ଜଗତସିଂହପୁର୨୧/୧୧:”ସଶକ୍ତ ମତ୍ସ୍ୟଜୀବୀ,ବିକଶିତ ଓଡିଶା” ର ଲକ୍ଷ୍ୟ ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ‘ବିଶ୍ଵ ମତ୍ସ୍ୟ ଦିବସ’ ପାଳିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ମତ୍ସ୍ୟ ପାଳନକୁ ଅର୍ଥନୈତିକ ସମୃଦ୍ଧିର ଅନ୍ୟତମ ପନ୍ଥା ବୋଲି କହିଥିଲେ। ଜିଲ୍ଲାର ୬୭କିଲୋମିଟର ସମୁଦ୍ର ତଟରେଖା ଥିବାବେଳେ ଲୁଣି ଜଳ ସହିତ ମଧୁର ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ଦେବାର ଆଵଶ୍ୟକତା ରହିଛି ।ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଲାଭ ନେବା ସହିତ ନୂତନ ଜ୍ଞାନ କୌଶଳର ବ୍ୟବହାର କରି ଅଳ୍ପ ଜାଗାରେ ଅଧିକ ଉତ୍ପାଦନ ପାଇଁ ମତ୍ସ୍ୟ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କୈଳାସ ଚନ୍ଦ୍ର ମଲ୍ଲିକ ଆର୍ଥିକ ଉନ୍ନତି ସହ ଦେଶର ପ୍ରଗତି ରେ ସହଭାଗିତା ଦିଗରେ ମତ୍ସ୍ୟ ଚାଷର ଗୁରୁତ୍ଵ ପ୍ରତିପାଦିତ କରିଥିଲେ ।ସମ୍ମାନନୀୟ ଅତିଥି ଭାବରେ ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ଓ କୃଷି ବିଭାଗ, ଅନିଲ କୁମାର ସେଠୀ,ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରଭାକର ନାୟକ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ମତ୍ସ୍ୟ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସରିତା ଦାସ ପ୍ରମୁଖ ଯୋଗ ଦେଇ ମତ୍ସ୍ୟ ଚାଷ ଉପରେ ବକ୍ତବ୍ୟ ଦେଇଥିଲେ ।ଏହି ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶ୍ରୀ ରେଶମା ରାଣୀ ସିଂ ବିଶ୍ଵ ଅର୍ଥନୀତି ରେ ମତ୍ସ୍ୟଚାଷର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଓଡିଶା ସରକାରଙ୍କ ତରଫରୁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଓଡିଶା ମତ୍ସ୍ୟ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ୧୬ ଗୋଟି ଯୋଜନାର ସମନ୍ଵୟ ରେ ଏହା ଏକ ବୃହତ ଯୋଜନା ।
ଏହି ଯୋଜନାରେ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା, ଗ୍ରାମପଞ୍ଚାୟତ ପୋଖରୀରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ମାଛ ଚାଷ ପାଇଁ ସହାୟତା ଓ ସେମାନଙ୍କ ପାଇଁ ପୁଞ୍ଜି ବ୍ୟବସ୍ଥା, ଜୈବପୁଞ୍ଜ ପଦ୍ଧତିରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ, ଜାଆଁଳ ଉତ୍ପାଦନକାରୀଙ୍କୁ ଇନପୁଟ ସହାୟତା,ଚାଷ ନିମନ୍ତେ ଯନ୍ତ୍ର ପାତି ବ୍ୟବହାର ପାଇଁ ପ୍ରୋତ୍ସାହନ, ମତ୍ସ୍ଯଜୀବୀ ପରିବାର ର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ସ୍ବୟଂ ସହାୟକ ଗୋଷ୍ଠୀର ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ପ୍ରୋତ୍ସାହନ, ମତ୍ସ୍ଯ ସମବାୟ ସମିତିର ପୁନଃଭ୍ରମଣ,ଫାର୍ମ ପୋଖରୀରେ ମାଛଚାଷ, ଜାଆଁଳ ଉତ୍ପାଦନ କେନ୍ଦ୍ର ରେ ଆଗୁଆ ପ୍ରଜନନ କାର୍ଯ୍ୟ ଆଦି ଏହି ଯୋଜନା ଅନ୍ତର୍ଗତ। ସୁଶ୍ରୀ ସିଂ ବିଲୁପ୍ତ ପ୍ରାୟ ମତ୍ସ୍ୟ ପ୍ରଜାତିର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ସଭାରେ ଜିଲ୍ଲା ର ସଫଳ ମତ୍ସ୍ୟ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୩ ଏକର ପୋଖରୀରେ ମାଛଚାଷ ପାଇଁ ରଘୁନାଥପୁର ବ୍ଲକର ବାବା ଗତେଶ୍ବର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ମଧୁର ଜଳରେ କାର୍ପ କଲଚର ମାଧ୍ୟମରେ ୨.୫ ଏକର ଜଳରେ ମାଛ ଚାଷ ପାଇଁ ବିରିଡି ବ୍ଲକ ର ସୁରେଶ ଚନ୍ଦ୍ର ରାୟ,ଜୈବପୁଞ୍ଜି ଓ ନୂତନ ଜ୍ଞାନ କୌଶଳ ଜରିଆରେ ଚାରିଟି ଟ୍ୟାଙ୍କର ମାଛ ଚାଷ ପାଇଁ ନାଉଗାଁ ବ୍ଲକର ମନୋଜ କୁମାର ପରିଡା ଏବଂ କ୍ଷାର ଜଳରେ ଭେନାମୀ କଲଚର ଦ୍ବାରା ଶ୍ବେତ ଚିଙ୍ଗୁଡି ପାଳନ ପାଇଁ ଏରସମା ବ୍ଲକ ର ସୈଫ ଲତିଫଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ରାଜ୍ୟ ପ୍ରକଳ୍ପ ପରିଚାଳକ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ଭାଷଣ ଦେବା ସହ ଅତିଥି ପରିଚୟ ଓ ଧନ୍ଯବାଦ ଅର୍ପଣ କରିଥିଲେ। ସଭାରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କର୍ମକର୍ତ୍ତା, ମତ୍ସ୍ୟଜୀବୀ, ସାମୁଦ୍ରିକ ମତ୍ସ୍ୟଜୀବୀ, ପ୍ରାଥମିକ ମତ୍ସ୍ୟଜୀବୀ ସମିତି ର ସଭ୍ଯ ମାନେ, ସାଗର ମିତ୍ର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।