କଣାସ:ଚିଲିକାରେ ଥିବା ନଳବନରେ କୌଣସି କାରଣରୁ ନିଆଁଲାଗି ୨୮ଟି ପଞ୍ଚାୟତର ଗାଁ ରୁ ବଜାର ସବୁଠି ପାଉଁସ ପଡିଛି ଲୋକେ ଭୟବିତ
କଣାସ ତା-୦୫/୦୪/୨୦୨୦ :କରୋନା ଭାଇରସ ଯୋଗୁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିବା ବେଳେ କାଲି ସକାଳୁ କଣାସ ବ୍ଲକର ୨୮ଟି ପଞ୍ଚାୟତର ପ୍ରାୟ ଅଧିକାଂଶ ଗ୍ରାମ ଓ ବଜାର ମାନଙ୍କରେ ପାଉଁସ ପଡିଥିବାର ଦେଖି ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏପଟେ ଲକ ଡାଉନ ଯୋଗୁ ସାଧାରଣ ଲୋକମାନେ ଘରୁ ବାହାରୁ ନଥିବା ବେଳେ ଏହି ପାଉଁସ କୁ ଦେଖି ବିଭିନ୍ନ ଗୁଜବ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି। ଖବର ନେବାରୁ ଜଣାପଡିଛି ଯେ ଏସିଆ ମହାଦେଶ ର ସର୍ବ ବୃହତ ଚିଲିକାରେ ଥିବା ନଳବନରେ କୌଣସି କାରଣରୁ ନିଆଁଲାଗି ଏଭଳି ହେଇଛି। ଫଳରେ ଚିଲିକା ର ଆଖପାଖ ଲୋକେ ରାତ୍ରିରେ ଏହି ନିଆଁ କୁ ଦେଖି କିଛି ବୁଝିନପାରି ଭୟବିତ ହୋଇପଡିଥିଲେ। ନଳବନ ରେ ନିଆଁ ଲାଗିବା ଯୋଗୁ ପାଉଁସ ଗୁଡି଼କ ଆସି ନିକଟସ୍ତ ଗ୍ରାମ ଗୁଡି଼କରେ ପଡିବାରୁ ଗ୍ରାମରେ ନିଆଁ ଲାଗିଯିବ ବୋଲି ଲୋକମାନେ ଭୟବିତ ହୋଇଯାଇଥିଲେ। ଏହି ନଳବନରେ ଚିଲିକା ର ସୌନ୍ଦର୍ଯ୍ୟ ବଢାଉଥିବା କେତେକ ବିଦେଶାଗତ ପକ୍ଷୀ ଓ ଦେଶୀୟ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚିଲିକାରେ ନାଭାଲ ତରଫରୁ ପ୍ରଶାସନ କଡା ନଜର ରଖିଥିବା ବେଳେ ଏହି ଅଗ୍ନିକାଣ୍ଡର କାରଣ କଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ଏହା କୌଣସି ଦୁର୍ବୁତ୍ତ ଦ୍ୱାରା ହୋଇଛି ବୋଲି ଆଲୋଚନା ହେଉଛି। ତୁରନ୍ତ ଏ ସଂକ୍ରାନ୍ତରେ ତଦନ୍ତ କରାଯାଇ ଦୋଷୀ କୁ ଦଣ୍ଡବିଧାନ ପାଇଁ ସାଧାରଣ ଲୋକେ ଚିଲିକା ଉନ୍ନୟନ ଅଧିକାରୀଙ୍କୁ ଦାବି ଜଣାଇଛନ୍ତି।