Odisha news

ଡେରାବିଶି ଥାନା ପୋଲିସର ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

କେନ୍ଦ୍ରାପଡା, ୧୦/୧୦ – ଡେରାବିଶି ଥାନା ପୋଲିସର ଉଦାସୀନତା ବିରୋଧରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଡିତ ପରିବାର ପକ୍ଷରୁ ଧାରଣା ଦିଆଯାଇଥିବାର ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଡେରାବିଶି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ଝିଅ ଲିପିକା ସାହୁ ସେହି ଥାନା ଅନ୍ତର୍ଗତ ନୋଳସାହି ଗ୍ରାମର ଭାଗବତ ସାହୁଙ୍କ ପୁଅ ଭରତ ସାହୁଙ୍କୁ ବିବାହ କରିଥିଲେ । ଲିପିକା ଶାଶୁଘର ଲୋକମାନେ ମିଳିମିଶି ଅଧିକ ଯୈ÷ାତୁକ ପାଇଁ ତା’କୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ । ସେହି ଅଧିକ ଯୋତୁକ ବାପଘର ନଦେଇପାରିବାରୁ ଲିପିକାକୁ ଶାଶୁଘର ଲୋକେ ଜୀବନରେ ମାରିଦେଇଥିବା ଅଭିଯୋଗ ହୋଇଛି ।

ଲିପିକା ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନମାନ ରହିଛି । ଏସମ୍ପର୍କରେ ଲିପିକାର ବାପା ଡେରାବିଶି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସେହି ଅଭିଯୋଗ ଉପରେ ଥାନାରେ ୧୬୭/୨୦୨୦ରେ ୪୯୮(କ),୩୦୨,୩୦୪(ଖ) ଓ ୩୪ ଦଫାରେ ଏବଂ ଯୈ÷ାତୁକ ନିରୋଧ ଆଇନର ୪ଧାରାରେ ମାମଲା ରୁଜୁ ହୋଇଛି । କିନ୍ତୁ ଅଭିଯୁକ୍ତମାନେ ଗ୍ରାମରେ ବୁଲୁଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଅଭିଯୁକ୍ତମାନେ ମାମଲା ନଉଠାଇଲେ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତେଣୁ ସେମାନଙ୍କୁ ସୁରକ୍ଷା ପ୍ରଦାନ ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବୀରେ ପିଡିତ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରୀନେତ୍ରୀ ମମତା ସାମଲଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି ।

Leave A Reply