅ ସୁକୁରିଆ ଗ୍ରାମରେ ରହୁଥିଲେ ।ସୁକୁରିଆ ସବୁବେଳେ ମଦ୍ୟପାନ କରି ମାଆ କୁ ମାଡ଼ ମାରୁଥିବା ବେଳେ ଗ୍ରାମବାସୀ ଙ୍କ ସହ ମଧ୍ୟ ଗଣ୍ଡଗୋଳ କରେ ।

ସମସ୍ତେ ତାର ବ୍ୟବହାର ରେ ଅତିଷ୍ଠ ହୋଇଯାଇଥିଲେ ।ସାନ ପୁଅ ଧନୁ ଗତ କିଛି ଦିନ ତଳେ ସୁରଟ ରୁ ଫେରି କଞ୍ଚାନା ସଙ୍ଗରୋଧ କେନ୍ଦ୍ର ରେ ରହି ଘରକୁ ଆସିଥିଲା ।ଗତକାଲି ରାତିରେ ସୁକୁରିଆ ମାଆ କୁ ଖାଇବା ପାଇଁ ମାଗି ପ୍ରବଳ ମାଡ଼ ମାରିଥିଲା ।ସେ ଖାଇବା ପରେ ମଦ ନିଶାରେ ସୋଇପଡିଥିଲା ।ମାଡ଼ ଖାଇ ଖାଇ ଅତିଷ୍ଠ ହୋଇପଡିଥିବା ମାଆ ଦୁଇତା ଘରେ ଥିବା ଏକ ଧାରୁଆ କାତି ସାହାଯ୍ୟ ରେ ସୁକୁରିଆ ର ମୁଣ୍ଡ, ଛାତି, ହାତ, ଗୋଡ଼ ପ୍ରଭୃତି ସ୍ଥାନ କୁ ହାଣି ଦେଇଥିଲେ ।ଫଳରେ ଶୋଇବା ଘରେ ତାର ମୃତ୍ୟୁ ହୋଇଥିଲା ।ସୁକୁରିଆ ମରିଯିବା ପରେ ତାର ମୃତ ଦେହ କୁ ଘର ପଛ ପଟେ ମାଟି ଖୋଳି ପୋତିଦେଇଥିଲା ।

ସେହି ସାହିରେ ଥିବା ଜଣେ ସମ୍ପର୍କୀୟ ଙ୍କ ଘରେ ଶୋଇଥିବା ସାନ ପୁଅ ଧନୁ ସକାଳୁ ଆସି ମାଆ କୁ ଭାଇ ସମ୍ପର୍କରେ ପଚାରିବାରୁ ମାଆ ସବୁକଥା କହି ଦେଇଥିଲେ ।ଧନୁ ଏ ସମ୍ପର୍କରେ ଖଲ୍ଲିକୋଟ ପୋଲିସ କୁ ଜଣାଇବା ପରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।ପୋଲିସ ଆଗରେ ମାଆ ଦୁଇତା ସବୁକଥା ମାନି ଯାଇଥିଲା ।ଖଲ୍ଲିକୋଟ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଚକ୍ରଧର ପାଢ଼ୀ ଙ୍କ ଉପସ୍ଥିତ ରେ ମୃତ ଦେହକୁ ମାଟି ଭିତରୁ ବାହାର କରିଥିଲେ ।ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଚାନଭିନ କରି ହତ୍ୟା ରେ ବ୍ୟବହୃତ କାତି କୁ ଜବତ କରିଥିଲା ପୋଲିସ ।ମାଆ କୁ ଗିରଫ କରାଯିବା ସହ ସାନ ପୁଅ ଧନୁ କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୨୩୮/୨୦୨୦ ଦଫା ୩୦୨,୨୦୧,ଆଇ ପି ସି ଅନୁସାରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

 

Leave A Reply