ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିବା ପରେ ଡାକ୍ତରଖାନାରେ ତୁରନ୍ତ ଆଞ୍ଚିଓପ୍ଲାଷ୍ଟି କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି କପିଳ ଦେବ ସୁସ୍ଥ ଥିବା ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ଘରକୁ ଫେରିବେ ବୋଲି କପିଳ ଆଶାବ୍ୟକ୍ତ କରିଛନ୍ତି। କପିଳଙ୍କୁ ହୃଦ୍ଘାତ ହୋଇଥିବା ଖବର ପାଇବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି କ୍ରିକେଟର୍, କ୍ରୀଡ଼ାବିତ୍ଙ୍କ ସହ ବିଭିନ୍ନ ବର୍ଗର ଲୋକ ବାର୍ତ୍ତା ଛାଡ଼ିଥିଲେ। ତାଙ୍କ ଆଶୁ ଆରୋଗ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ କପିିଳ ଦେବ କୃତଜ୍ଞତା ଜଣାଇଛନ୍ତି। ସୂଚନାଥାଉକି ୧୯୮୩ରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବିଶ୍ବକପ୍ ଜିତିଥିଲା। ସେ ଦୀର୍ଘ ୧୬ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ୬୮୭ଟି ୱିକେଟ୍ ହାସଲ କରିଥିବା ବେଳେ ପାଖାପାଖି ୯ ହଜାର ରନ୍ ସଂଗ୍ରହ କରିଥିଲେ। ୧୯୯୪ରେ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିବା ପରେ କପିଳ ଭାରତୀୟ ଦଳର ପ୍ରଶିକ୍ଷକ ଓ ମନୋନୟନକାରୀ ଥିଲେ। ୨୦୦୨ରେ କପିଳଙ୍କୁ ୱିସଡେନ୍ ତରଫରୁ ଶତାବ୍ଦୀର ଶ୍ରେଷ୍ଠ ଭାରତୀୟ କ୍ରିକେଟର୍ ଭାବେ ଘୋଷଣା କରାଯାଇଥିଲା।