ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ: ଖେଚୁଡି ଭୋଗ ଖାଇ ରଥ ଉପରକୁ ପହଣ୍ଡିବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।
ପୁରୀ :ମଙ୍ଗଳବାର ସକାଳେ ରଥ ପ୍ରତିଷ୍ଠା କରାଯିବ। ଖେଚୁଡି ଭୋଗ ଖାଇ ରଥ ଉପରକୁ ପହଣ୍ଡିବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ୭ଟାରୁ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ଶେଷହେବ। ତା’ପରେ ରଥକୁ ବିଜେ କରିବେ ମଦନମୋହନ। ଠାକୁରଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଦିନ ୧୧ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନିରଥରେ ଛେରାପହଁରା କରିବେ। ଏହାପରେ ଚାରମାଳ ଫିଟାଯାଇ ଘୋଡ଼ା ଲଗାଯିବ। ସାରଥି ରଥ ଉପରକୁ ବିଜେ କରିବେ। ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ। ସେବକ, ପୁଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କ ଦ୍ବାରା ରଥଟଣା ଯିବ। ରଥଯାତ୍ରାରେ କୌଣସି ଭକ୍ତଙ୍କୁ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ନାହିଁ।
ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଆକର୍ଷଣୀୟ ଫୁଲ ଏବଂ କନାରେ ରଥଗୁଡିକୁ ସଜ୍ଜିତ କରାଯାଇଛି। ସୋମବାର ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତିପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲା। ତିନିଜଣ ପୂଜାପଣ୍ଡା ସେବକ ତିନିଠାକୁରଙ୍କ ଆଜ୍ଞାମାଳ ନେଇ ରଥରେ ଲାଗି କରିଥିଲେ। ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବାପରେ ସନ୍ଧ୍ୟା ୬ଟାରେ ରଥଖଳାରୁ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ରାତିରେ ଦେଉଳ ପୁରୋହିତ ଏବଂ ଶ୍ରୋତ୍ରିୟ ବ୍ରାହ୍ମଣ ଅଙ୍କୁରାରୋପଣ କରିଛନ୍ତି।
ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ପରାମର୍ଶକୁ ଭିତ୍ତିକରି ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦଇତାପତି ସେବକମାନେ ସୋମବାର ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଦାରୁବ୍ରହ୍ମଙ୍କୁ ପ୍ରସ୍ତୁତ କରାଯାଇଛି।