ଯୋଡା, ୨୩ା୧ : ଯୋଡା ସହର ମଧ୍ୟ ଦେଇ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲୁଥିବା ବେଳେ ଏହା ଆଗାମୀ ଦିନରେ ଉଦ୍ଘାଟନ କରିବାର ଦିନ ଧାର୍ଯ୍ୟ ହୋଇଥିବା ଜାଣିବାକୁ ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହି ଫ୍ଲାଏ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱୀତ କରାଯାଉଛି । ଫଳରେ ଫ୍ଲାଏ ଓଭର ନିର୍ମାଣର ଠିକା ସଂସ୍ଥା ଚେଭରକ୍ସ କମ୍ପାନୀ ସୁରକ୍ଷାରେ ଢିଲା ଯୋଗୁଁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ କରାଯାଉଛି । ସୁରକ୍ଷାରେ ଢିଲା ଯୋଗୁଁ ପୁନଃର୍ବାର ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କର ଅକାଳ ମୃତୁ୍ୟ ଘଟିଥିବା ବେଳେ ସୌଭାଗ୍ୟ ବସତଃ ଅନ୍ୟମାନେ ନିଶ୍ଚିନ୍ତ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା ପାଇଁ ତଳେ ଯାଇଥିବା ପାଣି ପାଇପ ଲାଇନକୁ ସାଇଜ କରିବା ସମୟରେ କମାରଯୋଡା ନିକଟରେ ପ୍ରାୟ ୧୫ ଫୁଟ ଉପରୁ ମାଟି ଧସି ପଡିଥିଲା । ଏହି ପାଇପ ଲାଇନରେ ୫ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ମାଟି ତଳେ ୨ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ଅଧା ପର୍ଯ୍ୟନ୍ତ ପୋତି ହୋଇଯାଇଥିଲେ । ସେଠାରେ କାର୍ଯ୍ୟ କରୁଥିବା ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ବାହାରକୁ ଧାଇଁ ଆସି ୨ଜଣ ଶ୍ରମିକ ଚରଣ ଲୋହାର ଓ ଅର୍ଜୁନ ଲୋହାର ମାଟି ତଳେ ପୋତିହୋଇଯାଇଥିବା ସୂଚନା ଦେଇଥିଲେ । ତେବେ ପରେ ସତର୍କତା ସହିତ ଜେସିବି ମେସିନ ସାହାଯ୍ୟରେ ମାଟି ବାହାର କରାଯାଇ ଉଭୟଙ୍କୁ ସେଠାରୁ ଅଗ୍ନିସମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଥିଲା । ତେବେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଏହି ଉଦ୍ଧାର କାର୍ଯ୍ୟ ସମାହିତ ହୋଇଥିବା ପ୍ରତେକ୍ଷଦର୍ଶୀ ଶ୍ରମିକ ମୁକେଶ ସର୍ଦ୍ଦାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ମାଟି ତଳୁ ୨ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଜଣଙ୍କୁ ଟାଟା ଷ୍ଟିଲ ଡାକ୍ତରଖାନା ଓ ଅନ୍ୟ ଜଣଙ୍କୁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଶତାଧିକ ଶ୍ରମିକ ରଣାଶାଳ ଘାଟି ନିକଟ ଚେଭରକ୍ସ କମ୍ପାନୀର କାର୍ଯ୍ୟାଳୟକୁ ଘେରାଓ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସମ୍ପୃକ୍ତ ଠିକା ସଂସ୍ଥାର କୌଣସି ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳିନଥିଲା । ସେପଟେ ଉଭୟ ଶ୍ରମିକଙ୍କ ମୃତୁ୍ୟ ପରେ ସେମାନଙ୍କ ପରିବାର ବର୍ଗ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତକ ଚରଣ ଲୋହାର ଓ ଅର୍ଜୁନ ଲୋହାର ୨ଜଣ ଶ୍ରମିକ ଯୋଡା ପୌରପାଳିକା ଅନ୍ତର୍ଗତ ତଲକ ହାଟିଂର ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଆୟତ୍ତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।