ଜଗତସିଂହପୁର : କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଚଳିତବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ମଳିନ ପଡିଯାଇଛି। ରାମନବମୀ ଠାରୁ ରଥଯାତ୍ରା ସହିତ ଗଣେଶ ପୂଜା ଯାଏଁ ସବୁଠି କରୋନା ଭୟ ଲାଗିରହିଥିଲା। ତେଣୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାରଙ୍କ ରୋକ ଲଗାଯାଇଥିଲା। ବିଶ୍ୱାସ ଥିଲା ଦୁର୍ଗା ପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ। ତେଣୁ ମା ଙ୍କ ପୂଜା ଉତ୍ସବ ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ।
ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଂଚଳରେ ମା ଦଶଭୁଜାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି। ଷଷ୍ଠୀ ବେଲବରଣୀ ଠାରୁ ସପ୍ତମୀ କଳସୀ ପୁଜା ଯାଏଁ କେବଳ ପୂଜା ମଣ୍ଡପ ଗୁଡିକରେ ପୂଜକ ଓ ସଂକଳ୍ପ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି।
ଏପରିକି କେତେକ ପୂଜା ମଣ୍ଡପ ଗୁଡିକୁ ଆବଦ୍ଧ କରାଯାଇ ମା ଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା , ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତ ଶୁନ୍ୟ ଭାବେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।ବ୍ଲକର ନାଉଗାଁ ସାର୍ବଜନୀନ ଦୂର୍ଗା ପୂଜା କମିଟି, ମୁଣ୍ଡାଳ ବଜାର ପୂଜା କମିଟି, ନୁଆଗାଁ ପୂଜା କମିଟି, କଣ୍ଟୁଣିଆ ହାଟ ପୂଜା କମିଟି, ନନ୍ଦିକେଶ୍ଵର ପୂଜା କମିଟି ଓ ଗଙ୍ଗଦା ହାଟ ପୂଜା କମିଟି ଆଦି ସ୍ଥାନ ମାନଙ୍କରେ ମା ଦଶଭୂଜା ସିଂହ ବାହିନୀ ଓ ନାଉଗାଁ ବ୍ଲକ ଛକ ପୂଜା ମଣ୍ଡପରେ ଶିବ ପାର୍ବତୀ ଭକ୍ତ ଶୂନ୍ୟ ଭାବେ ପୂଜା ପାଉଛନ୍ତି।