ଆରମ୍ଭ ହୋଇଯାଇଛି ଆଷାଢ଼ ମାସ , ଶ୍ରୀଜୀୟୁ ଦେବସ୍ନାନ ବା ଜ୍ୟେଷ୍ଠ ପୂର୍ଣିମା ରୁ ମହାସ୍ନାନ ସାରି ଜ୍ବରରେ ପିଡୀତ ହୋଇ ବିଶ୍ରାମ କରୁଛନ୍ତି ଅଣସର ପିଣ୍ଡି ରେ, ଏହି ସମୟରେ ରତ୍ନ ସିଂହାସନ ଖାଲି ରହିବ ଶ୍ରୀଜୀୟୁ ଙ୍କ ବିନା ଏବଂ ରତ୍ନ ସିଂହାସନ ରେ ପୂଜା ପାଇବେ ପଟି ଦିଅଁ, ଜଗନ୍ନାଥ ସଂସ୍କୃତି ଗୋଟିଏ ଅନନ୍ୟ ପରମ୍ପରା , ଯାହାକୁ ଯେତେ ବଖାଣିଲେ ମଧ୍ୟ ସରିବ ନାହିଁ l
ଅଣସର ପିଣ୍ଡି ରେ ପ୍ରଭୁ ବିଶ୍ରାମ କରିବା ସମୟରେ ଉପଯୁକ୍ତ ଔଷଧ ଓ ବିଭିନ୍ନ ତୈଳ ଦ୍ୱାରା ତାଙ୍କୁ ଉପଚାର କରାଯାଇଥାଏ, ଯାହାକୁ ଗୁପ୍ତ ନୀତି ମଧ୍ୟ କୁହାଯାଇ ଥାଏ l ଏବଂ ଏହି ସମୟରେ ଶ୍ରୀମନ୍ଦିର ରେ ଅଭଡ଼ା ବା ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ ନାହିଁ l ଏହି ବିଷୟରେ ଆମେ ସମସ୍ତେ ଅଳ୍ପ ବହୁତେ ଜାଣିଛେ l
କିନ୍ତୁ କାହିଁକି ମହାବାହୁ ହୋଇଥାଆନ୍ତି ଅସୁସ୍ଥ କଣ ରହିଛି ଏହା ପଛରେ ଶାସ୍ତ୍ର ଗତ କାରଣ ? ଏହି ସୁନ୍ଦର କଥା ପଛରେ ରହିଛି ଜଗନ୍ନାଥ ଙ୍କ ଭକ୍ତ ମାଧବ ଦାସ ଙ୍କ ଜୀବନର କାହାଣୀ l
ପ୍ରଭୁ ଜଗନ୍ନାଥ ଙ୍କର ଗୋଟିଏ ଭକ୍ତ ଥିଲେ ମାଧବ ଦାସ, ମାଧବ ଦାସ ଜଗନ୍ନାଥ ଙ୍କୁ ଏମିତି ଭଲ ପାଉଥିଲେ ଯେ ତାଙ୍କର ସମ୍ପୂର୍ଣ ଜୀବନ ସେ ପ୍ରଭୁ ଙ୍କ ନାମ ସେବା ବିତାଇ ଦେଉଥିଲେ, ଯଦି ଦିନ ଟିଏ କାଳିଆକୁ ଦେଖୁ ନଥିଲେ ସେ କାନ୍ଦି ଉଠୁଥିଲେ l ତାଙ୍କର ପ୍ରଭୁଙ୍କ ପ୍ରତି ଏଭଳି ଭଲ ପାଇବା ଥିଲା ଯେ ସେ ପ୍ରଭୁଙ୍କୁ ନିଜର ପରମ ମିତ୍ର ବୋଲି ଭାବୁଥିଲେ l
