Odisha news

ଦିଲ୍ଲୀ କ୍ୟାପିଟାଲ୍‌ସ ରାଜସ୍ଥାନ ରୟାଲ୍‌ସକୁ ୧୩ରନରେ ହରାଇଲା

0

ଦୁବାଇ: ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ତା’ ସହ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷସ୍ଥାନକୁ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ଦିଲ୍ଲୀ ଆଜି ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଏହାର ଜବାବରେ ରାଜସ୍ଥାନ ୮ ୱିକେଟ୍ ହରାଇ ୧୪୮ ରନ୍‌ରେ ଅଟକି ଯାଇଥିଲା।

୧୬୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ପକ୍ଷରୁ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦ୍ରୁତ ୪୧ ରନ୍ କରିଥିଲେ। ତେବେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୧) ପୁଣି ଥରେ ଏକ ଅଙ୍କରେ ସୀମିତ ରହିବା ଏବଂ ରିଆନ ପରାଗ (୧) ଠିକଣା ସମୟରେ ରନ୍‌ଆଉଟ୍ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଗୋଟିଏ ଜୀବନ ଦାନ ପାଇବା ସତ୍ତ୍ବେ ଛକା ମାଷ୍ଟର ରାହୁଲ ତିୱାତିଆ (୧୪*, ୧୮ ବଲ୍) ବଡ଼ ସଟ୍ ଖେଳିବାରେ ଅସମର୍ଥ ହୋଇଥିଲେ। ସଞ୍ଜୁ ସାମସନ୍ (୨୫) ଓ ରବିନ ଉଥା‌ପ୍ପା (୩୨) ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଅନ୍ୟପକ୍ଷରେ କ୍ରମଶଃ ଶିଥିଳ ପଡ଼ି ଆସୁଥିବା ପିଚ୍‌ରୁ ପୂରା ଫାଇଦା ନେଇ ଦିଲ୍ଲୀ ବୋଲର ମାପଚୁପ ବୋଲିଂ ରାଜସ୍ଥାନ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ‌ଶେଷ ଓଭରରୁ ବିଜୟ ପାଇଁ ୨୨ ରନ୍‌ର ଦରକାର ଥିଲା ବେଳେ ରାଜସ୍ଥାନ ମାତ୍ର ୮ ରନ୍ କରି ପାରିଥିଲା। ପରାଜିତ ହୋଇଥିଲେ ମଧ୍ୟ ରାଜସ୍ଥାନ ଅଲରାଉଣ୍ଡର ଜୋଫ୍ରା ଆର୍ଚର ମ୍ୟାଚ୍‌ର ପ୍ରଥମ ବଲ୍‌ରେ ପୃଥ୍ବୀ ସ’ଙ୍କୁ ଆଉଟ୍ କରିବା ପରେ ବିହୁ ନୃତ୍ୟ ପରିବେଷଣ କରି କ୍ରିକେଟ୍‌ପ୍ରେମୀଙ୍କ ମନକୁ ଜିତି ନେଇଥିଲେ। ମହତ୍ତ୍ବପୂର୍ଣ୍ଣ ମୋଡ଼ରେ ଦୁଇଟି ୱିକେଟ୍‌ ନେଇଥିବା ଆନରିଚ୍‌ ନୋର୍ଜେଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଦ୍ବିତୀୟ ପାଳି ବେଳକୁ ପିଚ୍ ଧିମା ପଡ଼ି ଯାଉଥିବା ଆଶଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ପ୍ରଥମେ ପ୍ରଥମେ ବୁମେରାଂ ସାବ୍ୟସ୍ତ ହୋଇଥିଲା। ପ୍ରଥମ ବଲ୍‌ରେ ହିଁ ପ୍ରତିଭାବାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପୃଥ୍ବୀ ସ’ଙ୍କୁ ବୋଲ୍ଡ କରି ଆର୍ଚର ଦିଲ୍ଲୀକୁ ଶକ୍ତ ଝଟ୍‌କା ଦେଇଥିଲେ। ତିନି ନମ୍ବରର ମହତ୍ବପୂର୍ଣ୍ଣ ସ୍ଥାନରେ ଖେଳିଥିବା କୁଶଳୀ ଅଜିଙ୍କ୍ୟ ରାହ‌ାଣେ (୨) ମଧ୍ୟ ପୂରା ନିରାଶ କରି ସ’ଙ୍କ ପଛେ ପଛେ ପ୍ୟାଭିଲିୟନ ଫେରି ଯାଇଥିଲେ। ୧୦ ରନ୍‌ରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦିଲ୍ଲୀ ପାଇଁ ଶିଖର ଧାୱନ (୫୭ ରନ୍, ୩୩ ବଲ୍, ୬ ଚୌକା, ୨ ଛକା) ପାଳି ଗଢ଼ିବା ଆରମ୍ଭ କରିଥିଲେ। ଅଧିନାୟକ ଶ୍ରେୟସ୍ ଆୟର (୫୩ ରନ୍, ୪୩ ବଲ୍, ୩ ଚୌକା‌, ୨ ଛକା)ଙ୍କ ମିଶି ତୃତୀୟ ୱିକେଟ୍‌ରେ ୮୫ ରନ୍ ଯୋଡ଼ିଥିଲେ। ଉଭୟ ଧାୱନ ଓ ଆୟର ନିଜ ନିଜ ଦ୍ବିତୀୟ ଅର୍ଧଶତକ ବି ପୂରଣ କରିଥିଲେ। ତେବେ ଧାୱନଙ୍କ ଆଉଟ୍ ପରେ ଦୁର୍ଭାଗ୍ୟଜନକ ଭାବେ ଦିଲ୍ଲୀ ଆଉ ଏକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଲଗାତାର ୱିକେଟ୍ ହରାଇ ଚାଲିଥିବାରୁ ଦଳ ଶେଷ ୫ ଓଭରରେ ରନ୍ ହାର ବଢ଼ାଇ ପାରି ନଥିଲା। ମାର୍କସ ଷ୍ଟୋଇନିସ୍ (୧୮), ଆଲେକ୍ସ କେରି (୧୪) ଓ ଅକ୍ଷର ପଟେଲ (୭) ରନ୍ ଗତି ବଢ଼ାଇ ପାରି ନଥି‌ଲେ। ଷ୍ଟୋଇନିସଙ୍କୁ ନିଜ ତୃତୀୟ ଶିକାର କରି ଆର୍ଚର ହିଁ ଦିଲ୍ଲୀକୁ ୧୬୧/୭ରେ ଅଟକାଇ ଦେଇଥିଲେ। ଦିଲ୍ଲୀ ଶେଷ ୩ ଓଭରରୁ ୧୮ ଓ ଶେଷ ୫ ଓଭରରୁ ମାତ୍ର ୩୨ ରନ୍ କରିଥିଲା। ଚଳିତ ଆଇପିଏଲ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା କୌଣସି ଦଳର ଏହା ଶେଷ ୫ ଓଭରରେ ସବୁଠାରୁ ଖରାପ ପ୍ରଦର୍ଶନ ଥିଲା।

Nalco
Leave A Reply