ପୁରୀ :ମହାମାରୀ କରୋନା ସଂକ୍ରମଣ ଜନିତ ଲକ୍ ଡ଼ାଉନ କଟକଣା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଚଳିତ ଗତାନୁଗତିକ ଧାରାକୁ ବଳାଇଦେଇଛି । ବିଧିରକ୍ଷା ଲାଗି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଦେଇଥିବା ପରାମର୍ଶ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବା ସହିତ ନୂଆ ଇତିହାସ ସୃଷ୍ଟି କରିଛି । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀମନ୍ଦିର ବାହାର ବେଢାରେ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ କାଠ ଅନୁକୂଳ । ଏତଦ୍ବ୍ୟତୀତ ରାଜ୍ୟ ସରକାର ଶ୍ରୀମନ୍ଦିରରପରିଚାଳନାଭାର ଗ୍ରହଣ କରିବା ପରଠାରୁ ପ୍ରଥମଥର ଲାଗି ମହାପ୍ରଭୁ ନରେନ୍ଦ୍ର ପୁଷ୍କରଣୀ ପରିବର୍ତ୍ତେ ଶ୍ରୀମନ୍ଦିର ପରିସରସ୍ଥିତ ଜଳକ୍ରୀଡ଼ା ମଣ୍ଡପରେ ଖେଳିଛନ୍ତି ଚାପ । ଆଜି ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ରୋଷହୋମ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନ ବେଢ଼ା, ଖଈକୋରା ଭୋଗ, ସର୍ବାଙ୍ଗ, ବେଶ, ଦକ୍ଷିଣି ଘର ଭୋଗ, ଜାତ ଭୋଜ ଓ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି ଯଥାବିଧି ସମ୍ପନ୍ନ ହୋଇଥିଲା । ଅପରାହ୍ନ ୫ଟା ୧୦ରେ ମୁକ୍ତିମଣ୍ଡପ ତଳେ ଥିବା ମଣି ବିମାନକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯାଇଥିଲା । ୩ଜଣ ପୂଜାପଣ୍ଡା ସେବକ ଆଜ୍ଞାମାଳ ଧରି ସାତପାହାଚ ଦ୍ୱାରରେ ଛିଡା ହୋଇଥିଲେ । ପରେ ପଣ୍ଡା ଦ୍ୱାର ଦେଇ ଠାକୁର ବିମାନକୁ ବିଜେ କରିଥିଲେ । ଦେବୀ ବିମଳାଙ୍କ ମନ୍ଦିର ନିକଟସ୍ଥ ରୋହିଣି କୁଣ୍ଡକୁ ଲାଗି ରହିଥିବା ଜଳକ୍ରୀଡା ମଣ୍ଡପ ଆଗରେ ୨ଟି ଚାପର ପ୍ରତୀକ ସ୍ୱରୂପ ୨ଟି ଖଟ ପକାଯାଇଥିଲା । ଗୋଟିଏ ଖଟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିଜେ କରିଥିବା ବେଳେ ଅନ୍ୟ ଖଟରେ ରାମକୃଷ୍ଣ ଓ ପଞ୍ଚ ମହାଦେବଙ୍କୁ ବିଜେ କରାଯାଇଥିଲା ।ଠାକୁର ଠାକୁରାଣୀଙ୍କୁ ନିଆଯାଇ ଜଳକ୍ରୀଡା ମଣ୍ଡପରେ ଉଭୟ ଦିନ ଓ ରାତିଚାପ ପ୍ରତିକାତ୍ମକ ଭାବେ ସମ୍ପନ୍ନ ହୋଇଥିଲା । ୨୧ଦିନ ଧରି ଅନୁରୂପ ଭାବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସମ୍ପନ୍ନ ହେବାକୁ ସ୍ଥର କରାଯାଇଛି । ସେହି ପରି ସ୍ନାନବେଦୀ ତଳେ ପରମ୍ପରା ଅନୁଯାୟୀ ରଥ ଅନୁକୂଳ କରାଯାଇଥିଲା । ବିଶ୍ୱକର୍ମା, ରଥ ଭୋଇ, କମାର ଓ ରଥ ନିର୍ମାଣର ୨୧ଜଣ ସ୍ଥପତିଙ୍କୁ ଶାଢ଼ି ବନ୍ଧା ଯାଇଥିଲା । ସେଠାରେ ବନଜାଗ ବିଧି ସମ୍ପନ୍ନ କରାଯାଇ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା । ସାମାଜିକ ଦୂରତ୍ୱ ବଜାୟ ରଖି ଅଳ୍ପକିଛି ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଉପସ୍ଥିତିରେ ୩ଖଣ୍ଡ ଧଉରା କାଠରେ ସୁନା, ରୂପା ଓ ଲୁହା କୁରାଢ଼ୀ ଲଗାଯାଇ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ରଥ ଅନୁକୂଳ ଯେପରି ବାହାରକୁ ଦୃଶ୍ୟମାନ ନହେବ ସେଥିପାଇଁ ଅନୁକୂଳ ସ୍ଥଳକୁ କନାରେ ଆଚ୍ଛାଦିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ବା ଚାପ ଖେଳ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ରର ଚନ୍ଦନ ଘରେ ୩ଟି କୁଣ୍ଡ ଥାଏ । ଗୋଟିଏ କୁଣ୍ଡରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଏବଂ ଅନ୍ୟ ଏକ କୁଣ୍ଡରେ ରାମକୃଷ୍ଣ ଜଳକ୍ରୀଡା କରିଥାନ୍ତି । ତୃତୀୟ କୁଣ୍ଡରେ ପଞ୍ଚ ମହାଦେବ ଜଳକ୍ରୀଡା କରନ୍ତି କିନ୍ତୁ ଶ୍ରୀମନ୍ଦିର ଭିତରେ ଗୋଟିଏ ଜଳକ୍ରୀଡା ମଣ୍ଡପକୁ ୩ଭାଗରେ ବିଭକ୍ତ କରାଯାଇ ଆଜି ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥିଲା ।