ରୋହିତ ଶର୍ମା ପୁଣି ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ, ଆଇପିଏଲ୍ ୨୦୨୭ରେ ସମ୍ଭାଳିବେ ଦଳର ନେତୃତ୍ୱ
ଦଳର ୨୦ତମ ସିଜିନ୍ରେ ରୋହିତଙ୍କ ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ସ୍ୱତନ୍ତ୍ର: ନୀତା ଅମ୍ବାନୀ
– ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି
ମୁମ୍ବାଇ, ୨୭ ନଭେମ୍ବର ୨୦୨୬: ରୋହିତ ଶର୍ମା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଇପିଏଲ୍ ୨୦୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଐତିହାସିକ ୨୦ତମ ସିଜିନ୍ ଖେଳିବାକୁ ଯାଉଥିବା ବେଳେ ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଦଳର ନେତୃତ୍ୱ ନେବେ।
୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିବା ରୋହିତ ଶର୍ମା ୨୦୧୩ରୁ ୨୦୨୩ ଯାଏଁ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲା। ରୋହିତଙ୍କ ନେତୃତ୍ୱ ଦକ୍ଷତା, ଯୁବ ପ୍ରତିଭାଙ୍କ ଉପରେ ତାଙ୍କର ଭରସା ଏବଂ ପ୍ରଶଂସକଙ୍କ ସହ ତାଙ୍କର ଗଭୀର ସମ୍ପର୍କ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି।
ନୀତା ଅମ୍ବାନୀ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସର ୨୦ତମ ସିଜିନ୍ ରେ ରୋହିତଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେଉଥିବା ଦେଖିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ରୋହିତଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଅନେକ ସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ। ମୋର ଆଶା, ଏହି ନୂଆ ଅଧ୍ୟାୟ ରୋହିତ, ଆମ ଦଳ ଏବଂ କୋଟି କୋଟି ପ୍ରଶଂସକଙ୍କୁ ଗର୍ବିତ ହେବାର ଆହୁରି ଅନେକ ସୁଯୋଗ ଦେବ।”
ଆକାଶ ଅମ୍ବାନୀ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଏହାର ପ୍ରଶଂସକଙ୍କ ସହ ରୋହିତଙ୍କ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର। ରୋହିତଙ୍କ ଅଭିଜ୍ଞତା, ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ଆମେ ଗଢ଼ି ତୋଳୁଥିବା ଦଳକୁ ନେଇ ଆମେ ବେଶ୍ ଉତ୍ସାହିତ। ଆମେ ଏଭଳି କ୍ରିକେଟ୍ ଖେଳିବାକୁ ଚାହୁଁଛୁ, ଯାହାକୁ ନେଇ ଆମ ପ୍ରଶଂସକମାନେ ଗର୍ବ ଅନୁଭବ କରିବେ।”
ପୁଣି ଥରେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ନେଇ ରୋହିତ ଶର୍ମା କହିଛନ୍ତି , “ମୁମ୍ବାଇ ଇଣ୍ଡିଆନ୍ସ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି ଏବଂ ଏହି ଦଳର ଅଧିନାୟକ ହେବା ସବୁବେଳେ ମୋ ପାଇଁ ଗର୍ବର ବିଷୟ। ମୋର ଦୃଢ଼ ବିଶ୍ୱାସ ଯେ, ଆମେ ମିଳିତ ଭାବେ ଅନେକ ସଫଳତା ହାସଲ କରିପାରିବୁ। ମୁଁ ୨୦ତମ ସିଜିନ୍ ଏବଂ ଆଗାମୀ ଆହ୍ୱାନଗୁଡ଼ିକର ସାମ୍ନା କରିବାକୁ ପ୍ରସ୍ତୁତ। ଆମର ଧ୍ୟାନ ନିଜସ୍ୱ ଶୈଳୀରେ କ୍ରିକେଟ୍ ଖେଳିବା, ଏକଜୁଟ ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଖେଳକୁ ଉପଭୋଗ କରିବା ଉପରେ ରହିବ।”
