ଖଲ୍ଲିକୋଟ ଓ ରମ୍ଭା ରେ ବନ ବିଭାଗର ଚଢ଼ାଉ,୫ଲକ୍ଷ ଟଙ୍କା ମୂଲ୍ୟ ର ବେଆଇନ କାଠ ଓ କରତ କଳ ଯନ୍ତ୍ରପାତି ଜବତ, ମାଲିକ ଫେରାର
ଖଲ୍ଲିକୋଟ–୨୪/୦୯–ଖଲ୍ଲିକୋଟ ଓ ରମ୍ଭା ଲାଉପୁଟ ଠାରେ ଚାଲିଥିବା ବେଆଇନ କରତ କଳ ଓ ବେଆଇନ ଗୋଦାମ ଉପରେ ଆଜି ଚଢ଼ାଉ କରିଛି ବନ ବିଭାଗ ।ଚଢ଼ାଉ ସମୟରେ ଜବତ ହୋଇଛି ବିପୁଳ ପରିମାଣର କାଠ ଓ କରତ କଳ ଯନ୍ତ୍ରପାତି ।କିନ୍ତୁ ଏହାର ମାଲିକ ମାନେ ଫେରାର ହେବାରେ ସଫଳ ହୋଇଯାଉଛନ୍ତି କେମିତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରମ୍ଭା ଲାଉପୁଟ ଠାରେ ଦୀର୍ଘ ଦିନ ଧରି ଏକ ବେଆଇନ କରତ କଳ ଚାଲିଥିବା ଏବଂ ଖଲ୍ଲିକୋଟ ଠାରେ ଜଣେ ବ୍ୟବସାୟୀ ବେଆଇନ ଭାବେ ମୂଲ୍ୟବାନ କାଠ ସବୁ ନିଜ ଗୋଦାମ ରେ ଗଚ୍ଛିତ କରି ରଖିଥିବା ଖବର ପାଇ ବନ ବିଭାଗ ଆଜି ଏହି ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲେ ।ବ୍ରହ୍ମପୁର ଡ଼ି ଏଫ ଓ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଅଶୋକ ବେହେରା ଓ ଏ. ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ସାହୁ ଓ ପୂର୍ବତନ ରେଞ୍ଜର ଦିଲ୍ଲୀପ ମାର୍ଥା, ଦିଗପହଣ୍ଡି ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀ,ଛତ୍ରପୁର ପୋଲିସ ଫୋର୍ସ ଏହି ଚଢ଼ାଉ ରେ ଅଂଶଗ୍ରହଣ କରିଥିଲେ ।ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ ।ପ୍ରଥମେ ରମ୍ଭା ଲାଉପୁଟ ଠାରେ ଚଢ଼ାଉ କରି ବେଆଇନ କରତ କଳ ର ଯନ୍ତ୍ରପାତି ସହ ବହୁ ମୂଲ୍ୟବାନ କାଠ ଜବତ କରିଥିଲେ ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଏହାପରେ ଖଲ୍ଲିକୋଟ ସହର ଉପକଣ୍ଠରେ ଥିବା ଶବର କଲୋନୀ ଠାରେ ଲକ୍ଷ୍ମୀ ଟ୍ରେଡେର୍ସ ନାମକ ଏକ କାଠ ଗୋଦାମ ରେ ଚଢ଼ାଉ କରି ସେଠାରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବହୁ ମୂଲ୍ୟବାନ କାଠ ଜବତ କରି ଥିଲେ ।ଯାହାର ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଜଣାପଡିଛି ।ତେବେ ଏହି ଦୁଇ ମାମଲାରେ ମାଲିକ ମାନେ କିନ୍ତୁ ଫେରାର ହେବାରେ ସଫଳ ହୋଇଛନ୍ତି ।ପୂର୍ବରୁ ମଧ୍ୟ ଖଲ୍ଲିକୋଟ ଅଞ୍ଚଳରେ ବନ ବିଭାଗ ବହୁବାର ଚଢ଼ାଉ କରି ବିପୁଳ ପରିମାଣର କାଠ ଓ କରତ କଳ ଯନ୍ତ୍ରପାତି ଜବତ କରିବା ରେ ସଫଳ ହୋଇଛି ।କିନ୍ତୁ ଏହାର ମାଲିକ ମାନଙ୍କୁ ଧରିବାରେ ବିଫଳ ହେଉଛି ।ସବୁଥର ଆମେ ଏ ସମ୍ପର୍କରେ ଅଧିକାରୀ ଙ୍କୁ ପଚାରିଲେ ସେହି ଚିରାଚରିତ ଢଙ୍ଗରେ ଉତ୍ତର ମିଳୁଛି ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଆସିବ ତାଙ୍କୁ ନିଶ୍ଚିତ ଗିରଫ କରାଯିବ ।କିନ୍ତୁ ଆଜିପର୍ଯ୍ୟନ୍ତ ତଦନ୍ତ ସରୁନାହିଁ କି କାହାରିକୁ ଗିରଫ କରାଯାଇପାରୁନି ।
ଏଠି ପ୍ରଶ୍ନ ଉଠୁଛି ଆଉ ବନ ବିଭାଗର ଅଧିକାରୀ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ସେମାନେ ଫେରାର ହେବାରେ ସକ୍ଷମ ହେଉନାହାନ୍ତି ତ?ଜାଣିଶୁଣି ସେମାନଙ୍କୁ ଆଉ ଥରେ ବ୍ୟବସାୟ କରିବା ପାଇଁ ସୁଯୋଗ ଦିଆଯାଉନାହିଁ ତ?ଏହି ସବୁ ପ୍ରଶ୍ନ ସାଧାରଣ ଜନତାଙ୍କ ମନ ରେ ଉଙ୍କି ମାରୁଛି ।ଅନ୍ୟ ପକ୍ଷରେ ଖଲ୍ଲିକୋଟ ର ଜୟଦୁର୍ଗା ପାହାଡ ରୁ ଟ୍ରାକ୍ଟର ଯୋଗେ ଅହରହ ବେଆଇନ ମୋରମ ଚାଲାଣ ଯୋଗୁଁ ଜୟଦୁର୍ଗା ପାହାଡ ଧସି ଯିବାର ଆଶଙ୍କା ସୃଷ୍ଟି ହେଲାଣି ।ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।