Odisha news

ବିଶ୍ଵ ସୁନାମୀ ଦିବସ ଉପଲକ୍ଷେ ହେବାକୁଥିବା ମକ୍ ଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

0
ଜଗତସିଂହପୁର୦୨/୧୧ : ସୁନାମି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ, କିନ୍ତୁ ଆଗୁଆ ସତର୍କତା ଓ ନିରାକରଣ ଏହାର ଭୟାବହତାକୁ କମ କରିପାରେ।ମିଳିତ ଜାତିସଂଘ ଦ୍ବାରା ପ୍ରତିବର୍ଷ  ନଭେମ୍ବର ମାସ ୫ ତାରିଖକୁ ବିଶ୍ବ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଜଗତସିଂହପୁର ଜିଲ୍ଲାରେ  ଏହି ଦିବସ ପାଳନ ଅବସରରେ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୫ ତାରିଖରେ ହେବାକୁ ଥିବା ମକ୍ ଡ୍ରିଲ୍ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ କହିଥିଲେ ଯେ, ଜିଲ୍ଲାର ବାଲିକୁଦା,ଏରସମା, କୁଜଙ୍ଗ ଓ ପାରାଦୀପ୍ ର ୩୫ ଟି ଗ୍ରାମ ସୁନାମି ପ୍ରବଣ ଘୋଷଣା କରାଯାଇଛି। ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯଦିଓ ଜିଲ୍ଲାରେ କେବେ ଆସିନାହିଁ, କିନ୍ତୁ ଏହାର ବିପର୍ଯ୍ୟୟ  ଭୟାବହତା ବିଷୟରେ ସମସ୍ତେ ଅବଗତ।ସମୁଦ୍ର ରେ ସୃଷ୍ଟି ହେଉଥିବା ଭୂମିକମ୍ପ କାରଣ ରୁ ସୁନାମି ଆସିଥାଏ ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ଏହା ପ୍ରସ୍ତୁତି ପାଇଁ ସମୟ ଦେଇ ନଥାଏ।ତେଣୁ ଏହି ମକ୍ ଡ୍ରିଲ ମାଧ୍ୟମ ରେ ଆମେ ସମସ୍ତେ ଏଥିରୁ ରକ୍ଷା ପାଇବା ତଥା ଅନ୍ୟକୁ ବଞ୍ଚାଇ ପାରିବାର ପ୍ରୟାସ ରେ ସାମିଲ ହୋଇପାରିବା। ଜିଲ୍ଲା ର ନୋଳିଆ ସାହି କୁ ସୁନାମି ରେଡି ଗ୍ରାମ ଭାବେ ଘୋଷଣା କରାଯାଇଛି ଏବଂ ଆଗକୁ ସମସ୍ତ ୩୫ ଟି ଗ୍ରାମକୁ ଏଥିରେ ସାମିଲ କରାଯିବ ।ଗତ ୩ ବର୍ଷ ଧରି ଏପରି ମକ୍ ଡ୍ରିଲ ଅନୁଷ୍ଠିତ ହେଉଛି। ଅତିରିକ୍ତ ଜିଲ୍ଲାପାଳ ଏବର୍ଷ ର ଥିମ୍ ‘ଏକତା ର ସହ ଲଢ଼ି ସଶକ୍ତ ଭବିଷ୍ୟତ ଗଢ଼ିବା ‘ ( fighting with equality for resilient future)ପାଇଁ କହିଥିଲେ।  ଜଗତସିଂହପୁର ର ୩ ଟି ବ୍ଲକ ର ୫ ଟି  ଗ୍ରାମ, ଯଥା,ବାଲିକୁଦା ବ୍ଲକର ବରମୁଣ୍ଡୁଳି ଗ୍ରାମ ପଞ୍ଚାୟତ ର ବାଘେଇପୁର,ମରିଚପୁର ପଞ୍ଚାୟତ ର ଧନୁହରବେଲାରୀ, କୁଜଙ୍ଗ ବ୍ଲକ ପାରାଦୀପଗଡ ପଞ୍ଚାୟତ ର ଚନକଣା,ଏରସମା ବ୍ଲକ ର ପଦମପୁର ପଞ୍ଚାୟତ ର ସାହାଡାବେଦୀ, ଓ ଗଡ଼କୁଜଙ୍ଗ ପଞ୍ଚାୟତ ର ଭୂୟାଁପାଳ ଠାରେ ଆସନ୍ତା 5 ତାରିଖ ଦିନ ମକ୍ ଡ୍ରିଲ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।ବିଶେଷକରି ଏହି ୩ ଟି ବ୍ଲକ ର ସମୁଦ୍ର କୂଳରୁ ୨ କି.ମି. ଦୂରତା ରେ ଥିବା ସମସ୍ତ ଗ୍ରାମ ଏଥିପ୍ରତି ସତର୍କ ରହିବାକୁ ସେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ଓଡ୍ରାଫ୍ ଟିମ୍, ଆପଦ ମିତ୍ର, ମିଶନ ଶକ୍ତି ର  ମହିଳା, ଅଗ୍ନିଶମ ବିଭାଗର କର୍ମଚାରୀ,ଅଙ୍ଗନବାଡ଼ି କର୍ମୀ,ଭାଗ ନେଇ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବେ। ଉକ୍ତ ବୈଠକରେ ଜିଲ୍ଲା ଜରୁରୀ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀ ଆଶୁତୋଷ ମହାନ୍ତି ଏବଂ ମୟୁରଭଞ୍ଜ ଜିଲ୍ଲାର  ଜରୁରୀ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ପାୱାର ପଏଣ୍ଟ  ମାଧ୍ୟମରେ ସୁନାମୀ ର କାରଣ ଓ ଭାରତ ତଥା ବିଶ୍ଵ ରେ ଏହାର ଇତିହାସ ବିଷୟରେ କହିଥିଲେ। ହାଇଦ୍ରାବାଦ ର ଆଇ ଏନ୍ ସି ଓ ଆଇ ଏସ୍  ସଂସ୍ଥା ଭାରତ ରେ ସୁନାମି ର ସୂଚନା ଦେଇଥାଏ। ତେଣୁ ସମସ୍ତଙ୍କ ସହାୟତାରେ ଜୀବନ ବଞ୍ଚାଇ ହେବ।ଉକ୍ତ ବୈଠକ ରେ ପୋଲିସ,ସ୍ବାସ୍ଥ୍ୟ,ଶିକ୍ଷା,ସାମାଜିକ ସୁରକ୍ଷା,ମିଶନ ଶକ୍ତି,ଅଗ୍ନିଶମ, ଓଡ୍ରାଫ ବିଭାଗ ର ଅଧିକାରୀ,ବିଭିନ୍ନ ଏନ ଜି ଓ ର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ।
Leave A Reply