କେନ୍ଦ୍ରାପଡା-୨୦/୦୧: ରାଜ୍ୟ ନିର୍ବାଚନ କମିଶନ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ଏହା ସହ ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ଆଶାୟୀ ପ୍ରାର୍ଥୀ କୈାଣସି ର୍ୟାଲି କରିବା, ସ୍ଲୋଗାନ ଦେବା, ଦଳବଳ ନେଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ପଟୁଆର ରେ ଆସିପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଛି । ମାତ୍ର ଏହାକୁ ଖୋଲାଖୋଲି ଉଲଙ୍ଘନ କରି କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ହଜାର ହଜାର ଦଳୀୟ ସମର୍ଥକ, ନେତା ଓ କର୍ମୀମାନେ ଗହଳି କରି ଆଦର୍ଶ ଆଚରଣ ବିଧି ଓ କରୋନା କଟକଣାକୁ ଉଲଙ୍ଘନ କରୁଥିବା ଦେଖା ଦେଇଛି । ଏହି ନେତା ଓ କର୍ମୀଙ୍କ ମୁହଁରେ ମାକ୍ସ ନଥିବା ବେଳେ ସାମାଜିକ ଦୂରତା ଆଦୈା ରକ୍ଷା କାରାଯାଉ ନାହିଁ । ଏହା ସହ କାର୍ଯ୍ୟାଳୟ ପରିସରରେ ଜିନ୍ଦାବାଦ ନାରା ଦେଇ ଆଚରଣ ବିଧିକୁ ଉଲଙ୍ଘନ କରାଯାଉଛି । ପ୍ରାର୍ଥୀପତ୍ର ଦାଖଲର ଆସନ୍ତା କାଲି ଅନ୍ତିମ ଦିନ ଥିବାବେଳେ ନେତା ଓ କର୍ମୀଙ୍କ ଗହଳିରେ କରୋନା ସଂକ୍ରମଣର ଭୟ ବହୁଗୁଣରେ ବଢି ଯାଇଛି । ଏହା ସହିତ ଏବେଠାରୁ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରି ପ୍ରାର୍ଥୀପତ୍ର ଦାଖଲ କରାଯାଉ ଥିବାବେଳେ ଆସନ୍ତା ନିର୍ବାଚନ କେତେ ନିରପେକ୍ଷ ହେବ ଏହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।