Odisha news

ଶୁଆକାଟିରେ ୧୧ ଦିନ ଧରି ଖଣିଜ ପରିବହନ ବନ୍ଦ କେଉଁ ସ୍ବାର୍ଥରେ : ସୂର୍ଯ୍ୟ କର

0

କେନ୍ଦୁଝର : ପ୍ରଶାସନର ନିଷ୍ପତ୍ତିକୁ ଅମାନ୍ୟ କରି ଶୁଆକାଟି ଟ୍ରକ ମାଲିକ ସଂଘ ୧୧ ଦିନ ହେଲା ଆନ୍ଦୋଳନ ଜାରି ରଖିଛି। ଫଳରେ ଓଏମସଇ ଖଣିରୁ ଖଣିଜ ପରିବହନ ବନ୍ଦ ହୋଇଯାଇଛି। ଫଳରେ ହଜାର ହଜାର ଟ୍ରକ ମାଲିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଛନ୍ତି।ଏହା ସତ୍ବେ ଟ୍ରକ ମାଲିକଙ୍କୁ ବୁଝାସୁଝା କରି ଆନ୍ଦୋଳନ ପ୍ରତ୍ୟାହାର କରିବାପାଇଁ ଓ ଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଓ ଶୁଆକାଟି ଟ୍ରକ ମାଲିକ ସଂଘରେ  ଓଏମସି ଖଣିରୁ ଲୋଡିଂ ଟୋକନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ଦେବଯାନୀ ଚକ୍ରବର୍ତ୍ତୀ ଉଭୟ ସଂଘର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିଥିଲେ। ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସୁରୁଖୁରୁରେ ଲୋଡିଂ ଚାଲିଥିଲା। ବର୍ତ୍ତମାନ ଓଏମସି ଖଣିରୁ ପ୍ରତିଦିନ ବାହାରୁଥିବା ଲୋଡିଂ ଇଣ୍ଡେନରେ ସୋମବାର ଶୁଆକାଟି ଟ୍ରକ ମାଲିକ ସଂଘକୁ ୨୨ ପ୍ରତିଶତ ଏବଂ ଅନ୍ୟଦିନ ଗୁଡିକରେ ୧୪ପ୍ରତିଶତ ପ୍ରଦାନ କରାଯାଇଛି, ।ଏହା ସତ୍ବେ ଶୁଆକାଟି ଟ୍ରକ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇ ଖଣିଜ ପରିବହନ ବନ୍ଦ କରାଯାଇଛି। ବର୍ତ୍ତମାନ ଶୁଆକାଟି ଟ୍ରକ ମାଲିକ ସଂଘ ୨୫ ପ୍ରତିଶତ ଲୋଡିଂ ଟୋକନ ଦାବି କରି ଆନ୍ଦୋଳନ କରୁଛି। ପ୍ରତିଦିନ ଓଏମସି ଇଣ୍ଡେନ ଦେଉଛି।

ପୁଣି ଏହାକୁ କାହା ସ୍ୱାର୍ଥରେ ବନ୍ଦ କରୁଛି ବୋଲି ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ପ୍ରକାଶ କରିଛନ୍ତି। ଶୁଆକାଟି ଖଣିରେ ଶୁଆକାଟି ଲୋଡିଂ ଏଜଏନ୍ସ ବେଆଇନଭାବେ ଲୋଡିଂ କାର୍ଯ୍ୟ ନେଇଛି। ଜିଲ୍ଲାରେ ଥିବା ଅନ୍ୟ ଖଣିରେ ଟନ୍ ପିଛା ଲୋଡିଂ ପାଇଁ ୧୫ ରୁ ୨୦ ଟଙ୍କା କରାଯାଇଥିବା ବେଳେ ଏଠାରେ ଟନ୍ ପିଛା ୬୦ ଟଙ୍କା ନିଆଁ ଯାଇଛି। ଲୋଡିଂ ଏଜଏନ୍ସ ବିନା ଟେନଡରରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ଲୋଡିଂ କାର୍ଯ୍ୟର ଟେନଡର କରାଗଲେ ସରକାରଙ୍କ ରାଜସ୍ବ ବଢିବ ବୋଲି ଶ୍ରୀ କର କହିଛନ୍ତି। ଅନ୍ୟପକ୍ଷରେ ଏହି ଖଣି ଉପରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ୬ ହଜାରରୁ ଅଧିକ ସଦସ୍ୟ ଓ ଶୁଆକାଟି ଟ୍ରକ ମାଲିକ ସଂଘର ଦୁଇଶହ ଟ୍ରକ ମାଲିକ ନିର୍ଭର କରିଥାନ୍ତି। ଏହି ଦୁଇ ସଂଘର ଟ୍ରକରେ ଖଣିର ବିଭିନ୍ନ ସ୍ଥାନକୁ ଲୁହାପଥର ପରିବହନ ହୋଇଥାଏ। ତେବେ ୧୧ଦିନ ହେଲା ଖଣିରୁ ପରିବହନ ବନ୍ଦ ଥିବା ବେଳେ ହଜାର ହଜାର ଟ୍ରକ ଛିଡ଼ା ହୋଇଛନ୍ତି। ଫଳରେ ଟ୍ରକ ମାଲିକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ନିଷ୍ପତ୍ତିକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସର୍ବଦା ସନମାନ ଜଣାଇ ଆସିଛି ବୋଲି ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଯିବ ବୋଲି ସେ କହିଛନ୍ତି। ପ୍ରଶାସନର ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରି ନହେଲେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Govt
Leave A Reply