ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଶ୍ରୀ ଦାସଙ୍କ ୯୧ ବର୍ଷ ବୟସରେ ଦେହନ୍ତ ହୋଇଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ପ୍ରଫେସର ଡ. ଯଦୁନାଥ ପ୍ରସାଦ ଦାସ ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ବିଶ୍ବନାଥ ଦାସ ଓ ନୀଳମଣି ଦେବୀ ତାଙ୍କର ପିତା-ମାତା ଥିଲେ। ସେ ଜେପି ଦାସ ନାମରେ ଜନମାନସରେ ଅଧିକ ଲୋକପ୍ରିୟ ଥିଲେ। ବାଲ୍ୟଶିକ୍ଷା ଠାରୁ ଡାକ୍ତରୀ ସ୍ନାତକ ପାଠ୍ୟକ୍ରମ ଏମ.ବି.ବି.ଏସ ପର୍ଯ୍ୟନ୍ତ ସେ କଟକ ସହରରେ ପଢ଼ିଥିଲେ। ବିଦେଶରେ ସ୍ନାତକୋତ୍ତର ସ୍ତରୀୟ ଡିଗ୍ରି ହାସଲ ପରେ ଭେଲୋରସ୍ଥିତ ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜରୁ ହୃଦ୍ରୋଗ ଉପରେ ଡକ୍ଟରେଟ୍ ଅଫ୍ ମେଡ଼ିସିନ୍ ଅଥବା ଡି.ଏମ (କାର୍ଡିଓଲୋଜି) ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଷାଠିଏ ଦଶକ ଶେଷସୁଦ୍ଧା ସମଗ୍ର ପୂର୍ବଭାରତର ସେ ଥିଲେ ଏକମାତ୍ର ଡିଏମ୍ ଡିଗ୍ରିଧାରୀ କାର୍ଜିଓଲୋଜିଷ୍ଟ । ପ୍ରଫେସର ଜେପି ଜଣେ ଉଚ୍ଚମାନର ହୃଦରୋଗ ବିଶେଷଜ୍ଞ ହୋଇଥିଲେ ହେଁ ଜଣେ ସ୍ୱନାମଧନ୍ୟ ଚିତ୍ରଶଳ୍ପୀ ଓ ସୌଖୀନ କାବ୍ୟଶିଳ୍ପୀ ଭାବରେ ତାଙ୍କର ପରିଚିତି ସର୍ବଜନବିଦିତ। ତାଙ୍କର ଜୀବନଦର୍ଶନ ସେବା, ତ୍ୟାଗ ଓ ପ୍ରେମ ଉପରେ ଆଧାରିତ ଏହି କ୍ରମରେ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ଧରି ଜଣେ ରୋଟାରିଆନ୍ ଭାବରେ ତାଙ୍କର ସମାଜସେବା ଅବିସ୍ମରଣୀୟ।
ଉଭୟ ମାଟ୍ରିକ ଓ ଆଇ.ଏସ୍.ସି ପରୀକ୍ଷାରେ ସମଗ୍ର ଓଡ଼ିଶାରୁ ସର୍ବୋକୃଷ୍ଟ ପ୍ରଥମ ଦଶଜଣ କୃତୀଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜେପି ଥିଲେ ଅନ୍ୟତମ। ଏଥି ସହିତ ସେ ବହୁବିଧ ବୈଷିଷ୍ଟ୍ୟର ଅଧିକାରୀ ଥିଲେ। ଇଂଲଣ୍ଡର ଏଡିନ୍ବର୍ଗରୁ ଫେଲୋ ଅଫ୍ ଦ ରୟାଲ କଲେଜ୍ ଅଫ୍ ଫିଜିସିଆନ୍, ଫେଲୋ ଅଫ୍ ଦ ଆମେରିକାନ୍ କଲେଜ୍ ଅଫ୍ କାର୍ଡିଓଲୋଜି, ଫେଲୋ ଅଫ୍ ଦ ନ୍ୟାସ୍ନାଲ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସସେସ୍, ଫାଉଣ୍ଡର ଫେଲୋ ଅଫ୍ ଇଣ୍ଡିଆନ୍ କଲେଜ୍ ଅଫ୍ କାର୍ଡିଓଲୋଜି, ଫେଲୋ, କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆରେ ସମ୍ମାନିତ ହୋଇଥିଲେ।