ଥରେ ମାଧବ ଦାସ ଙ୍କୁ ବହୁତ ଜୋରେ ଜ୍ୱର ହେଲା, ତାଙ୍କ ସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ ସେ ବିଛଣାରୁ ଉଠି ପାରିଲେ ନାହିଁ, ଏବଂ ପ୍ରଭୁଙ୍କ ଦର୍ଶନ ମଧ୍ୟ କରିପାରିଲେ ନାହିଁ, ତାଙ୍କ ସେବା କରିବାକୁ କେହି ନଥିଲେ, ପ୍ରଭୁ ମଧ୍ୟ ନିଜ ଭକ୍ତର ପୀଡା କୁ ଦେଖି ଖୁବ ବିଚଳିତ ହୋଇ ଯାଇଥିଲେ, ଏବଂ ନିଜ ଭକ୍ତର ସେବା କରିବା ପାଇଁ ସେ ନିଜେ ଗୋଟିଏ ମଣିଷ ରୂପ କୁ ଧାରଣ କରି ମାଧବ ଦାସ ଙ୍କ ନିକଟରେ ପହଂଚି ଥିଲେ, ଏବଂ ନିଜ ଭକ୍ତର ସେବା କରି ତାଙ୍କୁ ଔଷଧ ପିଆଇ ଥିଲେ, ଜଗନ୍ନାଥ ନିଜ ଭକ୍ତ କୁ ସୁସ୍ଥ କରିବା ପାଇଁ ସେବା କରିବାରେ ଲାଗି ରହିଲେ l
ଯେତେବେଳେ ମାଧବ ଦାସ ସୁସ୍ଥ ହୋଇଗଲେ ଜାଣି ପାରିଲେ ପ୍ରଭୁ ସ୍ୱୟଂ ତାଙ୍କ ସେବା କରିଛନ୍ତି, ଏବଂ ସେ ପ୍ରଭୁ ଙ୍କୁ ପଚାରିଲେ ପ୍ରଭୁ ତୁମେ କାହିଁକି ମୋର ଏତେ ସେବା କଲ ? ତୁମେଟ ବ୍ରହ୍ମାଣ୍ଡର ସ୍ୱାମୀ, ଏହାର ଉତ୍ତରରେ ପ୍ରଭୁ କହିଲେ ତୁମକୁ ଶ୍ରୀମନ୍ଦିର ରେ ନ ଦେଖିଲେ ମତେ ଭଲ ଲାଗେନାହିଁ, ମୁଁ କେମିତି ଚାହିଁବି ଯେ ତୁମେ ଅସୁସ୍ଥ ରୁହ ବୋଲି l
ମୁଁ ଚାହିଁଲି ତୁମେ ଶୀଘ୍ର ସୁସ୍ଥ ହୋଇଯାଅ, କର୍ମଫଳ ତ ଭୋଗିବାକୁ ପଡିବ, ତୁମ ଜ୍ୱର ର ଆଉ ୧୫ ଦିନ ବାକି ଅଛି, ଯାହାକୁ ମୁଁ ତୁମ ଠାରୁ ନେଇଗଲି l ଏବଂ ଏହି ୧୫ ଦିନ ମୁଁ ଅସୁସ୍ଥ ରହିବି l
ସେହିଦିନ ଜ୍ୟେଷ୍ଠ ମାସର ପୁର୍ଣିମା ଥିଲା, ଏବଂ ଅସହ୍ୟ ଗରମ ପଡି ଥିବାରୁ ପ୍ରଭୁଙ୍କୁ ଗରମ ରୁ ଆରାମ ଦେବାପାଇଁ ସ୍ନାନ କରାଗଲା ଓ ମହାପ୍ରଭୁ ନିଜ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ଙ୍କ ସହିତ ଜ୍ବରରେ ପୀଡିତ ହୋଇ ବିଶ୍ରାମ ନେଇଥିଲେ l ୧୫ ଦିନ ବିଶ୍ରାମ ପରେ ନେତ୍ର ଉତ୍ସବ ପର ଦିନ ପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ l
