ଛତ୍ରପୁର,୧୫/୯ : ମଙ୍ଗଳବାର ଅପରାହ୍ନ ଛତ୍ରପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଏଡିଜେ)ଙ୍କ କାରକୁ ଏକ କଣ୍ଟେନର ଧକ୍କା ଦେଇଛି । ଫଳରେ ଏଡିଜେଙ୍କ ପୁତ୍ର ପ୍ରିତ୍ ସୁନ୍ଦର ଓ କାର ଚାଳକ ରଂଜନ କୁମାର ସ୍ୱାଇଁ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଓ ଛତ୍ରପୁର ଥାନା ପୁଲିସ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସୂଚନା ପାଇ ଛତ୍ରପୁର ଡାକ୍ତରଖାନାରେ ଛତ୍ରପୁର ସବ୍ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ, ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ଏସଡିପିଓ ଗୈାତମ କିଷାନ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ତହସିଲଦାର ନୀଳମାଧବ ଭୋଇ ଓ ବହୁ ସଂଖ୍ୟକ ଆଇନଜୀବୀ ପହଞ୍ଚି ଆହାତମାନଙ୍କ ଉତ୍ତମ ଚିକିତ୍ସା ଲାଗି ସହଯୋଗ କରିଥିଲେ । ଛତ୍ରପୁର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଏନ୍ଏଲ୍୦୧କିୟ୍ୟୁ-୩୬୭୨ ନମ୍ବର କଣ୍ଟେନର ଏବଂ କଣ୍ଟେନର ଡ୍ରାଇଭର ସୋନୁ ଓ ହେଲ୍ପର ଲଲିତକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ।
ସୂଚାନୁସାରେ, ଆଜି ଅପରାହ୍ନରେ ଛତ୍ରପୁର ଏଡିଜେ ଏବଂ ତାଙ୍କରି ପୁତ୍ର ପ୍ରିତ୍ ସୁନ୍ଦର ଓଡି୦୨ଏଏସ୍-୯୦୧୧ ନମ୍ବର ଏକ କାରରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ସେହି ରାସ୍ତା ଦେଇ କଲିକତା ଯାଉଥିବା ଏନ୍ଏଲ୍୦୧କିୟ୍ୟୁ-୩୬୭୨ ନମ୍ବର ଏକ ସ୍କୁଟି ବୋଝେଇ କଣ୍ଟେନର କାର ପଛକୁ ଧକ୍କା ଦେଇଥିଲା । ଫଳରେ କାର ଚାଳକ ଏବଂ ଏଡିଜେଙ୍କ ପୁତ୍ର ଆହତ ହୋଇଥିଲେ ।