ଫୁଲବାଣୀ : କନ୍ଧମାଳ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୨୦ଟି ଟିଫିନ୍ ବୋମାକୁ ଗତକାଲି ଜବାନ ମାନେ ଉଦ୍ଧାର କରିଛନ୍ତି । ମାଓବାଦୀ ମାନେ ବୋଧହୁଏ ଏକ ବଡ ଧରଣର ହମଲା କରିବା ପାଇଁ ପୋଲିସକୁ ଟାର୍ଗେଟ୍ କରିଥିଲେ । ତେବେ, କୋଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ଚକାପାଦ ରିଜର୍ଭ ଜଙ୍ଗଲରେ କମ୍ବିଂ ଅପରେସନ କରି ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଏହି ଟିଫିନ୍ ବୋମା ଗୁଡିକୁ ସତର୍କତାର ସହ ନଷ୍ଟ କରିଥିଲେ । ତେବେ, ଲକଡାଉନ୍ ସମୟରେ ମାଓବାଦୀ ମାନେ ପୋଲିସ ପେଟ୍ରୋଲିଂ ଗାଡିକୁ ଉଡାଇବା ଲାଗି ଯୋଜନା କରିଥିଲେ । ତେବେ, ସେମାନଙ୍କ ଯୋଜନା ପଣ୍ଡ କରିଥିଲେ ଏସଓଜି ଓ ଡିଭିଏଫ ଜବାନ ମାନେ । ଗତ ଦୁଇଦିନ ଧରି ଏସଓଜି ଓ ଡିଭିଏଫ ଜବାନ ମାନେ ଘଂଚ ଜଙ୍ଗଲରେ ଏକ ଗଛମୂଳ ନିକଟରୁ ଏସବୁ ଟିଫିନ୍ ବୋମା ଗୁଡିକୁ ଉଦ୍ଧାର କରିଥିଲେ । ଚକାପାଦ ଏକ ଘାଟି ଅଂଚଳ ହୋଇଥିବା ସହ ଦଶପଲ୍ଲାକୁ ଲାଗିଛି ଏହାର ଜଙ୍ଗଲ । ଏବେ ଲକଡାଉନ୍ ଲାଗି ପୋଲିସ ଏହି ରାସ୍ତାରେ ଆଇନ ଶୃଙ୍ଖଳା ପାଇଁ ଦିନରାତି ପେଟ୍ରୋଲିଂ କରୁଛି । ଏହି ସୁଯୋଗରେ ଘାଟିର ଅଙ୍କାବଙ୍କା ରାସ୍ତା ଓ ପୋଲ ନିକଟରେ ବୋମା ଖଂଜିବା ଯୋଜନା ଥିଲା ମାଓବାଦୀଙ୍କର । ଆଜି ବି ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ ଜାରୀ ରହିଛି । ମାଓବାଦୀଙ୍କ ଏକ କ୍ୟାମ୍ପ ମଧ୍ୟ ଜଙ୍ଗଲରେ ଥିବା କୁହାଯାଉଛି ।