କାକଟପୁର 19/6 ସରକାରଙ୍କ ଅଧୀନରେ ଚାଲୁଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ମାନଙ୍କରେ (ADVT NO 4868/SSD/XVI-11/2021) ଅନୁଯାୟୀ ସ୍ନାତକଶିକ୍ଷକ(TGT) ନିଯୁକ୍ତି ନିମନ୍ତେ ୨୦୨୨ ମସିହା ଅଗଷ୍ଟ ମାସ ୨୮ ତାରିଖ ଦିନ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉକ୍ତ ପରୀକ୍ଷାରେ ମେରିଟରେ ଥିବା ଯୋଗ୍ୟ ପ୍ରାଥିଙ୍କୁ ନିଯୁକ୍ତି ନଦେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ମେରିଟ ଲିଷ୍ଟର ତଳ ଆଡ଼କୁ ଥିବା କେବଳ ନିଜ ଜିଲ୍ଳାର ପ୍ରାଥି/ପ୍ରାଥିନୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। କିନ୍ତୁ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ମେରିଟ ଲିଷ୍ଟ ଅନୁସାରେ ଯୋଗ୍ୟ ପ୍ରାଥିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। କନ୍ଧମାଳ ଜିଲ୍ଲା ପ୍ରଶାସନର ଏଭଳି ଭୁଲ୍ ନିଷ୍ପତ୍ତି ବିଷୟରେ ଅବଗତ ହେଲାପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସଚିବ , କେବଳ ମେରିଟ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାଥି/ପ୍ରାର୍ଥୀନୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଯେଉଁ କ୍ଷେତ୍ରରେ ଦୁଇଜଣ ପ୍ରାର୍ଥୀ ସମାନ ମାର୍କ ରଖିଥିବେ ସେଭଳି ପରିସ୍ଥିତିରେ ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ସଚିବଙ୍କ ଏହି ନିର୍ଦ୍ଦେଶନାମା ବଳରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପୂର୍ବରୁ ନିଯୁକ୍ତି ଦେଇଥିବା ପ୍ରାର୍ଥୀ/ପ୍ରାଥିନୀ ମାନଙ୍କ ମଧ୍ୟରୁ ୧୭ ଜଣ ଅଯୋଗ୍ୟ ପ୍ରାର୍ଥୀ/ପ୍ରାଥିନୀ ଙ୍କୁ ଚାକିରିରୁ ବହିଷ୍କୃତ କରି ସେମାନଙ୍କ ସ୍ଥାନରେ ମେରିଟ ଲିଷ୍ଟ ଅନୁସାରେ ପ୍ରକୃତ ଯୋଗ୍ୟ ପ୍ରାର୍ଥଙ୍କୁ ସାର୍ଟିଫିକେଟ ଯାଞ୍ଚ ତଥା ନିଯୁକ୍ତି ପତ୍ର ଦେବା ନିମନ୍ତେ ୨୦୨୨ ସେପ୍ଟେମ୍ବର ୩୦ ତାରିଖ ଦିନ ଡାକିଥିଲେ। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବହିଷ୍କୃତ ହୋଇଥିବା ସେହି ୧୭ ଜଣ ପ୍ରାର୍ଥୀ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇ କେସ ନମ୍ୱର ୨୪୬୪୩/୨୦୨୨ ଅନୁସାରେ ୨୦୨୨ ସେପ୍ଟେମ୍ବର ୨୬ ତାରିଖ ଠାରୁ ନିଯୁକ୍ତି ପ୍ରକ୍ରିୟା ବିରୁଦ୍ଧରେ ରହିତାଦେଶ ଆଣିଥିଲେ। ଏଥି ଯୋଗୁଁ ଦୀର୍ଘ ୧ ବର୍ଷ ଧରି ଏହି ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି। ସମସ୍ତ ଯୋଗ୍ୟତା ହାସଲ କରିବା ସହିତ ମେରିଟ ଲିଷ୍ଟରେ ଥାଇ ମଧ୍ୟ ନିଯୁକ୍ତି ନମିଳିବାରୁ ଜିତେନ୍ଦ୍ର କୁମାର ଦାଶ, ଏମ ଏସ ସଚିଶ, ଜ୍ୟୋତିରଂଜନ ସାନ୍ତରା, ଅମ୍ରିତା କମ୍ପୋ, ଅସ୍ମକାନ୍ତ ଭୋକ୍ତା, ଶାନ୍ତନୁ କୁମାର ବାହିନୀପତି, ଲିପୁ ରଞ୍ଜନ ପ୍ରଧାନ, ସୁଷମା ମହାନ୍ତି, ପାୟଲ ମହାନ୍ତି, ସାରଦା ପ୍ରସନ୍ନ ମଙ୍ଗରାଜ, ମାନସ ରଞ୍ଜନ ମହାକୁଡ, ରିତା ରାଉତ, ବିବନ ଅପ୍ରଭାନ ରଣସିଂହ,ସୁରେନ୍ଦ୍ର ମୋହନ ପୋଲେଇ,ବିଧୁଭୂଷଣ ପାତ୍ର ଓ ଶାନ୍ତନୁ କୁମାର ମହାରଣା ପ୍ରମୁଖ କେତେକ ଜିଲ୍ଲା ର ପ୍ରାର୍ଥୀ/ପ୍ରାର୍ଥୀନୀ ଏତତ୍ ଦ୍ଵାରା ରାଜ୍ୟ ସରକାର, କନ୍ଧମାଳ ଜିଲ୍ଲା ପ୍ରଶାସନ, ବିଭାଗୀୟ ସଚିବ ଏବଂ ମାନନୀୟ ଉଚ୍ଚ ନ୍ୟାୟାଳୟଙ୍କୁ ତୁରନ୍ତ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ଗ୍ରହଣ ସ୍ୱରୂପ ରହିତାଦେଶକୁ ପ୍ରତ୍ୟାହାର କରି କନ୍ଧମାଳ ଜିଲ୍ଲାରେ ବନ୍ଦ ପଡ଼ିଥିବା ସ୍ନାତକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଯୋଗ୍ୟ ପ୍ରାର୍ଥୀ/ପ୍ରାଥିନୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।